Unknown

କାଞ୍ଚନବାଳା ଗୀତାଭିନୟ

ବାଳକୃଷ୍ଣ ଗ୍ରନ୍ଥାବଳୀ

ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ ପ୍ରଥମ ଦୃଶ୍ୟ

(କାଦମ୍ବିନୀ, ସାଧୁ ବିଦ୍ୟାଧର)

 

କାଦମ୍ବିନୀ-

(ଗୀତ)

(ମୋ ଦିନ ତ ସରୁ ନାହିଁ-ବୃତ୍ତେ)

ବିହି କିପାଁ ଏ ଦଣ୍ଡ ଦେଲୁ

ହୃଦୟନିଧିଙ୍କୁ କାରାରୁଦ୍ଧ କରିଲୁ । ପଦ ।

ନାହିଁ ମୋ କେହି ଭରସା            ଅଭାଗିନୀ ମୁହିଁ ଯୋଷା

ଯୁବାକାଳେ ଏ ଦୁର୍ଦ୍ଦଶା ଲିହି କି ଥିଲୁ । ୧ ।

ସୁକୁମାର ମୋ ନନ୍ଦନ            ଶୁଣି କି ଧରିବ ପ୍ରାଣ

ଧାତା ମୋ ସୁଖର ଦିନ ଛଡ଼ାଇ ନେଲୁ ।

ହା ଦଇବ ରେ ! ସ୍ୱାମୀ ମୋର କାରାରୁଦ୍ଧ ହେଲେ, ମୁଁ ହତଭାଗିନୀ ବଞ୍ଚି ରହି କି ଫଳ ? କ’ଣ କରିବି, ଧନ ମୋର ତ ପଢ଼ିବାକୁ ଯାଇଛି, ଏହିଲାଗେ ଆସୁଥିବ । ଯଦି ପିତାଙ୍କର ଏ ଦୁର୍ଦ୍ଦଶା ଶୁଣେ, ତେବେ ସେ କି ଆଉ ପ୍ରାଣ ଧରିବ ? କ’ଣ କରିବି ତା ଆଗରେ କିପରି ପ୍ରକାଶ କରିବି?

ବିଦ୍ୟାଧର-

(ପ୍ରବେଶ ହୋଇ) ମା’, ମା’, ସବୁଦିନେ ତ ମୋ ଆସିବା ପଥ ଚାହିଁ ବସିଥାଉ । ଆଜି କାହିଁକି ଗୃହ ମଧ୍ୟରେ ଏପରି ବିମର୍ଷ ଭାବରେ ବସିଛୁ ? କ’ଣ ହେଲା କି ? ମୁଁ ତ ଇସ୍କୁଲକୁ ଗଲାବେଳେ ତୋର ଏ ଭାବ ଦେଖି ନଥିଲି । ମୋତେ ବହିବସ୍ତାନି ଦେଇ ଆନନ୍ଦରେ ବାଟେଇ ଦେଇ ଆସିଲୁ, ପୁଣି ଏହି ପ୍ରହରକ ମଧ୍ୟରେ କି ବିପଦ ଘଟିଲା।

 

ଗୀତ

କାହିଁ ପାଇଁ କରୁ ଭାବନା

ଫେଡ଼ି କହ ମୋ ଆଗେ ମା । ଘୋଷା ।

ନୁଆଇଁ ବସିଛୁ ତଳକୁ ମଥା

ମରମରେ କିବା ଲିଭିଛୁ ବ୍ୟଥା ।

ଅଶ୍ରୁ ଢଳ ଢଳ ନୟନ ତୋହର

(ଦେଖି) ଉଡ଼ିଯାଏ ମୋର ସା । ୧ ।

କିଏ ତୋର ସଙ୍ଗେ କଲା କି ବାଦ

କିବା କିସ ଲାଗି ବଳିଛି ସଧ

ସନ୍ଦେହ ମୋହର କର ମାତ ଦୂର

ଘଟିଛି ତୋ କଷ୍ଟ ଯା । ୨ ।

ମୁଁ କି ଅପରାଧୀ ତୋହର ଚରଣେ

ନ କହୁଛୁ କଥା କେଉଁ କାରଣେ

ଦେଖି ତୋ ବିଷାଦ ପୋଡ଼ୁଛି ମୋ ହୃଦ

ଆଉ କଷ୍ଟ ଦିଅନା । ୩ ।

ମା ! କାହିଁକି ଏତେ ଅଧୈର୍ଯ୍ୟ ହେଉଛୁ ? ମୁଁ ତ କିଛି କାରଣ ବୁଝିପାରୁନାହିଁ । ଆଉ କ’ଣ ପିତା କିଛି ଗାଳିଗୁଲଜ କରିଛନ୍ତି କି ? ମୋତେ କିଛି ମାତ୍ର ନକହିଲେ ଜାଣିବି କିପରି ? କାନ୍ଦି କାନ୍ଦି ଆଖି ତୋର ଫୁଲିଗଲାଣି ! କ’ଣ ମା’ ! କାରଣ କ’ଣ ? ମୁଁ ଯେବେ କୌଣସି ଅପରାଧ ତୋଠାରେ କରିଛି ମୋତେ କ୍ଷମା ଦେ ।(ଆଣ୍ଠୁମାଡ଼ି ପ୍ରଣାମ କଲା)

କାଦମ୍ବିନୀ-

ଗୀତ

(ତୋ ଦମ୍ଭ ଦେଖିବାକୁ ସିନା-ବୃତ୍ତେ)

ଆରେ ଦୁଃଖିଧନ! ସବୁ ଦମ୍ଭ ଆଜିଠାରୁ ହେଲା ଚୂର୍ଣ୍ଣ ।

ତୋ ପିତାରେ ଆଜି ନରଈଶ

ରଖାଇଲା ନେଇ କାରାବାସ

ଆଜୁ କର୍ମ ବାମ                  ହେଲାଟିରେ ଜାଣ

ସବୁ ଦିବା ହେଲା ଅବସାନ । ୧ ।

ବାପରେ ! ରାଜା ତୋର ପିତାଙ୍କୁ ଗୋଟିଏ ଅସାଧ୍ୟ ସାଧନ ନିମିତ୍ତ ଆଦେଶ ଦେଲେ । ସେଥିରେ ସମ୍ମତ ନ ହେବାରୁ ରାଜା ଘୋଷା ହୋଇ ତାଙ୍କୁ ଚିରଦିନ ପାଇଁ କାରାରୁଦ୍ଧ ରଖିଲେ ।

ବିଦ୍ୟାଧର-

ମା’ ! ସେ ଅସାଧ୍ୟ କଥାଟି କ’ଣ, କେଉଁଥି ଲାଗି ପିତାଙ୍କୁ ଆଦେଶ ଦେଉଥିଲେ?

କାଦମ୍ବିନୀ-

(ଗୀତ)

ରତ୍ନାବତୀ ପୁରୁ ସ୍ୱର୍ଣ୍ଣକାଣ୍ଡ            ଆଣିବା ପାଇଁକି ନୃପସଧ

ଆଗୁ କେତେ ବୀରେ ଯାଇ ନିରାଶରେ

ପ୍ରାଣ ଘେନି ଫେରିଲେ ସଦନ । ୨ ।

ବାପରେ ! ରାଜାଙ୍କୁ ସ୍ୱପ୍ନାଦେଶ ହୋଇଛି-‘‘ଯଦି ରତ୍ନାବତୀପୁରରୁ ସୁବର୍ଣ୍ଣକାଣ୍ଡ, ସୁବର୍ଣ୍ଣ-ଆସ୍ଥାନ ଆସି ପ୍ରଭୁ ସତ୍ୟନାରାୟଣଙ୍କ ପୂଜା ହେବ ତେବେ ରାଣୀ ପୁତ୍ରବତୀ ହେବେ ।’’

ବିଦ୍ୟାଧର-

ମା’ ! ଏ ସାମାନ୍ୟ କଥାକୁ ପିତା ପଶ୍ଚାତ୍‌ପଦ ହେଲେ କାହିଁକି ?

କାଦମ୍ବିନୀ-

ବାପ ରେ ! କେଡ଼େ କେଡ଼େ ରଥୀ ମହାରଥୀମାନେ ବହୁ ପ୍ରତିଜ୍ଞା କରି ଯାଇ ନିରାଶରେ ଫେରିଆସିଛନ୍ତି, ପୁଣି କେତେକ ମଧ୍ୟ ପଥରେ ଯାଉଁ ଯାଉଁ ପ୍ରାଣ ହରାଇଛନ୍ତି ।

ବିଦ୍ୟାଧର-

ମା’ ! ରାଜା ପିତାଙ୍କୁ ବନ୍ଦିକଲେ ସତ୍ୟ, କିନ୍ତୁ ସେ ସ୍ୱର୍ଣ୍ଣ-କାଣ୍ଡ ଓ ସ୍ୱର୍ଣ୍ଣ-ଆସ୍ଥାନ ଲାଗି ଗଲା କିଏ ?

କାଦମ୍ବିନୀ-

ଶୁଣୁଛି ସେନାପତିଙ୍କ ପୁତ୍ର ଦୁର୍ବୁଦ୍ଧି ସିଂହ ତାକୁ ଆଣିବାଲାଗି ପ୍ରତିଜ୍ଞାବଦ୍ଧ ହୋଇଛି ।

ବିଦ୍ୟାଧର-

ମା’ ! ମୋତେ ଅନୁମତି ଦିଅ; ମୁଁ ନିଶ୍ଚୟ ଯାଇ ସ୍ୱର୍ଣ୍ଣକାଣ୍ଡ ଓ ଆସ୍ଥାନ ଆଣି ପିତାଙ୍କୁ କାରାମୁକ୍ତ କରିବି ।

କାଦମ୍ବିନୀ-

ବାପ ! କ’ଣ ପାଗଳ ହେଲୁ କି ? ସ୍ୱର୍ଣ୍ଣକାଣ୍ଡ ଆଣିବା ସହଜ କଥା ନୁହେଁ । ଯେଉଁଠିକି ଶତ ଶତ ବୀରମାନେ ଯାଇ ଯଶସ୍ୱୀ ହୋଇପାରି ନାହାନ୍ତି, ତୁ ପୁଣି ଛୁଆଖଣ୍ଡେ ସେଠିକି ଯିବୁ କୁଆଡ଼ୁ, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ଅଭିଳାଷ କରୁଛୁ !

ବିଦ୍ୟାଧର-

ମା’ ! ମୋତେ ବାରଣ କରନା, ମୁଁ ନିଶ୍ଚୟ ରାଜାଙ୍କ ଅଭିଳାଷ ପୂର୍ଣ୍ଣ କରି ପିତାଙ୍କୁ କାରାମୁକ୍ତ କରିବି । ମା’ ! ମୁଁ କ୍ଷତ୍ରିୟ-ସନ୍ତାନ । ଜୀବିତ ଥାଉଁ ଥାଉଁ ପିତା ମୋର କାରାଦଣ୍ଡ ଭୋଗ କରିବେ, ଏହା କଦାପି ହେବ ନାହିଁ । ତୁମ୍ଭେ କୌଣସି ବିଷୟକୁ ଭାବନା କର ନା । ମୁଁ ଯାହାଙ୍କ ଆସ୍ଥାନ ଓ କାଣ୍ଡ ପାଇଁ ଯିବି ସେହି ପ୍ରଭୁ ସତ୍ୟନାରାୟଣ ମୋତେ ସହାୟ ହେବେ । ଯାଉଛି ମୁଁ ବର୍ତ୍ତମାନ ରାଜାଙ୍କଠାରୁ ଅନୁମତି ନେଇ ରତ୍ନାବତୀପୁର ଯିବି ।

କାଦମ୍ବିନୀ-

(ସ୍ୱଗତ) ଭଗବାନ୍ ! ପୁଣି ଏ କି ବିପଦ, ମୁଁ କାହିଁକି ବିଦ୍ୟାଧର ଆଗରେ ଏ କଥା ପ୍ରକାଶ କଲି । ସ୍ୱାମୀ କାରାରୁଦ୍ଧ ହେଲେ, ମୋ ଧନମାଳୀକି ଦେଖି ସବୁ ଦୁଃଖ ପାସୋରିଥାନ୍ତି । ଏ ତ ଅମାନିଆ, ଏକ ଜିଦି ଧରିଲାଣି । ମୁଁ କ’ଣ କରିବି ? କୁଆଡ଼କୁ ଏକୁଟିଆ ପଠାଇ ଦେଇ ନିଶ୍ଚିନ୍ତ ହୋଇ ବସିବି ।

ବିଦ୍ୟାଧର-

ମା’ ! ତୂନୀ ହେଲେ କାହିଁକି ? କ’ଣ ଏତେ ଭାବୁଛନ୍ତି ? ଦିଅ, ତୁମ୍ଭ ପଦଧୂଳି ଦେଇ ଏ ଅଭାଗା ସନ୍ତାନକୁ ଆନନ୍ଦରେ ବିଦାୟ ଦିଅ ।

କାଦମ୍ବିନୀ-

ବାପ ! ତୁ ଅଜ୍ଞାନ ବାଳକ । ଯେଉଁ କଥାକୁ ପିତା ତୋର ଭୟ କଲେ, ତୁ ସେ କାର୍ଯ୍ୟ ପୂରଣ କରିବାକୁ ସାହସ କରୁଛୁ । ବାପ ! ମୋ ସାନକୁହା ମାନ । ଭଗବାନ ତ ଯାହା ବିପଦ ଦେବାର ଦେଲେଣି, ତୁ ପୁଣି ଛାଡ଼ିଯାଇ ମୋତେ ଆଉ ଦୁଃଖ-ସାଗରରେ ଭସାଇ ଦେ’ନା । ବାପ ! ସେ ବଡ଼ ଅସାଧ୍ୟ କଥା ।

ବିଦ୍ୟାଧର-

ମା’ ! ସାଧ୍ୟ ହେଉ ବା ଅସାଧ୍ୟ ହେଉ, ମୁଁ ମରେ ବା ବଞ୍ଚେ ନିଶ୍ଚୟ ରାଜ-ଅଭିଳାଷ ପୂର୍ଣ୍ଣ କରି ପିତାଙ୍କୁ କାରାମୁକ୍ତ କରିବି । ଦିଅ ଦିଅ, ତୁମ୍ଭ ପାଦଧୂଳି ଦେଇ ମୋତେ ଆଶୀର୍ବାଦ କର, ଯେପରି ନିର୍ବିଘ୍ନରେ ସଦନକୁ ଫେରିଆସେ । ଯାଉଛି ମା’, ମୋତେ ବାଧା ଦିଅ ନା । (ପ୍ରସ୍ଥାନ)

କାଦମ୍ବିନୀ-

ମୁଁ ତ ଆଚ୍ଛା କଥା କଲି । ଏ ତ ଏକ ଜିଦି ଧରିଲାଣି ! ହେ ଠାକୁରେ ! ମୋ ପୁତ୍ରକୁ ମୋଠାରୁ ଅନ୍ତର କରନା ।(ପ୍ରସ୍ଥାନ)

 

ପ୍ରଥମ ଅଙ୍କ ଦ୍ୱିତୀୟ ଦୃଶ୍ୟ

( ସନାତନ, ଦୁର୍ବୁଦ୍ଧି ସିଂହ; ବଟୁକ, ସାଧ ବିଦ୍ୟାଧର )

 

ରାଜା-

 

ଦୁର୍ବୁଦ୍ଧି ସିଂହ ! ମୋର ସକଳ ଆଶା ଭରସା ବ୍ୟର୍ଥ ହୋଇଥିଲା । କିନ୍ତୁ ତୁମ୍ଭେ ମୋର ଆଶା ଦୀପରେ ଘୃତଧାର ଦେଇ ହୃଦୟରେ ଅସୀମ ଆନନ୍ଦ ଜାଗରିତ କରିଛି । ଯାଅ ନିର୍ବିଘ୍ନରେ କାର୍ଯ୍ୟ ସମ୍ପନ୍ନ କର।

ଗୀତ

ଯାଅ ବୀର କର ଉପକାର

ସୁବର୍ଣ୍ଣ କାଣ୍ଡ ଆସ୍ଥାନ ଆଣ ତତପରରେ

ବହୁଦିନେ ବହୁଜନେ

ପଠାଇଲି ନାନା ସ୍ଥାନେ

ନ ଫେରିଲେ କେହି ଜଣେ

ଘେନି ସମାଚାର ରେ । ୧ ।

ରତ୍ନାବତୀପୁର ପଥ

ନାହିଁ କେ ଦେଖିଲା ଲୋକେ

ଯେ ଆଣିଦେବ ସଙ୍କେତ (ତାକୁ)

ଦେବି ରାଜ୍ୟ ଭାର ରେ । ୨ ।

ଅପୁତ୍ରିକ ଲାଗି ସଦା

ହୃଦୟ ଲାଗିଲାଣି ବ୍ୟଥା

ନାରାୟଣ ପୂଜା ଶ୍ରଦ୍ଧା

ବଳିଛି ମୋ ମନରେ । ୩ ।

ବତ୍ସ ! ଆଉ ସଙ୍ଗରେ କିଏ ଯିବ, ଧନ ସମ୍ପଦ କ’ଣ ଲୋଡ଼ା ?

ଦୁର୍ବୁଦ୍ଧି-

 

ମହାରାଜ ! ଅଜଣା ପଥ ବିବେଚନା କରି ଯାହା ଦେବେ । ଆଉ ଅନ୍ୟଲୋକ ମୋର ଆବଶ୍ୟକ ନାହିଁ କେବଳ ମୋର ବିଶ୍ୱସ୍ଥ ବନ୍ଧୁ ବଟୁକ ସଙ୍ଗରେ ଯିବ ।

ବଟୁକ-

 

ମହାରାଜ ! ଆପଣ ଖାଲି ବୃଥାରେ ଗୁଡ଼ାଏ ଲୋକସାନରେ ପଡ଼ିଗଲେ । ଆମ୍ଭଙ୍କୁ ଯଦି ଏ କଥା ଆଗରୁ ଜଣାଥାଆନ୍ତା ତେବେ କ’ଣ ଆଜିଯାଏ ମାମଲତ ଥାଆନ୍ତା କି ?

ରାଜା-

 

ଗତସ୍ୟ ଶୋଚନା ନାସ୍ତି । ବର୍ତ୍ତମାନ ଯା କର୍ତ୍ତବ୍ୟ ତା’ କର । ତୁମ୍ଭେମାନେ ଏହିଠାରେ ଥାଅ, ମୁଁ ଧନାଗାରରୁ ଧନ ମଗାଇ ଦେଉଛି।

ବଟୁକ-

 

(ଦୁର୍ବୁଦ୍ଧି ପ୍ରତି) ଆଜ୍ଞା, ଆପଣ କହୁନାହାନ୍ତି ଖାଇବା ସରଞ୍ଜାମ ଯାହା ଦେବେତ ଦେବେ, ଭାଙ୍ଗ ଗଞ୍ଜେଇ ଅନ୍ତତଃ ଗାଡ଼ିଏ ଖଣ୍ଡେ ନବା ଦର୍କାର। ପାହାଡ଼ିଆ ପଥ, ମଣିଷ ଥଣ୍ଡା ହୋଇଯିବ ।

ଦୁର୍ବୁଦ୍ଧି-

 

ଆରେ ଗଡ଼ଜାତରେ ଆର ରକମ ଜିନିଷ ସବୁ ମିଳେ । କିଛି ଅଭାବ ପଡ଼ିବ ନାହିଁ ।

ବଟୁକ-

 

ତା ହେଲେ ଆଉ ପରୁଆ କ’ଣ । ଖାଲି ତ ମଉଜି, ମଉଜି ଉପରେ ମଉଜି ହେବ । ଆଜ୍ଞା, ମହାରାଜଙ୍କୁ କହନ୍ତୁ ଆମ୍ଭେ କ’ଣ ପଦବ୍ରଜରେ ଯିବା, କଣ୍ଟା ଝଣ୍ଟାରେ ଗୋଡ଼ ଫୁଟି ଚାନ୍ଦି ଉଠିଯିବ ।

ଦୁର୍ବୁଦ୍ଧି-

 

ମାହାରାଜ ! ଆମ୍ଭମାନଙ୍କ ପାଇଁ କୌଣସି ଯାନବାହାନର ଆବଶ୍ୟକ ।

ରାଜା-

 

ଅତି ଦୁର୍ଗମ ସେ ପଥ ! ପଦବ୍ରଜ ଛଡ଼ା କୌଣସି ଯାନ ବାହାନରେ ଯିବା ତେତେ ସୁବିଧାଜନକ ନୁହେଁ ।

 

(ଦୂତର ପ୍ରବେଶ ଓ ଅଭିବାଦନ)

ରାଜା-

 

କି ସମ୍ବାଦ ?

ଦୂତ-

 

ମହାରାଜ ! ଦ୍ୱାରଦେଶରେ ମନ୍ତ୍ରୀ ମହାଶୟଙ୍କ ପୁତ୍ର ସାଧୁବିଦ୍ୟାଧର ଦଣ୍ଡାୟମାନ ହୋଇ ଛାମୁଙ୍କ ଦର୍ଶନ ଅପେକ୍ଷା କରୁଛନ୍ତି ।

ରାଜା-

 

ଆଚ୍ଛା, ଆସିବାକୁ ଆଜ୍ଞା ଦିଅ ।

ଦୂତ-

 

ଯେ ଆଜ୍ଞା ମହାରାଜ ।(ପ୍ରସ୍ଥାନ)

ରାଜା-

 

ସାଧୁବିଦ୍ୟାଧରର ଏଠାକୁ ଆସିବା ଅଭିପ୍ରାୟ କ’ଣ ? ବୋଧହୁଏ ପିତା କାରାରୁଦ୍ଧ ହେବାରୁ କିଛି କହିବାକୁ ଆସିଛ ।

ଦୁର୍ବୁଦ୍ଧି-

 

ଆଜ୍ଞା, ସେଇଆ ସମ୍ଭବ ।

 

(ସାଧୁ ବିଦ୍ୟାଧର ପ୍ରବେଶି ଅଭିବାଦନ ପୂର୍ବକ)

ରାଜା-

 

ଚିରଂଜୀବୀ ହୁଅ, ବତ୍ସ ! ଆସିବାର ଉଦ୍ଦେଶ୍ୟ କ’ଣ ?

ବିଦ୍ୟାଧର-

 

ମହାରାଜ ! ସ୍ୱର୍ଣ୍ଣକାଣ୍ଡ, ସ୍ୱର୍ଣ୍ଣ ଆସ୍ଥାନ ଆଣିବାକୁ ମୁଁ ନିଜେ ଯିବି, ଏଥିଯୋଗୁଁ ଛାମୁଙ୍କ ଅନୁମତି ନେବାପାଇଁ ଆସିଛି ।

ରାଜା-

 

ଅସମ୍ଭବ, ତୁ ସାମାନ୍ୟ ବାଳକ, ତୋର ଶକ୍ତି କାହିଁ ? ଯେଉଁ କାର୍ଯ୍ୟକୁ ତୋର ପିତା ଅକ୍ଷମ, ତୁ କି ସେ କାର୍ଯ୍ୟ ପୂର୍ଣ୍ଣ କରିପାରିବୁ ?

ବିଦ୍ୟାଧର-

 

ମହାରାଜଙ୍କ କୃପା ହେଲେ ନିଶ୍ଚୟ ମୁଁ ପ୍ରାଣପ୍ରଣେ ଚେଷ୍ଟା କରି ଆପଣଙ୍କ ଅଭିଳାଷ ପୂର୍ଣ୍ଣ କରିବି, ଦୟାକରି ମୋତେ ଅନୁମତି ଦିଅନ୍ତୁ।

ରାଜା-

 

ସାଧୁ ବିଦ୍ୟାଧର ! ତୋର କୋମଳ ପ୍ରାଣରେ ଏତେଦୂର କଷ୍ଟ ଦେବାକୁ ମୋର ଇଚ୍ଛା ନୁହେଁ । ତୁ ସାମାନ୍ୟ ବାଳକ, ସେ ଗୁରୁତର କାର୍ଯ୍ୟ ତୋଦ୍ୱାରା ସାଧିତ ହେବା କଷ୍ଟକର ।

ବିଦ୍ୟାଧର-

 

ମହାରାଜ ! ପିତା ମୋର କାରାରୁଦ୍ଧ, ମାତା ମୋର ପିତାଙ୍କ ବିଚ୍ଛେଦରେ ପାଗଳିନୀ । ଏ କଷ୍ଟ ତ ଏ ଦୁର୍ଭାଗା ଅନୁଭବ କରୁଛି, ଏପରିସ୍ଥଳେ ମୋର ନିଜ ପ୍ରାଣରେ କିଛି କଷ୍ଟ ସହିବାକୁ ମୁଁ ତିଳେମାତ୍ର କୁଣ୍ଠିତ ନୁହେଁ।

ରାଜା-

 

ବର୍ତ୍ତମାନ ରତ୍ନାବତୀପୁର ଯିବା ଉଦ୍ଦେଶ୍ୟରେ ଦୁର୍ବୁଦ୍ଧିସିଂହ ନୁଯୁକ୍ତି ହୋଇଗଲେଣି । ତୋର ଯିବାର କୌଣସି ଆବଶ୍ୟକ ପଡ଼ୁନାହିଁ । ତେବେ ତୋତେ କାହିଁକି ବୃଥା କଷ୍ଟ ଦେବି ।

ବିଦ୍ୟାଧର-

 

ମହାରାଜ ! ଯେବେ ଏ ହତଭାଗା ପ୍ରାଣରେ କଷ୍ଟ ଦେବାକୁ ମନ ନବଳୁଛି ତେବେ ମୋର ପିତାଙ୍କୁ କାରାମୁକ୍ତ କରନ୍ତୁ ।

ରାଜା-

 

ନା ମୋର ଉଦ୍ଦେଶ୍ୟ ପୂରଣ ନହେବା ପର୍ଯ୍ୟନ୍ତ ତା ହୋଇନପାରେ ।

ବିଦ୍ୟାଧର-

 

ମହାରାଜ ! ସନ୍ତାନ ପିତାମାତାଙ୍କ ଦୁର୍ଦ୍ଦଶା ସ୍ୱଚକ୍ଷୁରେ ଦେଖି ନିଜ ଜୀବନକୁ ନିରାପଦରେ ରଖିବା ଅପେକ୍ଷା ପିତାଙ୍କୁ ଉଦ୍ଧାର କରିବା ପଥରେ ପ୍ରାଣ ବିସର୍ଜନ କରିବା ମଙ୍ଗଳର କାର୍ଯ୍ୟ । ମୁଁ କ୍ଷତ୍ରିୟ ସନ୍ତାନ, ପୁଣି ଛାମୁଙ୍କ ବଂଶଧର । କ୍ଷତ୍ରିୟର ଉଷ୍ଣ ରକ୍ତ ବହୁଅଛି ଶିରାପ୍ରଶିରାରେ ମୋର । ବୀର ତେଜେ ଗଢ଼ା ଏ ଶରୀର, ଛାର ନିଜ ପ୍ରାଣ ଲାଗି ପଶ୍ଚାପଦ ନୋହିବି ମୁଁ କେଭେଁ, ଛାମୁଙ୍କ ଅନୁମତି ଏକାନ୍ତ ପ୍ରାର୍ଥନା ।

ରାଜା-

 

ଦୁର୍ବୁଦ୍ଧି ! ତୁମ୍ଭଙ୍କୁ ଏକଥା କିପରି ଦେଖାଯାଉଛି ।

ଦୁର୍ବୁଦ୍ଧି-

 

ଅସମ୍ଭବ, ‘‘ପାବକେ ପତଙ୍ଗ ପରି’’ ।

ବଟୁକ-

 

ଆଜ୍ଞା, ମନ୍ତ୍ରୀ ବାବୁଙ୍କ ବନ୍ଦୀ କଥା ଶୁଣି ବଉଁଶଟାଯାକ ଏକବାରେ ପାଗଳ ହୋଇଗଲେଣି । କ’ଣ କରିବେ, ଅସଲ ତ ପେଟ ଚିନ୍ତା । ମନ୍ତ୍ରୀବାବୁ ବନ୍ଦୀ ହେଲାରୁ ତ ଦାନା ଉପରେ ଚପଟ ପଡ଼ିଲାଣି । ଏମିତି ଭକାଭକି କରି ଖୁସାମତିଆ ଦି’ଚାରି କଥା କହି ଖୁବ୍ ଟାଣଟୁଣ ଦେଖାଇ କିଛି ଅର୍ଥ ମାରିନେବା କଥା । ଆପଣ କ’ଣ ବୁଝିପାରୁନାହାନ୍ତି ? ଛୁଆ ବକଟେ ‘‘କାଲିକା ନେଣ୍ଡି ଶିର ମେ ଜଟା’’ ସୁବର୍ଣ୍ଣ କାଣ୍ଡ ଆସ୍ଥାନ ମୁଣ୍ଡେଇ ଘେନି ଆସିବ, ଆପଣ କାହିଁକି ସେକଥା ଶୁଣୁଛନ୍ତି । ବୃଥାରେ ସମୟ ନଷ୍ଟ ହେଉଛି । ଆମ୍ଭେମାନେ ଅନେକ ବାଟ ଚାଲି ଯାଆନ୍ତୁଣି ।

ବିଦ୍ୟାଧର-

 

ଆପଣମାନେ କାହିଁକି ମୋର କର୍ତ୍ତବ୍ୟ ପଥ ରୁଦ୍ଧ କରୁଛନ୍ତି । ମୁଁ ତ ଆପଣଙ୍କର କିଛି କ୍ଷତି କରୁନାହିଁ ।

ବଟୁକ-

 

ତୁ କ’ଣ କ୍ଷତି କରିବୁ, ତମ ବଉଁଶଙ୍କୁ ମୃତ୍ୟୁଯୋଗ ଘଟିଲାଣି । ଏମିତି ଦାନାଅଭାବରୁ ଘରେ ମରନ୍ତ, ସେମିତି ବଣବୁଦାରେ ପଡ଼ି ମରିବ । ଯା’ରେ ବାଇଆ ଯା, ଆମର ଯାଏ କେତେ ଆସେ କେତେ । ଆମ ଉପରକୁ କାହିଁକି ଠଣକି ଉଠୁଛୁ, ଆମେ ଭଲକୁ କହୁଥିଲୁ ସିନା ।

ରାଜା-

 

ବିଦ୍ୟାଧର ! ଯେବେ ତୋର ପିତାଙ୍କୁ କାରାମୁକ୍ତ କରିବାର ଏକାନ୍ତ ଇଚ୍ଛା ତେବେ ମୋର ଉଦ୍ଦେଶ୍ୟ ପୂରଣ କର, ମୁଁ ଆନନ୍ଦରେ ଅନୁମତି ଦେଉଛି । ଭଗବାନ ତୋତେ ଯଶସ୍ୱୀ କରନ୍ତୁ କିନ୍ତୁ ଦୁର୍ବୁଦ୍ଧିସିଂହ ବ୍ୟତୀତ ଅନ୍ୟ କେହି ଯାତାୟତ ରାସ୍ତାଖର୍ଚ୍ଚ ପାଇପାରିବନାହିଁ ।

ବିଦ୍ୟାଧର-

 

ମହାରାଜ ! ମୋର ସେସବୁ କିଛି ଲୋଡ଼ା ନାହିଁ । କେବଳ ଛାମୁଙ୍କ ଆଦେଶ ଅପେକ୍ଷା ଥିଲା, ଏଥର ଚାଲିଲି ।

ରାଜା-

 

ହଉ ବତ୍ସ ! ଜଗତରେ ତୁହି ଏକା ପିତୃଭକ୍ତ । ଭଗବାନ ତୋର ମନକାମନା ପୂର୍ଣ୍ଣକରନ୍ତୁ । ଦୁର୍ବୁଦ୍ଧି ! ଆଉ ବିଳମ୍ବ କାହିଁକି ? ଯାଅ, ଯିଏ ସ୍ୱର୍ଣ୍ଣକାଣ୍ଡ ଓ ଆସ୍ଥାନ ଆଣି ମୋ ନିକଟରେ ଦେବ ତାକୁ ଅର୍ଦ୍ଧ ରାଜ୍ୟରେ ଯୁବରାଜ ପଦରେ ଅଭିଷିକ୍ତ କରିବି । ଏହା ମୋର ସତ୍ୟ, ସତ୍ୟ, ସତ୍ୟ।

( ସମସ୍ତେ ଅଭିବାଦନ କରି ପ୍ରସ୍ଥାନ )

 

ପ୍ରଥମ ଅଙ୍କ ତୃତୀୟ ଦୃଶ୍ୟ

(ପ୍ରେମଶୀଳା, ଗୋବର୍ଦ୍ଧନ)

ପ୍ରେମଶୀଳା-

 

(ଚିନ୍ତିତ ଭାବେ) ଗୀତ

(ହାଇରେ ଦାରୁଣ ବିହି ଏ ଦଣ୍ଡ-ବୃତ୍ତେ)

ବିପଦ ବାରଣ ହରି ଏ ବିପଦୁ କର ପାରି

ତୁମ୍ଭେ ନ ରଖିଲେ ଦୀନା,

ନିଶ୍ଚୟ ଗଲାଟି ସରି । ପଦ ।

ଏ ମୂଢ଼ ଦସ୍ୟୁ ଦୁର୍ଦ୍ଦାନ୍ତ,      ହରିବାକୁ ମୋ ସତୀତ୍ୱ

ଧଇଁଅଛି ଦିବା ରାତ୍ର ମନେ ବିଚାରି । ୧ ।

ଯେଣେ ଅନାଉଛି ତେଣେ      ପଥ ନ ଦିଶଇ କେଣେ

ଆଶା କେ ନାହିଁଟି ଜଣେ ଭବେ ମୋହରି । ୨ ।

ଭଗବାନ ! ରାଜ କୁଳରେ ଜନ୍ମ ଦେଇ ଏ ଦସ୍ୟୁ ଆବଦ୍ଧରେ ମୋତେ ରଖିଲ । ସେ ପାଷାଣ୍ଡ ତ ମୋର ଇଜ୍ଜତ ନେବାକୁ ବାରମ୍ବାର ନାନା ପ୍ରଲୋଭନ ଦେଖାଉଛି । ମୋତେ ଏଥିରୁ ଉଦ୍ଧାର କର ।

ଗୋବର୍ଦ୍ଧନ-

 

(ପ୍ରବେଶି) ସୁନ୍ଦରୀ ! କ’ଣ ଏତେ ଭାବି ହେଉଛ । ଆଜି ବହୁଦିନର ଆଶା ପୂର୍ଣ୍ଣ କରିବି ।

 

 

(ଜନାନ୍ତିକେ)

ଆହା ! କି ସୁନ୍ଦର ରୂପ !

ଅକଳଙ୍କ ଚନ୍ଦ୍ରଜିଣା ମୁଖ ପଦ୍ମ ଗୋଟି

ନିରେଖି ଦେଖିଲେ ଥରେ ଏ ମନ ଭ୍ରମର

ହୁଏ ଆକୁଳିତ ସଦା ଚୁମ୍ବିବାକୁ ତାକୁ

ସଖି ! ଦିଅ ବାରେ ଅନୁମତି ଏ ଦାସରେ ଆଜି ପଶ୍ଚାତେ ଭୋଗିବ ନିଶ୍ଚେ ସରଗ ସମ୍ପଦ ।

ପ୍ରେମ-

 

କିଏରେ ବର୍ବର ତୁହି, କି ସାହସେ କହୁ ଏଡ଼େ ଜଘନ୍ୟ ! ବାମନ ତୁ କରୁ ଇଚ୍ଛା ଲଭିବାକୁ ସରଗର ଚାନ୍ଦ ? ଦୂର ହୁଅ ।

ଗୋବର୍ଦ୍ଧନ-

 

ସୁନ୍ଦରୀ ! ବୃଥା ଭୟ ଦେଖାଅ କାହାକୁ ? ଗୋବର୍ଦ୍ଧନ ପ୍ରେମ ଲାଗି ଦେଇପାରେ ପ୍ରାଣ ।

ପ୍ରେମ-

 

ଶୃଗାଳ ତୁ; କୁକୁର ତୁ, ଲଜ୍ଜା ନାହିଁ ତୋତେ ଯଜ୍ଞହବି ଭକ୍ଷିବାକୁ ବଳାଇଛୁ ଆଶ !

ଗୋବର୍ଦ୍ଧନ-

 

ସୁନ୍ଦରୀ ! ଏହି ତୋର ନବୀନ ଯୌବନ ।

ଫୁଟି ଉଠେ ଚୌଦିଗେ ବିସ୍ତାରି

ଚୁମ୍ବିବାକୁ ତୋ ଅଧର ସୁଧା

ଦିଅ ବାରେ ଦାସେ ଅନୁମତି ।

ପ୍ରେମ-

 

(ସ୍ୱଗତ) ହରି ! ତବ ଇଚ୍ଛା

ନାହିଁ କେହି ଭରସା ମୋହରି

କ୍ଷତ୍ରିୟ ଦୁହିତା ମୁହିଁ ରାଜକୁଳେ ଜନ୍ମ

ହେବିନାହିଁ ଦସ୍ୟୁଟାର ଅର୍ଦ୍ଧାଙ୍ଗିନୀ କେଭେ

ପ୍ରଭୁ ! କରିଅଛ ଦ୍ରୌପଦୀର ଲଜ୍ଜା ନିବାରଣ

କର ବାରେ ସେହି ଦୟା ଅଧମା ବାଳାରେ ।

ଗୋବର୍ଦ୍ଧନ-

 

ଗୀତ

( କହରେ ଛଇଳି-ବୃତ୍ତେ )

କାହିଁକି ବିମନା                  ହେଉରେ ନବୀନା

ହସି ପଦେ କଥା କହ ବାରେ ।

ବହୁଦିନୁ ଆଶା                   କରିଅଛି ଯୋଷା

ଦୟାବହି ମୋତେ ଚାହାଁ ଥରେ । ପଦ ।

ତୋ ପର ଯୁବତୀ             ହେଲେ ଅଙ୍କବତୀ

ମଣିବି ନିଜକୁ ନିଜେ କୋଟିପତି ।

କେତେ ଆଉ ନିତି                  ପାଉଥିବି ଶାସ୍ତି

ନିର୍ଦ୍ଦୟ ଆଉ ତୁ ହୁଅନାରେ । ୧ ।

ଆରେ ରସବତୀ                  କର ତୁ ସୁଦୟା

ଦାସ ପ୍ରତି ଆଉ ନ କରଟି ମାୟା ।

ଛାଇ ପରି ତୋର                  ପଛେ ପଛେ ଥିବି

ଆସ୍ତି ନାସ୍ତି ପଦେ କହି ଯାରେ । ୨ ।

ସୁନ୍ଦରୀ ! ମନ୍ମଥ ଜ୍ୱାଳାରେ ଏ ପ୍ରାଣ ଅଧୈର୍ଯ୍ୟ ହୋଇପଡ଼ିଲାଣି । ଦୟାକରି ଏ ପ୍ରେମ ପିପାସୀକି ତୋ କୋଳରେ ଆଶ୍ରୟ ଦେଇ ଏ ଜୀବନର ଅତୃପ୍ତ ତୃଷ୍ଣା ମେଣ୍ଟଣ କର ।

ପ୍ରେମ-

 

ଗୀତ

(ଦୟାନିଧି ଦୟାପଦ ନାହିଁକି-ବୃତ୍ତେ)

ନାଗରବର ମୋହର       ଘେନ ଏ ବିନତି,

ଆଜୁବର୍ଷ ଯାଏ ନ            କରିବି ତୁମ୍ଭ ପ୍ରୀତି ।

ପୃବୁଁ କରିଥିଲି ପଣ,

ବାରବର୍ଷ ବାରଦିନ ହୋଇଛି ଅପୂର୍ଣ୍ଣ । ୧ ।

ନାଗର ! ଆପଣ ମୋତେ ଆଣିବା ପୂର୍ବରୁ ମୁଁ ଗୋଟିଏ ବ୍ରତ ପାଳନ କରିଥିଲି । ସେଥିରେ ବାରବର୍ଷ ବାରଦିନ ପର୍ଯ୍ୟନ୍ତ କୌଣସି ପାପକାର୍ଯ୍ୟ ନକରି ଦେବ ଉପାସନା କରିବାକୁ ହେବ । ବର୍ତ୍ତମାନ ଏଗାରବର୍ଷ ୧୨ ଦିନ ପୂର୍ଣ୍ଣ ହୋଇ ଯାଇଛି । ମୋତେ ଆଉ ଏକ ବର୍ଷ କ୍ଷମା ଦିଅନ୍ତୁ ।

ଗୋବ-

 

ଏକ ବର୍ଷ, ବାରମାସ, ତିନିଶ ପଞ୍ଚଷଠି ଦିନ, ଅସମ୍ଭବ କଥା ।

ପ୍ରେମ-

 

ତୁମ୍ଭ ଛଡ଼ା ମୋର ଆଉ      କେ ଅଛି ସଂସାରେ ।

ଆଜୀବନ ବନ୍ଧା ମୁହିଁ      ତବ ପଦତଳେ ।

ବଳେ ନ ଛୁଅଁ ମୋ ଅଙ୍ଗ ।

ବେନିୟମ ହେଲେ ମୋର ବ୍ରତ ହେବ ଭଙ୍ଗ । ୨ ।

ନାଗର ! ତୁମ୍ଭ ଛଡ଼ା ଭଲା ମୋର ଅନ୍ୟ କିଏ ଅଛି ? ତୁମ୍ଭେ ଏପରି ଅସ୍ଥିର କାହିଁକି ହେଉଛ ? ଏ ବାସୀ ଚିରଦିନ ତୁମ୍ଭର ।

ଗୋବ-

 

ତା’ ସତ କିନ୍ତୁ ମନତ ବୁଝୁନାହିଁ । ତୋ ଚନ୍ଦ୍ରବଦନ ନିରୀକ୍ଷଣ କଲେ ମୁଁ ତ ଧୈର୍ଯ୍ୟ ଧରି ରହିପାରେ ନାହିଁ ।

ପ୍ରେମ-

 

ଗୀତ

ତୁମ୍ଭ ମଙ୍ଗଳ କାମନା      ସଦାଟି ମୋହର

ତୁମ୍ଭ ସୁଖେ ସୁଖିନୀ ମୁଁ      ନ ଜାଣ କି ବାର ।

ଛାର କାମ ଆଶେ ପଡ଼ି ।

ସୁକର୍ମ କଥାକୁ କେଭେ ନ ଯାଅଟି ହୁଡ଼ି । ୩ ।

ନାଗର ! ମୋର ଯେ ବ୍ରତ ଅଛି ଆଉ ଯେ କି ଦିଅଁ ଦେବତା ପୂଜା କେବଳ ତୁମ୍ଭର ମଙ୍ଗଳ ଲାଗି । ତୁମ୍ଭେ ଯେବେ ଜାଣୁ ଜାଣୁ ତହିଁରେ ବାଧା ଦେବ ତେବେ ନାଚାର । ନିଶ୍ଚୟ ଜାଣ ମୋର ବ୍ରତ ଭଙ୍ଗ ହେଲେ ଏ ପ୍ରାଣ ଆଉ ରଖିବି ନାହିଁ ।

      

ଗୋବ-

ଆଚ୍ଛା, ତୁମ୍ଭେ ମନରେ କୌଣସି କଷ୍ଟ ନକରି ନିରାପଦରେ ଥାଅ । ତୁମ୍ଭର ବ୍ରତ ଶେଷ ନହେବା ପର୍ଯ୍ୟନ୍ତ ମୁଁ ତୁମ୍ଭ ସଙ୍ଗରେ କୌଣସି ଜଞ୍ଜାଳ କରିବି ନାହିଁ । ମୁଁ ଆସୁଛି ।( ପ୍ରସ୍ଥାନ )

ପ୍ରେମ-

ଯାହା ହେଉ, ଭଗବାନ ମୋତେ ଏତକ ବୁଦ୍ଧି ଦବାରୁ ବର୍ତ୍ତମାନ ଏ ପାଷାଣ୍ଡଠାରୁ ରକ୍ଷା ପାଇଲି । ଦୟାମୟ ! କେବେ ମୋର ସୁଦିନ ହେବ, କେବେ ମୋର ପିତା ଓ ଭଗ୍ନୀ କାଞ୍ଚନବାଳାର ଦର୍ଶନ ପାଇ ହୃଦୟ ବେଦନା ନିବାରଣ କରିବି ।( ପ୍ରସ୍ଥାନ )

 

ଦ୍ୱିତୀୟ ଅଙ୍କ ପ୍ରଥମ ଦୃଶ୍ୟ

( ଅନ୍ଧ ସୌଦାଗର, କନକମାଳି ସାଧବାଣୀ, ସୁବଳ, ସୁଦାମ, ଅନିରୁଦ୍ଧ )

 

ସୌଦାଗର-

 

ନାତୁଣୀ ! ଆଜି କି ବାର ହେଲା କହିଲୁ ?

କନକ-

 

ଅଜା । ଆଜି ପରା କାଦୁଆ ମଙ୍ଗଳବାର । ବାଟ ମଙ୍ଗଳାଙ୍କ ପାଖରେ ସାତବର୍ଣ୍ଣ ପିଠାପଣା ନାଗି ଦିଆଯିବ । ଘରେ ଏତେ ଆରଦୋଳି ଲାଗିଛି, ତୁ କ’ଣ କିଛି ବୁଝିପାରୁନାହୁଁ ।

ସୌଦାଗର-

 

କଅଣ, କଅଣ, ଆଲୋ କ’ଣ ଆରଦୋଳି ଲାଗିଛିଲୋ । ଆଲୋ ତମ ବଉଁଶକୁ କ’ଣ ବିପକ୍ଷ ବୁଦ୍ଧି ଘୋଟିଲାଣି କିଲୋ ଆଲୋ ତମକୁ କ’ଣ ଧରମ ଛାଡ଼ି ଗଲାଣିକି ଲୋ । ପିଲାମାନେ ଆଜିକି ସାତଦିନ ହେଲା ନିଜ ନିଜ ବ୍ୟବସାୟ ଉପରକୁ ଗଲେ ତାଙ୍କର ଫେରିବା ଦେଖାନାହିଁ । ଏ ପଞ୍ଚପ୍ରାଣ ପିଲାଙ୍କ ଭାବନାରେ ଚକଟି ମନ୍ଥି ହୋଇଯାଉଛି । ତମ ବଉଁଶଙ୍କର କାଦୁଆ ମଙ୍ଗଳାର ପୂଜା ହୋଇ ନିର୍ଦ୍ଧୂମ ପିଠାପଣା ତିଆରି ଲାଗିଛି । ଆଚ୍ଛା ପିଠାପଣା ହେବାକୁ ଖର୍ଚ୍ଚ ଦେଲା କିଏ ? ନା ସାଇ ପଡ଼ିଶାରୁ ମାଗି ଯାଚି କରୁଛ ।

କନକ-

 

ଅଜା ! ଭଗବାନ ଆମର କୋଉ କଥାକୁ ଊଣା କରିଛନ୍ତି କି ଆମେ ପୁଣି ପଡ଼ିଶାରୁ ମାଗିଯାଚି ଆଣି ପୁଣ୍ୟପର୍ବ କରିବୁଁ । ଆମ ଦୁଆରେ କିଏ କାନି ପତାଇ ଦେଲେ ପୁଳାଏ ନେଇଯାଉଛନ୍ତି ।

ସୌଦାଗର-

 

ଆଲୋ ହେ, ତମ ବଉଁଶଙ୍କ କଥା ଶୁଣି ତ ମୋ ଅକଲ ଗୁମ୍ ହୋଇଗଲାଣି (ଜନାନ୍ତିକେ)

 

 

ଦେଖ, ମୁଁ କେତେ ଫିକର କରି, କେତେ କଷ୍ଟକରି କେତେ ଲୋକଙ୍କ ତଣ୍ଟିଚିପି ଏ ସମ୍ପତ୍ତି ଠୁଳ କରିଛି । ତେମେ ତ ସବୁ ଯୋଉ ବୁଦ୍ଧି ଧଇଲଣି ମୋତେ ତ ଖପରାରେ ଖୋଇବ । (ପ୍ରକାଶ୍ୟେ) ଏଥିର ମୂଳ ଏକ ନମ୍ବର ଦୋଷୀ ତୋ ଆଈ । ଡାକ୍ ସେ ବୁଢ଼ୀକି, ଆଜି ଧରିକରି ସାରା ବନାଇ ଦେବି । କିଛି ନକହିବାରେ ଆହା ଗିଳୁ ଗିଳୁ ବାହା ଗିଳି ଯାଉଛନ୍ତି । ଯା ଅବି ଡାକ୍ ।

କନକ-

 

ସେ କାମଧନ୍ଦା କରୁଥିବ ଅଇଛିକା କ’ଣ ଆସିବ ।

ସୌଦାଗର-

 

ରଖ ତୋ କାମ, ଅବି ଡାକି ଆଣ ।

କନକ-

 

ହଉ ଯାଉଛି (ଜନାନ୍ତିକେ) ଅଜା ଆମର ମଲା ବେଳକୁ ଏ ଧନ ସମ୍ପତ୍ତି ସବୁ ମୁଣ୍ଡେଇ କରି ନେଇଯିବ । (ପ୍ରସ୍ଥାନ)

ସୌଦାଗର-

 

ଆଜି ଆଉ ରକ୍ଷା ନାହିଁ, ଆଜି ତାଙ୍କ ରାହା ତାଙ୍କୁ କରିଦେବି । ଏ ସେରେକେଟି ବୁଢ଼ୀ ନାଟର ଗୋବର୍ଦ୍ଧନ । ସାରା ବନାଇ ଦେଲେ ସମସ୍ତେ ଜବତ୍ । ଏ ଟୋକୀ ଗଲାନା କେଉଁଠି ଛପି ଯାଇଛି । ଗଲୁ ହଇଲୋ ହେ।

ସାଧବାଣୀ-

 

(ପ୍ରବେଶି) କିହୋ ! କାହିଁକି ଏତେ ଡାକରା ପଡ଼ିଛି କି ? କେଉଁଠି ଟିକିଏ ଉଠେଇ ବସେଇ ଦବନାହିଁ ? କ’ଣ କହିବଟି !

ସୌଦାଗର-

 

କାହିଁକି, କଅଣ ଏମିତି କାମ ବଳେଇ ଯାଉଛି କି ?

ସାଧବାଣୀ-

 

ଆଜି ପରା ମଙ୍ଗଳାଙ୍କ ବ୍ରତ, ପିଠାପଣା ବାର ନିଟକୁଟି କାମ, ତମକୁ କ’ଣ ମାଲୁମ ନାହିଁ ।

ସୌଦାଗର-

 

ହେ ମୁଁ ଅନ୍ଧ ହେଲି ବୋଲି ମୋତେ ଆଉ ବୁକା ପରି ଭାବ ନା । ମୋତେ ସବୁ ମାଲୁମ ଅଛି, ମୁଁ ସବୁ ଜାଣିଛି । ଆଲୋ, ମୁଁ ଏତେ କଷ୍ଟକରି ଧନ ଅର୍ଜିଛି କ’ଣ ତେମେ ଏପରି ଅସତ୍ ବ୍ୟବହାର କରି ଉଡ଼େଇବ । ମୁଁ ସଫା କହି ଦେଉଛି ଯଦି ତମର ନବାବୀଗିରିରେ ଚଳିବାକୁ ଇଚ୍ଛା, ତମ ରାଆ ତେମେ କରିନିଅ ।

ସାଧବାଣୀ-

 

ଆମର ରାଆ କ’ଣ କରିବୁ, କ’ଣ ପର ଦୁଆରକୁ ମୁଲ ଲାଗିବାକୁ ଯିବୁ ।

ସୌଦାଗର-

 

ଆଲୋ ମୁଲ ଲାଗିଲେ କ’ଣ ଅଣେଇ ହୋଇପଡ଼ିଲା, ଜଙ୍ଘେ ମାଟି ଖୋଳିଲେ ପଇସାଟିଏ ମିଳିବା କଥା କଷ୍ଟ, ତେମେ ଭଲା ଆଜି ମୋ ପାଣ୍ଠିରୁ କେତେ ଖର୍ଚ୍ଚ ପକାଇ ଦେଉଛ ।

ସାଧବାଣୀ-

 

କ’ଣ, କେତେ ଖର୍ଚ୍ଚ ହୋଇଛି, କାହିଁ ହେଇ ହେଇ ଗୋଟାଏ ଟଙ୍କା ହେଲେ ଖୁବ୍ ।

ସୌଦାଗର-

 

(ମୁଣ୍ଡରେ ହାତ ଦେଇ) କଅଣ, ଗୋଟାଏ ଟଙ୍କା, ଦିଇଟା ଅଧୁଲି, ଚାରିଟା ଏଡ଼େ ଏଡ଼େ ସୁଉକି, ଆଠଟା ଦୋ’ଣି, ଷୋଳଅଣା, ଚଉଷଠି ପଇସା, ଶଏ ଅଠେଇଶି ଅଧଲା, ଏକଶ ବୟାନବେ ପାହୁଲା, ଗୋଟାଏ ପାହିଲିରେ ପାହିଲିଏ । ତମକୁ ଆଉ ଭଲ ଯୋଗ ନାହିଁରେ ବାବା । ଅନାମତ ଗୋଟାଏ ଟଙ୍କା ଖର୍ଚ୍ଚ କରି ଦେଇଛ ।

 

 

ତିରିଶ ବତିଶ ପ୍ରାଣୀ କୁଟୁମ୍ବକୁ ଏକାବେଳକେ ଗୋଟାଏ ଟଙ୍କା, ଆଉ ହବ ନାହିଁ, ହବ ନାହିଁ । ତମର ସତ କେମିତି ବଳିଲା; ଏକାବେଳକେ ଗୋଟାଏ ଟଙ୍କା ପିଠାପଣାରେ ଉଡ଼ାଇ ଦେଲ ? ନାଇଁ, ନାଇଁ, ତେମେ କମେଇଥିଲେ କ’ଣ ଏଡ଼େ କୋହଳ ମୁଠା କରିଥାଆନ୍ତ କି ? ଏତ ପର ହାଣିବା କୋଡ଼ି ବାହାରେ ବାହାରେ ଯାଉଛି । ଧନ କେମିତିକା ଜିନିଷ, ସେ ମଣିଷ ହାତକୁ କେମିତି ଆସେ ତା ଜାଣ ?

ସାଧବାଣୀ-

 

ତେମେ ସବୁ ଜାଣ କ’ଣ କହିଲ ମୁଁ ଶୁଣେ ।

ସୌଦାଗର-

 

ଗୀତ

ମାୟା ସଂସାରରେ ସାର ଏକା ସମ୍ପଦ

ଥିଲେ ନ ପଡ଼େ ପ୍ରାଣୀଠାରେ ଆପଦ । ପଦ।

ଧନେ ବଢ଼ଇ ମାନ            ଧନେ ଦିଶଇ ଜ୍ଞାନ

ଧନେ ଅର୍ଜନ ବିଭୁ ଶ୍ରୀପଦ ।୧।

ଆଲୋ ! ଭଗବାନଙ୍କ ଶ୍ରୀମୁଖ ବଦନ ଶୁଣ ।

‘‘ଧନ ଅର୍ଜନେ ଧର୍ମ କରି

ଧର୍ମେ ପ୍ରାପତ ନରହରି ।’’

ତୁ ତ ଧନକୁ ସବୁ ମୋର ଏମିତି ଉଡ଼ାଇ ଦବୁ ମୁଁ ଘର କରିବି କ’ଣ?

                              

 

ସାଧବାଣୀ-

 

ମୁଁ ଭଲା ଅସତ୍ ଖର୍ଚ୍ଚ କ’ଣ କଲି ? ଓଷା ବ୍ରତ, ପୁଣ୍ୟପର୍ବ ହେବ ନାହିଁ, ଧନକୁ ସାଇତି କରି ରଖିଥିବ, ମଲାବେଳେ ସବୁ ମୁଣ୍ଡେଇ କରି ନେଇଯିବ । ଯେତେଦିନ ପର୍ଯ୍ୟନ୍ତ ଗୋଡ଼ହାତ ଚଳୁଥିବ ଖାଇପିଇ ମଉଜ କରିବା ଦରକାର।

ସୌଦାଗର-

 

ଯା, ଯା, ମୋ ଆଗରେ ଥଣ୍ଟ ହଲେଇ କଥା କହନା, ଧନ ମୋର ଜୀବନ, ଧନ ମୋର ପ୍ରାଣ, ଧନ ମୋର ସତେଇଶ ପୁରୁଷର ପୁଣ୍ୟଫଳ, ତାର ଖର୍ଚ୍ଚ ମୁଁ ଦେଖିବି ନାହିଁ ବରଂ ତାର ବୃଦ୍ଧି ଦେଖିବାକୁ ସବୁବେଳେ କାମନା।

ସାଧବାଣୀ-

 

ସେଇ ସକାଶେ ପରା ଅନ୍ଧ ହୋଇ ବସିଛ, ଆଉ ଖର୍ଚ୍ଚ ଦେଖିବ କୋଉଠୁ ।

ସୌଦାଗର-

 

ହଇଲୋ ! ତୁ ମତେ କଥାରେ କଥାରେ ଅନ୍ଧ କରିସାରିଲୁଣି । ଆଲୋ ! ମୁଁ ଅନ୍ଧ ନୁହେଁ; ତୁମ ଢଙ୍ଗଢାଙ୍ଗ ଦେଖି ଅନ୍ଧ ହୋଇଗଲିଣି । ଯା, ଯା, ଆଉଦିନେ ଏପରି ବଦଖର୍ଚ୍ଚ କରିବୁ ନାହିଁ, ଭୋଗ ସଇଲାଣି ତ ?

ସାଧବାଣୀ-

 

ସରିନାହିଁ, ଅଇଛିକା ହବ ।

ସୌଦାଗର-

 

ଭୋଗ ହୋଇ ସାରିଲେ ମୋ କତିକି ଘେନି ଆସିବୁ । ମୁଁ ପିଲାଙ୍କ ପାଇଁ ଆଉ ମୋ ପାଇଁ ରଖି ତମକୁ ସବୁ ଏଇଠି ବାଣ୍ଟିବୁଣ୍ଟି ଦେବି, ଏକଥା ଯେମିତି ତାକିଦ ଜାଣିବ ।

ସାଧବାଣୀ-

 

‘‘ହୁଳହୁଳି ପକାଇଲାବେଳକୁ ତୁଣ୍ଡରେ ଘା, କଜିଆ କଲାବେଳକୁ ଷୋଳ ପୁଅର ମା’ ।’’

 

 

ଧନ ଖର୍ଚ୍ଚକୁ ଭାରି କାଇଦା, ଆଉ ଭାଗ ମାଡ଼ି ବସିଲା ବେଳକୁ ସବୁ ମୁଁ, ୟାରି କଥାକୁ ଡରି ପଡ଼ିଛି, ପୁଣ୍ୟପର୍ବ ହେଲା, ବାରଲୋକ ଆସି ହାତ ପତେଇବେ, ଦେଲେ ନେଲେ ସିନା ସଂସାରରେ ଭଲ କହିବେ । ମୋର ୟା କଥା କିଏ ଶୁଣୁଛି, ମା’ ମଙ୍ଗଳା ମୋର ପିଲାଙ୍କୁ ଆଜି ଆଣି ଘରେ ପହଞ୍ଚାଇବେ କି ? କଥା କହୁଁ କହୁଁ ଦିନ ଯିବ, ଯାଏ ଲୋ ମା’, ଅଥାର ହାଣ୍ଡିଟାକୁ ବସେଇ ଦେଇ ଆସିଥିଲି କ’ଣ ହେଲା ଦେଖେ ।(ପ୍ରସ୍ଥାନ)

ସୌଦାଗର-

 

ଗୋଟାଏ ଟଙ୍କା ଖର୍ଚ୍ଚରେ ପକାଇ ଦେଲା ଅନାମତ ଟଙ୍କାଟାଏ, ହେ ଧନ, ହେ ଟଙ୍କା ତୁମ୍ଭେ ଯେବେ ଏ ଜୀବ ଥାଉଁଥାଉଁ ଖର୍ଚ୍ଚରେ ପଡ଼ିଯିବ, ଜାଣିବି ମୋ କର୍ମ ବାଙ୍କ ପଡ଼ିଲା ।

କନକ-

 

ଅଜା ! କେତେ ସେହି ଟଙ୍କା ଟଙ୍କା ହଉଛୁ, ତୋତେ ଚିଡ଼ି ମାଡ଼ୁନାହିଁ ।

ସୌଦାଗର-

 

ଆଲୋ ! (ଜିଭ କାମୁଡ଼ି ପକାଇ)

ପ୍ରଭାତେ ଯଃ ସ୍ମରେନ୍ନିତ୍ୟଂ ଟଙ୍କା ଟଙ୍କାକ୍ଷର ହୟଂ ।

ଆପଦ ସ୍ତସ୍ୟ ନଶ୍ୟନ୍ତି ତମଃ ସୂର୍ଯ୍ୟୋଦୟେ ଯଥା ॥

ଏଇଟା କିଏ ଅଇଲା କିରେ, ପିଲାଏ ଆସିଲେ କି ? ଧନ ଆଗରେ ଅଛି ନା ପଛରେ । (ସୁବଳ, ସୁଦାମ, ଅନିରୁଦ୍ଧର ପ୍ରବେଶ ଓ ଅଭିବାଦନ )

ସୌଦାଗର-

 

ବାପରେ ! ତୁମ୍ଭମାନଙ୍କର ଆସିବା ବିଳମ୍ବ ହେତୁ ଯେ କି ସନ୍ତାପରେ ପଡ଼ିଥିଲି ତା ଦୟାମୟଙ୍କୁ ଗୋଚର । ଯାହାହେଉ, ଠାକୁରେ ବଡ଼ ଲୋକ, ତୁମ୍ଭମାନଙ୍କୁ ଖୁସିରେ ଆଣି ଘରେ ପହଞ୍ଚାଇଲେ ଏଇ ଯଥେଷ୍ଟ । ତୁମ୍ଭେମାନେ ଯଦି ଆଜି ନଆସିଥାନ୍ତ ତେବେ ଏ ପ୍ରାଣ ଛାଡ଼ି ଯାଇଥାନ୍ତା । କ’ଣ ଧନ କେତେ ପାଇଲ ? ଗାଡ଼ିରେ ଆସୁଛି ନା ହାତେ ହାତେ ଆଣିଛ ? କ’ଣ ଚିଜ ନା ସୁଦ୍ ଟଙ୍କା ।

ସୁଦାମ-

 

ପିତା ! ଆମ୍ଭେମାନେ ପଥିକମାନଙ୍କୁ ଧରିଆଣି ତାର ପ୍ରାଣ ବିନାଶ କରି ଧନ ସବୁ ଲୁଣ୍ଠନ କରିବାଦ୍ୱାରା ଏକଥା ଚାରିଆଡ଼େ ରାଷ୍ଟ୍ର ହୋଇଗଲାଣି । ଆଉ ପଥିକମାନେ ଏ ବାଟଦେଇ ଆସୁନାହାନ୍ତି ।

ସୌଦାଗର-

 

ନୀରବ

ସୁବଳ-

 

ପିତା ! ଆମ୍ଭେମାନେ ଅନେକ ପରିଶ୍ରମ କରି ବିଫଳ ପ୍ରଯତ୍ନ ହେଲୁ । ଖାଦ୍ୟ ସାମଗ୍ରୀ ଯାହା ନେଇଥିଲୁ ତା ସମସ୍ତ ଶେଷ ହୋଇଯିବାରୁ ଗୃହକୁ ଫେରି ଆସିଲୁ ।

ସୌଦାଗର-

 

ଧନ ତ ହାତରେ ଚଢ଼ୁ ନଥିଲା, ଭୋଜନ ହେଉଥିଲା କିଆଁ ? ଘରୁ କ’ଣ ବାନ୍ଧିବୁନ୍ଧି ନେଇଥିଲ ବଣରେ ବଣଭୋଜି କରିବ ବୋଲି ?

ଅନୁରୁଦ୍ଧ-

 

ନଖାଇ ନପିଇ କ’ଣ ବଣରେ ବୁଲୁଥାନ୍ତୁ ।

ସୌଦାଗର-

 

ମଣିଷ ଉପାସ ରହି କେଇଟା ମରିଗଲେଣି, ତମେ ମରିଯାଇଥାନ୍ତ । ରାମଚନ୍ଦ୍ର ମହାପ୍ରଭୁ ଯେ ଭାଇ ଭାରିଯାକୁ ସଙ୍ଗରେ ଘେନି ଚୌଦବର୍ଷ ବନବାସ କରିଥିଲେ, ତାଙ୍କ ସଙ୍ଗରେ କେତେଯାଏ ଚୂଡ଼ାଚାଉଳ ବନ୍ଧା ହୋଇ ଯାଇଥିଲା । ତେମେ ଏବେ କେଉଁ ନବାବୀ ପିଲା କି ? ବଣରେ କ’ଣ ଫଳମୂଳ ମିଳିଲା ନାହିଁ । ହେ, ତମକୁ ସବୁ ବିପକ୍ଷ ବୃଦ୍ଧି ଘୋଟିଲାଣି କି ? ବ୍ୟବସାୟକୁ ତ ଯାଇଥିଲ କିଛି ଲବ୍‌ଧ ନାହିଁ, ତେବେ ଏତେ ବେଗରେ ଘରକୁ ଫେରି ଆସୁଥିଲ କାହିଁକି ? କ’ଣ ଭାରିଯାମାନଙ୍କୁ ମୁଖଚନ୍ଦ୍ର ଦେଖାଇବ ବୋଲି । କେଡ଼େ ଠୋସରେ କହିଦେଲେ (ବ୍ୟଙ୍ଗୋକ୍ତି) ନାହିଁ ନାହିଁ ପାଇଲୁ ନାହିଁ ।

ସୁବଳ-

 

ପାଇଲୁ ତ ନାହିଁ, ଆଉ କ’ଣ କହିଥାଆନ୍ତୁ ।

ସୌଦାଗର-

 

ଚୁପ୍, ଚୁପ୍, ଚୁପ୍ କଥାରେ ଜବାବ ଦେଉଛୁ ।

 

 

ଗୀତ

( ମୂଷା ଖାଇଛୁ ଗଞ୍ଜାଇ-ବୃତ୍ତେ )

ଆରେ ହେଲ ଏଡ଼ିକି ନିଦକା      କୁଳକଳଙ୍କା

ନଜାଣ କି ଦସ୍ୟୁ ବୃତ୍ତି ଆମ୍ଭର ଜୀବିକା । ପଦ।

ଉପାୟ ନ କଲେ ଧନ            ନିଷେଧ ଏଥି ଭୋଜନ

ନିଷେଧ ପତ୍ନୀ ଦର୍ଶନ ଘେନ ମହାଶିକ୍ଷା । ୧ ।

ମର ବଞ୍ଚ ଯାଅ ବନେ            ନ ରଖିବି ମୋ ସଦନେ

ଫେରିଲେଟି ବିନା ଧନେ ନ ପାଇବ ରକ୍ଷା । ୨ ।

 

 

କୁଳାଙ୍ଗାର ! ଯେଉଁବାଟେ ଆସିଥିଲ ସେଇବାଟେ ଫେର ।

ସୁବଳ-

 

ପିତା ! ଆଜି ଅବେଳ ହେଲାଣି, କାଲି ପ୍ରଭାତରୁ ଉଠି ନିଜ ନିଜ କାର୍ଯ୍ୟରେ ଯିବୁ ।

ସୌଦାଗର-

 

ଆଜି କ’ଣ ଭାରିଜାମାନଙ୍କୁ ସଙ୍ଖୋଳି ଯିବ । ମୁଁ କହୁଛି ମୋ କଥାରେ ପାଟି ଫିଟାନା; ତେମେ ସବୁ ଏଠୁ ଗଲେ ମୁଁ ଜଳଗ୍ରହଣ କରିବି ।

ସୁବଳ-

 

(ସୁଦାମ ପ୍ରତି) ଚାଲ୍, ଆଉ ଭାବିଲେ କ’ଣ ହେବ । ପିତା ! ଆମ୍ଭେମାନେ ଆସୁଛୁ । (ପ୍ରଣିପାତ)

ସୌଦାଗର-

 

କ’ଣ, ଏତେବେଳଯାଏ ଯାଇନାହଁ ? ଯା, ଯା, ତୁମ୍ଭମାନଙ୍କର ମୁହଁ ଚାହିଁକରି ନାହିଁ । (ପୁତ୍ରଗଣଙ୍କ ପ୍ରସ୍ଥାନ)

ସୌଦାଗର-

 

ନାତୁଣୀ ! କ’ଣ ଏମାନେ ସମସ୍ତେ ଗଲେ ।

କନକ-

 

ତୁ ଯିବାକୁ କହିଲୁ ଯାଆନ୍ତେ ନାହିଁ ଥାଆନ୍ତେ ।

ସୌଦାଗର-

 

ଗଣ୍ଡାଏ ଖାଇପିଇ ହେଲେ ଯାଇଥାଆନ୍ତେ, ଉପାସଟାରେ ଗଲେ କିଛି ଭଲ ହେଲା ନାହିଁ ।

କନକ-

 

ତେବେ ମୁଁ କ’ଣ ଡାକିବି, ପ୍ରାୟ ଅଳ୍ପ ବାଟ ଯାଇଥିବେ ।

ସୌଦାଗର-

 

ନା, ନା, ଆଉ ପଛରେ ଡାକିବା ଦରକାର ନାହିଁ । ଦିହକୁ କଷ୍ଟ ନଆସିଲେ କାର୍ଯ୍ୟରେ ଯଶ ହେବ ନାହିଁ । ଚାଲିବୁଟି ଏମାନଙ୍କ ସାଙ୍ଗରେ ବକର ବକର ହୋଇ ମୋ ହଂସା ଉଡ଼ିଗଲାଣି । ମୋତେ କଂସାଏ ତୋରାଣି ଆଉ ପିଠା-ଫିଟା କ’ଣ ଦିଟା ଦେ ।

କନକ-

 

ତୋ ପେଟଟି ଆଗ ।(ପ୍ରସ୍ଥାନ)

 

ଦ୍ୱିତୀୟ ଅଙ୍କ ଦ୍ୱିତୀୟ ଦୃଶ୍ୟ

(ବଟୁକ, ଦୁର୍ବୁଦ୍ଧି, ଗୋବର୍ଦ୍ଧନ)

ଦୁର୍ବୁଦ୍ଧି-

 

ବଟୁକ, ବଟୁକ ।

ବଟୁକ-

 

ଆଜ୍ଞା !

ଦୁର୍ବୁଦ୍ଧି-

 

ଆମ୍ଭେ ସ୍ୱର୍ଣ୍ଣକାଣ୍ଡ, ଆସ୍ଥାନ ଯାହାକି ନିର୍ବିଘ୍ନରେ ଆଣି ରାଜାଙ୍କୁ ଦେଇ ରାଜ୍ୟ ପାଇବାର ଆଶା କରିଥିଲୁ ତା କେତେକ ଅବସନ୍ଧି ପଡ଼ିଗଲାଣି, କ’ଣ କରିବା କହିଲୁ ?

ବଟୁକ-

 

ଆଜ୍ଞା, ଅବସନ୍ଧି କ’ଣ ? ମୁଁ ତ କିଛି ବୁଝିପାରୁନାହିଁ ।

ଦୁର୍ବୁଦ୍ଧି-

 

ଆରେ, ଗୋଟାଏ କାର୍ଯ୍ୟକୁ ସିନା ଆମ୍ଭେ ଦୁଇଜଣ ବନ୍ଦୋବସ୍ତ ହୋଇଥିଲେ । ବର୍ତ୍ତମାନ ଯେ ବିଦ୍ୟାଧର ସେହି କାର୍ଯ୍ୟକୁ ବାହାରିଲାଣି । ଯଦି ଭାଗ୍ୟକୁ କାଣ୍ଡ ଆସ୍ଥାନ ତା ହସ୍ତଗତ ହୁଏ ଆମ କଥା ସଇଲା ତ ।

ବଟୁକ-

 

ହଁ, ହଁ, ତା ନିଶ୍ଚୟ । ଆମ୍ଭେମାନେ ଯେତେଗୁଡ଼ାଏ ଟାଣ ରାଜାଙ୍କ ନିକଟରେ ଦେଖାଇଛୁ ତା ସବୁ ଚୂର୍ଣ୍ଣ ହୋଇଯିବ; ଆଉ ତ ଗ୍ରାମରେ ମୁହଁ ଦେଖାଇବାକୁ ହୋଇପାରିବନାହିଁ । ଉପାୟ କ’ଣ କରିବା କହନ୍ତୁ ତ ।

ଦୁର୍ବୁଦ୍ଧି-

 

ଉପାୟ କ’ଣ, ବିଦ୍ୟାଧରର ପ୍ରାଣ ବିନାଶ କରିବା ଏକମାତ୍ର ଉପାୟ ।

ବଟୁକ-

 

ଆଜ୍ଞା, ଜଣକ ତଣ୍ଟି ଚିପିଦବାକୁ ଏ ବନ୍ଦା କିଛି ଅକ୍ଷମ ନୁହଁ । ବିଦ୍ୟାଧର ପରି ଦିଅଣ୍ଡା ପିଲା ଖାଲି ବିଧା ମାରି ଚୂର୍ଣ୍ଣୀଭୂତ କରିଦେବି । ଆଉ ଭାବନା କାହିଁକି ? ଏଇ ତ ତାର ଆସିବା ପଥ । ଏଇଠି ଟିକିଏ ବସିଗଲେ ମାମଲତ ଫତେ ହୋଇଯିବ । ‘‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି।’’

ଦୁର୍ବୁଦ୍ଧି-

 

(ପିଠିରେ ହାତମାରି) ନହେଲେ କି ବଟୁକ ଭାଇ, ତେବେ ଟିକିଏ ଛପିଯିବା ଦରକାର; କାଳେ ମୂର୍ଖର ଦୃଷ୍ଟି ଆମ୍ଭ ଉପରେ ପଡ଼ିଲେ ପଳାଇଯିବ ।

ବଟୁକ-

 

ଚାଲନ୍ତୁ ନା, ଏ ଗଛ ଆଢ଼ୁଆଳରେ ଲୁଚିଯିବା । ବୋତଲ ପରା ଆଣିଥିଲେ ? ଦିଅନ୍ତୁ ନା, ଗ୍ଳାସେ ଗ୍ଳାସେ ପକାଇ ଦେଇ ତର ହୋଇଯିବା ।

ଦୁର୍ବୁଦ୍ଧି-

 

ମାଲ ଭରା ଅଛି, ମନଇଚ୍ଛା ପକା ।

 

 

(ଗଛ ଆଢ଼ୁଆଳରେ ବସି ମଦ୍ୟପାନ)

ବଟୁକ-

 

ହଁ, ଠିକ୍ କରିଦେବା ବଟୁକ-ଏଇ ଆଇଲା କି ?

ବଟୁକ-

 

କାହିଁ ?

ଗୋବ-

 

(ପ୍ରବେଶି-ସ୍ୱଗତ) ଦୁଇଜଣ ପଥିକ ଏ ବାଟ ଦେଇ ଆସିବାର ଦେଖାଗଲା, ମୁଁ ତ ଅନେକ ଦୂରରୁ ଠିକ୍ ଲକ୍ଷ୍ୟ କରିଥିଲି ଆଉଗଲେ କେଉଁଆଡ଼େ ? ସେମାନଙ୍କ ପାଖରେ ମାମଲତ ଥିବାର ଖୁବ୍ ଅନୁମାନ ହେଉଥିଲା, ମୋତେ ଦେଖି ଏହି ସ୍ଥାନରେ କାହିଁ ଲୁଚିଗଲେ କି ? ଟିକିଏ ସନ୍ଧାନ କରି ଦେଖେଁ ।

ଦୁର୍ବୁଦ୍ଧି-

 

ବଟୁକ ! ଏ ତ ସେ ନୁହେଁ ରେ, ଆଉ ଗୋଟିଏ କିଏ ? କ’ଣ କରିବାରେ।

ବଟୁକ-

 

ଆମେ କ୍ଷତ୍ରି ପିଲା, ଭୟ କଅଣ ? ଆପଣ ଆଗରେ ବାହାରି ପଡ଼ନ୍ତୁ ନା ।

ଦୁର୍ବୁଦ୍ଧି-

 

ତାକୁ ଦେଖି ମୋ ଗୋଡ଼ ହାତ ଚଳୁନାହିଁ ।

ବଟୁକ-

 

ଆଉ ଗିଲାସେ ପକାଇ ଦିଅନ୍ତୁ, ଭୟ କ’ଣ ?

 

 

ଡରିଗଲେ ମୂର୍ଖ ଓଜ ଠଉରାଇ ନେବ ।(ପ୍ରକାଶ୍ୟେ ଗଳା ଖଙ୍କାରିବା)

ଗୋବ-

 

ଏଇଠି ତ, କେଉଁଠି ଅଛନ୍ତି କିଏ ରେ ମୂର୍ଖ ?

ବଟୁକ-

 

ତୋ ବାପା-

ଗୋବ-

 

ହଁ, ଏଡ଼େ ସାହସ, ମୋ ରାଜ୍ୟରେ ପଶି ମୋ ସଙ୍ଗେ ଥଟ୍ଟା, ଜାଣୁ ମୂର୍ଖ ମୁଁ କିଏ ?

ବଟୁକ-

 

ଜାଣେମ, ଆମେ କ୍ଷତ୍ରି ପିଲା, ଆମକୁ ଆଉ କଅଣ କରି ଭାବେ ନା, ଆମେ ତୋତେ ଡରି ପଡ଼ିନାହୁଁ ।

ଗୋବ-

 

ଏଡ଼େ ସାହସ ।

ବଟୁକ-

 

(ଦୁର୍ବୁଦ୍ଧି ପ୍ରତି) ଆପଣ ଆସନ୍ତୁ ତ, ମୂର୍ଖ କେଡ଼େ ଦିମାକରେ କଥା କହୁଛି । (ଗୋବର୍ଦ୍ଧନ ପ୍ରତି) କିରେ କଅଣ କରି ଆମ୍ଭଙ୍କୁ ପାଇଛୁ କି, ଦେଖିବୁ ବର୍ତ୍ତମାନ । (ଭିଡ଼ାଭିଡ଼ି ହୋଇ ଉଭୟ ବାହାରିବା )

ଗୋବ-

 

ଗୀତ

(ଦେଖ ଏ ଦାନବ କୁଳ ବୃତ୍ତେ)

ଆରେ ରେ ପାଷାଣ୍ଡ ମୂଢ଼ ଏଡ଼ିକି ତୁମ୍ଭର କାଢ଼

ମାରି ମାଡ଼ ହାତ ଗୋଡ଼ ଭାଙ୍ଗି ଚୂନା କରିବି ।

ମୋର ରାଜ୍ୟେ ପଶି            ମୋତେ ନାଶିବା ଆଶେ

ଆକ୍ରମଣ କର ମୂର୍ଖ କେଉଁ ସାହସେ ।

ବିଷଧର ସଙ୍ଗେ ଭେକ            ଯୁଝିବରେ ଅଲାଜୁକ

ରଖିବଟି କେଉଁ ବାପ ଧରି ହଣ୍ଡା ଚିରିବି ।୧।

ସିଂହ ଗହ୍ୱରରେ ପଶି ଶୃଗାଳ ପଲ

ମନାସିଛ ଖେଳିବାକୁ ଗେଲ ନକଲ

ନିଶ୍ଚେ ଆଜି ନିରିମୂଳ            କରିବି ରେ କୁଳାଙ୍ଗାର

କୁଳ ମଳ ଖୋଜି ଗୋଟି ଗୋଟି କରି ମାରିବି । ୨ ।

 

 

ଆସ ମୂର୍ଖ ! ତୁମ୍ଭମାନଙ୍କର ଅନ୍ତିମ ସମୟ ନିକଟ ହେଲାଣି (ଯୁଦ୍ଧୋଦ୍‌ଯୋଗ)

ଦୁର୍ବୁଦ୍ଧି-

 

(ବଟୁକ ପ୍ରତି) ଧର ମୂର୍ଖକୁ ।

 

 

(ଉଭୟ ଯୁଦ୍ଧରେ ଦୁର୍ବୁଦ୍ଧି ଓ ବଟୁକ ପରାସ୍ତ ହୋଇ ବନ୍ଦୀ)

ଗୋବ-

 

ଚାଲ ମୂର୍ଖ ! ତୁମ୍ଭମାନଙ୍କର କଲା କର୍ମର ସମୁଚିତ ଦଣ୍ଡ ଭୋଗକର ।

 

ଦ୍ୱିତୀୟ ଅଙ୍କ ତୃତୀୟ ଦୃଶ୍ୟ

(ସାଧ ବିଦ୍ୟାଧର, ପ୍ରେମଶୀଳା, ଗୋବର୍ଦ୍ଧନ)

 

ବିଦ୍ୟାଧର-

ଓଃ, କେଡ଼େ ବଡ଼ ଜଙ୍ଗଲଟାଏ, ୟାକୁ ଅତିକ୍ରମ କରିପାରିବିନାହିଁ । ବେଳ ତ ଆସି ଅବସାନ ହେଲା, ପ୍ରାୟ ମୁଁ ଯେତେ ଆଗକୁ ଆଗକୁ ଯାଉଛି ଜଙ୍ଗଲ ତ ତେତେ ବେଶି ବେଶି ପରି ଜଣାଯାଉଛି, କଅଣ କରିବି, ପଛକୁ ଫେରିଗଲେ ମଧ୍ୟ ବେଳ ପାଇବିନାହିଁ, ହେ ଭଗବାନ ! ତୁମ୍ଭେ ହିଁ ଭରସା । ମୋତେ ଏ ଶଙ୍କଟରୁ ଉଦ୍ଧାର କର, ମୁଁ ତ ଏ ଜଙ୍ଗଲରେ ପଦାର୍ପଣ କଲାବେଳଠାରୁ ଜଣେ କେହି ଲୋକକୁ ତ ଦେଖିବାକୁ ପାଉନାହିଁ । କ’ଣ କରିବି ? ହେ ହରି !

 

ଗୀତ

(ପଥ ଦେଖାଇ ଦିଅ ହରି-ବୃତ୍ତେ)

କର ଏ ବିପଦୁ ପାରି ହରି

ତୁମ୍ଭେ ଦୀନନାଥ            ଅନାଥର ନାଥ

ନ ଶୁଣ ଦୀନ ଗୁହାରି । ପଦ ।

ଅଦେଖା ରାଇଜେ ନାହିଁ କେହି ଚିହ୍ନା,

ବୁଲି ବୁଲି ମୁହିଁ ହେଲି ବାଟ ବଣା,

ବିଭୁ ହେ କରୁଣା            ନ କର ହେ ଊଣା

ଦିଅ ବାରେ କୃପାବାରି । ୧ ।

ଅସ୍ତାଚଳେ ଗଲେଣି ତ ଦିନନାଥ

ଅନ୍ଧକାର ଦିଶିଲାଣି ବନପଥ

ନାହିଁ କେହି ଆଶ୍ରା            ସହାୟ ଭରସା

ବୁଡ଼ିଲା ମୋ ଆଶାତରୀ । ୨ ।

 

ଚାହୁଁ ଚାହୁଁ ଅନ୍ଧକାର ମାଡ଼ିଆସିଲାଣି, ଆଉ ଆଗକୁ ପଛକୁ ଖୋଜେ ଯିବାର ଶକ୍ତି ମଧ୍ୟ ନାହିଁ । ଚାରିଆଡ଼େ ହିଂସ୍ର ଜନ୍ତୁମାନଙ୍କର କର୍କଶ ଚିତ୍କାର ଶୁଣି ଲୋମ ଟାଙ୍କୁରି ଉଠୁଛି । କ’ଣ କରିବି, କେଉଁଆଡ଼େ ଯିବି ।

 

ଗୀତ

ଆଠତାଳି-(ପ୍ରାଣଧନ ପ୍ରାଣେ ଆଉ-ବୃତ୍ତେ)

କି ବୁଦ୍ଧି କରିବି ଆଉ କେଣିକି ମୁଁ ଯିବି ।

କେମନ୍ତେ ବିଜନ ବନେ

ପ୍ରାଣ ମୁଁ ଧରିବି (ଆଜ) ।

ଯେଣେ ଚାହେଁ ତେଣେ ଶୂନ୍ୟ

ଦିଶୁଅଛି ତ୍ରିଭୁବନ ।

ସରିଯିବ ମୋର ଦିନ

କା ଆଗେ କହିବି (ଏ ଦୁଃଖ) । ୧ ।

ହରି ହେ ବିପଦ ବନ୍ଧୁ

ଉଦ୍ଧାର ଘୋର ବିପଦୁଁ

ନ ଦେଲେ ଟି କୃପାବିନ୍ଦୁ

ନିଶ୍ଚୟ ମରିବି ( ଏ ବନେ ) । ୨ ।

 

ପ୍ରଭୁ ହେ ବିପଦ ଭଞ୍ଜନ ଆରତ ନାଶନ ହରି ! ଦୟାପଦ ନାହିଁକି ତୁମ୍ଭର, ଅଜ୍ଞାନ ମୁଁ ନଜାଣଇ ଭକ୍ତି ସ୍ତୁତି, କୃପାକର ଦୀନ ଅକଞ୍ଚନେ । (ସାଶ୍ଚର୍ଯ୍ୟେ) ଏ କ’ଣ ଏ ଆଲୋକ ରେଖାଟି ଦେଖାହେଲା କେଉଁଠି । ଏଠିତ ଘର ଗ୍ରାମ ଲେଶମାତ୍ର ଚିହ୍ନ ନଥିଲା, ତେବେ କ’ଣ କେହି ପଥିକ ଏ ବାଟଦେଇ ଆସୁଛି, ଆଚ୍ଛା, ଟିକିଏ ଆଗକୁ ଯାଏଁ (ଟିକେ ଯାଇ) ନା ଆଲୋକଟିତ ଏକ ସ୍ଥାନରେ ଅଛି, ସେହି ଆଲୋକ ନିକଟକୁ ଯିବି । (କ୍ଷଣ ପରେ) ଏ ତ ଗୋଟିଏ ସୁନ୍ଦର କୋଠାଟିଏ । ଏହାର ସନ୍ନିକର୍ଷରେ ତ ଅନ୍ୟ କୌଣସି ଘର ନାହିଁ । ଭୟାନକ ଜଙ୍ଗଲ ମଧ୍ୟରେ ଏ କାହାର ବାସସ୍ଥାନ । ଏ ଘରର ଖିଡ଼ିକି ବାଟେ ଘର ଭିତରର ଆଲୋକଟି ବାହାରକୁ ଦେଖାଯାଉଛି; ଯାହା ଭାଗ୍ୟରେ ଘଟୁ ପଛେ ଯାଉଛି ଏ ସ୍ଥାନରେ ଡାକିବି (ପ୍ରକାଶ୍ୟେ) କିଏ ଅଛି?

ନେପଥ୍ୟେ-

କିଏ ଡାକୁଛି ?

ବିଦ୍ୟା-

ମୁଁ ଜଣେ ପଥଶ୍ରାନ୍ତ ପଥିକ, ଜଙ୍ଗଲ ମଧ୍ୟରେ ଯାଉଁ ଯାଉଁ ରାତ୍ର ହୋଇଗଲା, କୌଣସି ଯିବାର ସୁବିଧା ନପାଇ ଏ ପର୍ଯ୍ୟନ୍ତ ଧାଇଁ ଆସିଛି । ମୋତେ ଆଜି ରାତ୍ରକ ଏ ସ୍ଥାନରେ ରହିବାକୁ ଅନୁମତି ଦିଅ, ମୁଁ ପ୍ରଭାତରୁ ଉଠି ମୋ ନିଜ କାର୍ଯ୍ୟରେ ଚାଲିଯିବି । ଦୟାକରି ଟିକିଏ ଦ୍ୱାରଖୋଲ, ମୋତେ ବଡ଼ ଭୟ ଜଣାଯାଉଛି ।

ପ୍ରେମ-

ପଥିକ ! ଏଠାରେ ଆଶ୍ରୟ ନେବା ତେଡ଼େ ସୁବିଧାଜନକ ନୁହେଁ । ଏ ଗୋଟିଏ ଦସ୍ୟୁର ଗୃହ ବରଂ ମହରଗରୁ ଆସି କାନ୍ତାରରେ ପଡ଼ିବା କଥା । ଦସ୍ୟୁ ବର୍ତ୍ତମାନ ନିଜ କାର୍ଯ୍ୟରେ ବାହାରକୁ ଯାଇଛି ବର୍ତ୍ତମାନ ଫେରି ଆସୁଥିବ । ତୁମ୍ଭେ ତୁମ୍ଭର ଆତ୍ମରକ୍ଷା କରିବାର ଚେଷ୍ଟା ଅନ୍ୟ ସ୍ଥାନରେ କର ।

ବିଦ୍ୟା-

ତୁମ୍ଭେ କିଏ ! ଟିକିଏ ଦ୍ୱାରଖୋଲ, ବାହାରେ ହିଂସ୍ରଜନ୍ତୁମାନଙ୍କ କୋଳାହଳରେ ମୋତେ ଭାରି ଭୟ ହେଉଛି । ମୁଁ ତୁମ୍ଭ କଥାରୁ ଅନୁମାନ କରୁଛି ତୁମ୍ଭେ କୌଣସି ଭଦ୍ରଲୋକର କନ୍ୟା; ବୋଧହୁଏ ଆଶ୍ରୟ ଦେବାଦ୍ୱାରା ତୁମ୍ଭର କିଛି ଅନିଷ୍ଟ ଘଟିବ ସନ୍ଦେହ ଆସୁଛି । ତା କେଭେ ନୁହେଁ, ମୋର ଜୀବନ ତୁମ୍ଭେ ରକ୍ଷା କଲେ ମୁଁ ତୁମ୍ଭଠାରେ ଚିରଋଣୀ ହୋଇରହିବି ।

ପ୍ରେମ-

(ଦ୍ୱାରଖୋଲି ବିଦ୍ୟାଧରକୁ ଆଡ଼ ହେବା)

 

(ସ୍ୱଗତ) ଏ ତ କେହି ରାଜପୁତ୍ର ହେବ ପରା, ଏ ସ୍ଥାନକୁ ଏ ଆସିଲେ କିପରି (ପ୍ରକାଶ୍ୟେ ଲାଜ ଲାଜ ହୋଇ) ଏଣେ କି କାର୍ଯ୍ୟରେ କେଉଁଆଡ଼େ ଯାଇଥିଲେ, ଏ ବାଟ ଦେଇ ତ ଦିନରେ କେହି ପଥିକ ଯିବା ଆସିବା କରନ୍ତି ନାହିଁ । ଆପଣ ଏକାକୀ ପୁଣି ଏତେ ରାତ୍ରିରେ ଏଠାକୁ ଆସିଲେ କିପରି ?

ବିଦ୍ୟା-

ସୁନ୍ଦରୀ ! ମୁଁ ସନାତନ ରାଜାଙ୍କ ମନ୍ତ୍ରୀ ପୁତ୍ର ବିଦ୍ୟାଧର, ରାଜାଙ୍କର ଗୋଟିଏ ଉଦ୍ଦେଶ୍ୟ ପୂରଣ କରିବା ଅଭିଳାଷରେ ବିଦେଶ ଆସୁ ଆସୁ ଏହି ଜଙ୍ଗଲ ପଥରେ ସନ୍ଧ୍ୟା ହୋଇଗଲା, ଅନ୍ୟଆଡ଼କୁ ଯିବାର କୌଣସି ଉପାୟ ନପାଇ ତୁମ୍ଭ ଦ୍ୱାରପର୍ଯ୍ୟନ୍ତ ଆସିଲି । ଦୟାକରି ଆଜି ରାତ୍ରକ କେଉଁଠାରେ ମୋତେ ଆଶ୍ରୟ ଦିଅ । ମୁଁ ବିପଦଗ୍ରସ୍ତ ହୋଇ ତୁମ୍ଭର ସାକ୍ଷାତ୍‌ ପାଇଛି, ମୁଁ ତୁମ୍ଭ ନିକଟରେ ଚିରଋଣୀ; ମୋତେ ନିରାଶ କରନା।

ପ୍ରେମ-

ବିଦେଶୀ ! ଆପଣଙ୍କୁ ଆଶ୍ରୟ ଦେବାକୁ ମୁଁ କୁଣ୍ଠିତ ନୁହେଁ; କିନ୍ତୁ ଏ ଯେଉଁ ଦସ୍ୟୁର ଗୃହ ସେ ବଡ଼ ମନ୍ଦ ପ୍ରକୃତିର ଲୋକ । ଦୈନିକ କେତେ କେତେ ଲୋକମାନଙ୍କୁ ଆଣି କାରାରୁଦ୍ଧ କରୁଛି । ଆପଣ ଯେବେ ତାର ଦୃଷ୍ଟି ପଥରେ ପଡ଼ନ୍ତି ତେବେ ମୋର ଆଉ ଆପଣଙ୍କର ଦୁର୍ଦ୍ଦଶା କହିଲେ ନ ସରେ । ଚୋର ଚଣ୍ଡାଳଠାରୁ ବଳିପଡ଼ିବ ।

ବିଦ୍ୟା-

ସୁନ୍ଦରୀ ! ତୁମ୍ଭେ ସେ ଦସ୍ୟୁର କ’ଣ ହୁଅ ?

ପ୍ରେମ-

ମୁଁ ତାର କିଛି ହୁଏ ନାହିଁ । ମୁଁ ଜଣେ ଅନାଥିନୀ ଓ ଅଭାଗିନୀ । ମୋର ଆପଣଙ୍କୁ କିଛି ମନର ଅଭିଳାଷ କହିବାକୁ ଅଛି । ଅନୁମତି ଦେଲେ ପ୍ରକାଶ କରନ୍ତି ।

ବିଦ୍ୟା-

ଏ ଅନୁଗତ ଜନକୁ ଅନୁମତି ମାଗିବାକୁ କି ପ୍ରୟୋଜନ, ଯାହା ମନର ଅଭିଳାଷ ପ୍ରକାଶକର ।

ପ୍ରେମ -

ଗୀତ

(ନାଗରି ! କାଲି ମୁଁ ଜାଣିଲି ସିନା-ବୃତ୍ତେ)

ନାଗର ! ମୋ ବିନତି ଘେନା କର

ତୁମ୍ଭ ଚନ୍ଦ୍ରମୁଖ            ଦେଖି କୋଟି ଦୁଃଖ

ଗଲାଟି ନିଶ୍ଚେ ମୋହର । ପଦ ।

ମୁହିଁ ଅତି ଦୀନା            ଅନାଥିନୀ ବାମା

ନିଆଶ୍ରୟାଟି ମାତର ।

ତବ ପଦ ଦାସୀ            ହେବା ଅଭିଳାଷୀ

ବଳିଛି ମାନସ ମୋର । ୧ ।

ଏ ନବ ଯୌବନ            ହୁଏ ଅକାରଣ

କାରଣ ତୁମେଟି କର ।

ବାରଣ କଲେଟି            ଯିବ ପ୍ରାଣ ଛୁଟି

ଶରଣ ନେଲି ତୁମ୍ଭର । ୨ ।

 

ନାଗର ! ତୁମ୍ଭ ରୂପରେ ମୁଁ ମୁଗ୍‌ଧା ହୋଇ ତୁମ୍ଭଙ୍କୁ ପତିତ୍ୱରେ ବରଣ କରିବାକୁ ମନ ବଳାଇଛି । ମୋ ପ୍ରତି ପ୍ରସନ୍ନ ହୋଇ ଅନୁମତି ପ୍ରଦାନ କରନ୍ତୁ।

ବିଦ୍ୟା -

ଗୀତ

(ବସନ୍ତେ ଭ୍ରମୁ କାନନ-ବୃତ୍ତେ)

କହରେ ରାସ ରଙ୍ଗିନୀ            ଅଟୁ କାହାର ନନ୍ଦିନୀ

ସାହା କେ ତୋହର ଏଥି ଭାଷ ବହନ

ବିଜନ କାନନେ ବାସ            କିମ୍ପା କରିଛୁ ନାରୀଶ

ସନ୍ଦେହ ମୋ ମନକୁ ନାଶ ରମାରତନ ।

ନାମ କିସ ପ୍ରକାଶ କର

ଗ୍ରାମ କେଉଁ ଦେଶେ କହ ରସିକାବର । ୧ ।

 

ପ୍ରେମ-

ଶୁଣ ହେ ନବ ନାଗର            ରତ୍ନାବତୀ ଅଧୀଶ୍ୱର

ପିଅର ନାମ ମୋ ଚନ୍ଦ୍ରକାନ୍ତ ରାଜନ ।

ମୁହିଁ ତ ଜ୍ୟେଷ୍ଠା ଦୁହିତା            କଷଣ ଦେଇଛି ଧାତା

କହିଲେ ସେ କଥା ପିଣ୍ଡୁ ଛାଡ଼େ ପରାଣ ।

ନାମ ମୋହର ପ୍ରେମଶୀଳା

ଅବିବାହିତାଟି ମୁହିଁ ଅଧମା ବାଳା । ୨ ।

 

ନାଗର ! ମୋ ପିତାଙ୍କର ନାମ ଚନ୍ଦ୍ରକାନ୍ତ । ଆମ୍ଭ ପିତାଙ୍କର ଆମ୍ଭେ ଦୁଇ କନ୍ୟା । ମୋର ନାମ ପ୍ରେମଶୀଳା ଓ ମୋର କନିଷ୍ଠା ଭଗିନୀର ନାମ କାଞ୍ଚନବାଳା, ଏକ ସମୟରେ ପିତା ଆମ୍ଭ ଦୁଇଜଣଙ୍କୁ ଘେନି ବାରଣାସୀ ତୀର୍ଥକୁ ଯାଇଥିଲେ । ସେଠାରେ ଏହି ଦସ୍ୟୁ ପିତାଙ୍କୁ ଯୁଦ୍ଧରେ ପରାସ୍ତ କରି ଆମ୍ଭ ଦୁଇ ଭଉଣୀଙ୍କୁ ବଳାତ୍କାରେ ଘେନି ଆସିଲା; ଆସିବା ପଥରେ ଆମ୍ଭେମାନେ ‘‘ରକ୍ଷାକର, ରକ୍ଷାକର’’ ବୋଲି ଡାକନ୍ତେ ଅନ୍ୟ ଏକଜଣ ପୁରୁଷ ମୋର କନିଷ୍ଠା ଭଗିନୀ କାଞ୍ଚନବାଳାକୁ ୟାଠାରୁ ଛଡ଼ାଇ ନେଇଗଲା, ମାତ୍ର ମୋତେ ଏ ପାଷାଣ୍ଡ ଆଣି ବିବାହ କରିବା ଉଦ୍ଦେଶ୍ୟରେ ଏଠାରେ ରଖିଛି । ନାଗର ! ମୁଁ ମିଥ୍ୟା ଛଳନା ଦେଖାଇ ଆଜି ପର୍ଯ୍ୟନ୍ତ ସେ ପାଷାଣ୍ଡ କବଳରେ ପଡ଼ି ସୁଦ୍ଧା ସତୀତ୍ୱ ହରାଇ ନାହିଁ । ମୋର ଘର ରତ୍ନାବତୀପୁର, ଆପଣ କ୍ଷତ୍ରିୟ ସନ୍ତାନ । ମୁଁ କ୍ଷତ୍ରିୟା କନ୍ୟା । ମୋର ଦୁର୍ଦ୍ଦଶା ଅବଲୋକନ କରି କ’ଣ ନ୍ୟାୟସଙ୍ଗତ ମଣନ୍ତି ? ଏ ଅଭାଗିନୀକୁ ଏ ଦସ୍ୟୁ କବଳରୁ ମୁକ୍ତ କରି ଆପଣଙ୍କ ପଦପଙ୍କଜରେ ସ୍ଥାନ ଦିଅନ୍ତୁ ।

ବିଦ୍ୟା -

ଗୀତ

ସଙ୍ଗିନୀ ସେ ଭାଗ୍ୟ କାହିଁ            ପାରିବି ଅଙ୍କ ମଣ୍ଡାଇ

ତୋହ ପରା ଚାରୁ ଚନ୍ଦ୍ରବଦନୀ ଧନୀ

ଦୁର୍ଭାଗା ମୁଁ ଅତି ଦୀନ            ବିହି ହୋଇଛି ମୋ ବାମ

କାମରେ କାମନା ନାହିଁ ମୋର ମାନିନୀ

ଯାମିନୀ ପାହିଲେ ବିଦେଶ

ଉଦ୍ଦେଶ୍ୟ ପୂରଣେ ନିଶ୍ଚେ ଯିବି ନାରୀଶ । ୩ ।

 

ସୁନ୍ଦରୀ ! ତୋହ ପରା କନକପ୍ରତିମା ଲଭିବା ଏ ପୋଡ଼ା ଭାଗ୍ୟରେ କାହିଁ, ମୁଁ ଯେଉଁ ଉଦ୍ଦେଶ୍ୟରେ ଆସିଛି, ତା ପୂରଣ ନହେବା ପର୍ଯ୍ୟନ୍ତ ଅନ୍ୟ କାମନା ନାହିଁ । ସୁନ୍ଦରି ! ତୁମ୍ଭର ନିଜ ବାସସ୍ଥାନ ପ୍ରକୃତ କ’ଣ ରତ୍ନାବତୀପୁର ? ତେବେ କହିପାରିବ କି ତୁମ୍ଭ ପିତାଙ୍କୁ ନାରାୟଣ ପ୍ରଦତ୍ତ କିଛି ଜିନିଷ ଅଛି କି? ତୁମ୍ଭେ ଯେବେ ତାଙ୍କ କନ୍ୟା ଅବଶ୍ୟ ତୁମ୍ଭଙ୍କୁ ଜଣାଥିବ ।

ପ୍ରେମ-

ମୋର ପିତା ସତ୍ୟନାରାୟଣ ଉପାସକ । ତାଙ୍କୁ ସ୍ୱର୍ଣ୍ଣକାଣ୍ଡ, ସ୍ୱର୍ଣ୍ଣ ଆସ୍ଥାନ ନାରାୟଣ ଦେଇଛନ୍ତି । ସେହି ପୂଜାରେ ଆମ୍ଭେ ଦୁଇ କନ୍ୟା ପିତାଙ୍କ କୋଳରେ ଜନ୍ମଗ୍ରହଣ କରିଥିଲୁ ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ ।

ବିଦ୍ୟା-

(ସ୍ୱଗତ) ଭଗବାନ୍ ! ମୁଁ କ’ଣ ସତେ ଶୁଭ ସମୟରେ ଗୃହରୁ ଅନୁକୂଳ କରି ଆସିଛି ? ମୋର ଆନ୍ତରିକ ଆଶା ସଫଳ ହେବ ? (ପ୍ରକାଶେ) ସୁନ୍ଦରୀ ! ମୁଁ ସେହି ସ୍ୱର୍ଣ୍ଣକାଣ୍ଡ, ଆସ୍ଥାନ ପାଇବା ଉଦ୍ଦେଶ୍ୟରେ ପ୍ରତିଜ୍ଞାବଦ୍ଧ ହୋଇଛି, ତୁମ୍ଭେ ମୋର ଆଶା ପୂର୍ଣ୍ଣ କରିପାରିବ କି ?

ପ୍ରେମ-

ଆପଣଙ୍କ ସେ ଆଶା ଅଭାଗିନୀ ପୂର୍ଣ୍ଣ କରିପାରିବ ତା’ ନୁହେଁ, କିନ୍ତୁ ଆପଣ ସ୍ୱର୍ଣ୍ଣ କାଣ୍ଡ, ସ୍ୱର୍ଣ୍ଣ ଆସ୍ଥାନ କିପରି ନିର୍ବିଘ୍ନରେ ପାଇପାରିବେ ତାର କୌଶଳ ବତାଇଦେବି ।

ବିଦ୍ୟା-

ସୁନ୍ଦରୀ ! ମୁଁ ତୁମ୍ଭଠାରେ ସେତିକି ଅନୁଗ୍ରହ ଲାଭ କରିବା ଆଶାକରେ ।

ପ୍ରେମ-

ନାଗର ! ଆପଣ ମୋର ପିତାଙ୍କର ପ୍ରିୟପୁତ୍ର ହେବା ଏକାନ୍ତ ଆବଶ୍ୟକ ।

ବିଦ୍ୟା-

କିପରି ?

ପ୍ରେମ-

ଆମ୍ଭ ଦୁଇ ଭଗିନୀକୁ ଉଦ୍ଧାର କରି ପିତାଙ୍କ ନିକଟରେ ସାକ୍ଷାତ୍‌ କରାଇବା କର୍ତ୍ତବ୍ୟ ।

ବିଦ୍ୟା-

ମୁଁ କାଞ୍ଚନ ବାଳାର ସାକ୍ଷାତ୍‌ କିପରି ପାଇବି ?

ପ୍ରେମ-

ଯେପରି ମୋତେ ପାଇଲେ । ମୁଁ ଅନୁମାନ କରୁଛି, ଆପଣଙ୍କଠାରେ ଭଗବାନ ସନ୍ତୁଷ୍ଟ ଅଛନ୍ତି, ଆପଣଙ୍କ ଉଦ୍ଦେଶ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇପାରିବ ।

ବିଦ୍ୟା-

ସୁନ୍ଦରୀ ! ତୁମ୍ଭ କଥାରୁ ମୁଁ ଅନୁମାନ କରୁଛି ତୁମ୍ଭେ କୌଣସି ଦେବୀ, ମୋତେ ମୋର ନିୟୋଜିତ ପନ୍ଥା ଅବଲୋକନ ନିମିତ୍ତ ନାନା ଉପଦେଶ ଦେବାକୁ ଏଠାରେ ସାକ୍ଷାତ୍‌ ଦେଇଛ ।

ପ୍ରେମ-

ନା, ନା, ମୁଁ ପରା ଆପଣଙ୍କ ଶ୍ରୀଚରଣ ଅଭିଳାଷୀ, ଆଉ ଅନ୍ୟକଥା ଭାବନ୍ତୁ ନାହିଁ । ମୋର ବ୍ରତ ପୂର୍ଣ୍ଣ ହୋଇ ଯାଇଥିବାରୁ ଆପଣଙ୍କ ଦର୍ଶନ ପାଇଛି, ଅନୁମତି ଦିଅନ୍ତୁ ବରମାଲ୍ୟ ଦେଇ ମୋର ଜନ୍ମ ସାର୍ଥକ କରିବି ।

ବିଦ୍ୟା-

ମୁଁ ତୁମ୍ଭର ଏ ପ୍ରଶ୍ନରେ ନିରୁତ୍ତର, ଯାହା ଇଚ୍ଛା କର ।

ପ୍ରେମ-

ଏଠାରେ ତ ବରମାଲ୍ୟ କିଛି ନାହିଁ (ପୁରୁଷର ଦୁଇହାତ ଧରି) ଏହି ଅମୂଲ୍ୟ ହାର ଦିବାନିଶି ଗଳାରେ ପିନ୍ଧିଥିବି, ଏହି ମାତ୍ର କାମନା ।

ବିଦ୍ୟା-

(ମସ୍ତକରେ ଚୁମ୍ବନ ପ୍ରଦାନ) ସଖି ! ଏ ସ୍ଥାନରୁ ଶୀଘ୍ର ଅନ୍ତର ହେବା ଦରକାର ।

ଗୋବ-

(ପ୍ରବେଶି) କେଣେ ଯିବୁ ଦୁଷ୍ଟ ? କିଏ ତୁ ଶୃଗାଳ, ସିଂହ ଗୃହେ ପଶି କରୁଅଛୁ ଶଶକଟା ନାଟ । ଏଡ଼େ ତୋ ସାହସ, । ପତ୍ନୀ ମୋର ହରିବାକୁ ବଳାଇଛୁ ଆଶ ?

ବିଦ୍ୟା-

କିଏ ତୋର ପତ୍ନୀ ?

ନିକୃଷ୍ଟ ଶ୍ୱାନ ତୁ, ଯଜ୍ଞହବି ଭକ୍ଷିବାକୁ ବଳାଇଛୁ ଆଶ ।

ଦସ୍ୟୁ ତୁହି ଦୁର୍ବୃତ୍ତ ପାମର

ଗୁପ୍ତେ ଆଣି ରାଜକନ୍ୟା ସଜା ହେଉ ଏଥି

ମୂର୍ଖ ! ଆଜି ତା’ର ପ୍ରତିଫଳ ଦେବି ମୋର ହାତେ

ଗୋବ-

ମେଞ୍ଚଡ଼ା ଖଣ୍ଡେ ତୁ ଏଡ଼େ ତୋ ସାହସ

ଯୁଝିବାକୁ ଇଚ୍ଛା ଆଜ ଗୋବର୍ଦ୍ଧନ ସଙ୍ଗେ ।

 

ଗୀତ

(କାହିଁ ଯିବୁ ପାଜି ଆଜ ମୋ କରୁ-ବୃତ୍ତେ)

ମେଞ୍ଚଡ଼ା ଖଣ୍ଡେ ତୁ ଏଡ଼େ ଦେଖାଉ ଚାତର

ଅଖାତରେ କଥା କହୁ ନାହିଁ ତୋତେ ଡର । ୧ ।

ବାମନ ହୋଇ ତୁ ହସ୍ତ ଚନ୍ଦ୍ରରେ ବଢ଼ାଉ ।

ଶୃଗାଳ ହୋଇ ତୁ ସିଂହେ କରୁଛୁ ଚଢ଼ାଉ । ୨ ।

ଧଣ୍ଡ ହୋଇ ନାଗ ପାଶେ ଦେଖାଉଛୁ ଷଣ୍ଢା ।

ମଥାପିତ୍ତ ଗାଳି ତୋତେ କରିଦେବି ଥଣ୍ଡା । ୩ ।

ଗଣ୍ଡା ଗଣ୍ଡା ତୋହ ପରି କେତେ ବୀର ଧରି ।

ମେଣ୍ଢା ପଶୁ ପରି ଷଣ୍ଢା କାଟିଛି ତାଙ୍କରି । ୪ ।

ଅଣ୍ଡା ଖଣ୍ଡେ ତୁ ମାତର ହଣ୍ଡା ତୋ ଚିରିବି ।

ଦଣ୍ଡାରେ ଶ୍ୱାନ ଶୃଗାଳ ଡାକି ଭୁଞ୍ଜାଇବି । ୫ ।

ପିଣ୍ଡେ ଯେବେ ଥାଏ ଆଶା ମାଗରେ ଶରଣ ।

ଭଣ୍ଡପଣ କଲେ ଦୁଷ୍ଟ ଲଭିବୁ ମରଣ । ୬ ।

ବିଦ୍ୟା-

ବୃଥା ଦର୍ପ ପରିହର ମୂର୍ଖ !

ଭୀରୁ ନୁହେଁ ସାଧୁ ବିଦ୍ୟାଧର

ଜାଣୁରେ ପାଷାଣ୍ଡ କ୍ଷତ୍ରିସୂତ ମୁହିଁ,

ବୀର ରକ୍ତେ ଗଢ଼ା ଏ ଶରୀର

ବୃଥା ଭୟ ଦେଖାଉ କାହାକୁ

ନାହିଁ ତୋତେ ଭୟ ମୋର ତିଳେ ।

ଗୋବର୍ଦ୍ଧନ-ଆରେ ଅଣ୍ଡା ଖଣ୍ଡେ ତୁହି,

ଏଡ଼େ ଦମ୍ଭ ତୋର ହୁଣ୍ଡା

ଦେଖ ଏହି ଶାଣିତ ଖଡ଼ଗେ

ନଣ୍ଡା ତୋତେ କରିବି ମୁଁ ଆଜ

ପାଷାଣ୍ଡ ଦେଖିବିରେ ତୋତେ

ରଖିବଟି କେଉଁ ବାପ ଆଜି ।

(ତରବାରୀ କାଢ଼ିବା)

ବିଦ୍ୟା-

ସାବଧାନ ! (ଉଭୟ ଯୁଦ୍ଧରେ ଗୋବର୍ଦ୍ଧନ ପତନ) ପ୍ରିୟେ ! ୟାକୁ ଗର୍ତ୍ତ ଖୋଳି ପୋତି ପକାଇବା ଦରକାର ।

ପ୍ରେମ-

ଯା ଇଚ୍ଛା ଆପଣଙ୍କର କରନ୍ତୁ ।

ବିଦ୍ୟା-

ତେବେ ଏ ଶବକୁ କାହାଦ୍ୱାରା ନେବା ?

ପ୍ରେମ-

ନାଥ ! ଏ ମୂର୍ଖ ଯେଉଁ ପଥିକମାନଙ୍କ ଧନ ଲୁଣ୍ଠନ କରିଆଣି ସେମାନଙ୍କୁ ବନ୍ଦୀରେ ରଖିଛି ସେହିମାନଙ୍କୁ ମୁକ୍ତିଦେଲେ ତାଙ୍କରିଦ୍ୱାରା ଏ କାର୍ଯ୍ୟ ସାଧିତ ହେବ । ପୁଣି ତୀର୍ଥ ପର୍ଯ୍ୟଟକମାନେ ଏହି ଦୁର୍ବୃତ୍ତ ଭୟରେ ତୀର୍ଥଯାତ୍ରା ବନ୍ଦ କରିଦେଇଥିଲେ ଏମାନଙ୍କ ମୁକ୍ତିରେ ଦସ୍ୟୁର ବିନାଶ ସମ୍ବାଦ ରାଷ୍ଟ୍ରହେଲେ ପଥିକମାନେ ପୂର୍ବବତ୍ ସୁଖ ସ୍ୱାଚ୍ଛନ୍ଦରେ ଯାତାୟାତ କରିପାରିବେ ।

ବିଦ୍ୟା-

ଭଲ କଥା, ଚାଲ ସେମାନେ ତ ଆମ୍ଭର କିଛି ଅନିଷ୍ଟ କରିନାହାନ୍ତି । ବରଂ ସାହାଯ୍ୟ କରିବେ ତେବେ ସେମାନଙ୍କୁ ମୁକ୍ତି କରିବା ।(ଉଭୟ ପ୍ରସ୍ଥାନ)

 

(ବନ୍ଦୀଶାଳାରୁ ବନ୍ଦୀମାନଙ୍କ ସହ ଦୁର୍ବୁଦ୍ଧି ଓ ବଟୁକ୍ ମୁକ୍ତ)

ବିଦ୍ୟା-

କି ଭାଇ ! ତୁମ୍ଭମାନଙ୍କର କାହିଁକି ଏ ଦଶା ?

ଦୁର୍ବୁଦ୍ଧି-

ବଟୁକ ଓ ମୁଁ ଆସିବା ପଥରେ ଏ ପାଷାଣ୍ଡ ଦସ୍ୟୁ ଆମ୍ଭମାନଙ୍କ ସର୍ବସ୍ୱ ଲୁଣ୍ଠନକରି ଆମ୍ଭମାନଙ୍କୁ ବଳାତ୍କାରରେ ଧରିଆଣି ବନ୍ଦୀ କଲା ।

ବିଦ୍ୟା-

ଆଉ ଚିନ୍ତା କ’ଣ, ଏବେ ତ ମୁକ୍ତ, ଯାଅ ନିଜ କାର୍ଯ୍ୟରେ ଯାଅ ।

ଦୁର୍ବୁଦ୍ଧି-

ବିଦ୍ୟାଧର ! ତୁମ୍ଭେ ଆମର ପ୍ରାଣଦାତା । ଆଉ ତୁମ୍ଭ ବିପକ୍ଷରେ କୌଣସି କାର୍ଯ୍ୟକୁ ଯିବୁ ନାହିଁ, ଯାଉଛୁ, ଗୃହକୁ ଫେରିଯିବୁ । ତୁମ୍ଭଦ୍ୱାରା ଆମ୍ଭେମାନେ ଉଦ୍ଧାର ପାଇଲୁ ସେଥିଯୋଗୁ ତୁମ୍ଭ ନିକଟରେ ଚିରଋଣୀ ହୋଇ ରହିଲୁ ।

ବିଦ୍ୟା-

ତେବେ ଏ ପାଷାଣ୍ଡର ମୃତ ପିଣ୍ଡକୁ ନେଇ ଗର୍ତ୍ତ ଖୋଳି ପୋତି ପକାଅ ।

ବଟୁକ-

ଯେ ଆଜ୍ଞା, (ମୃତପିଣ୍ଡ ନେଇ ପ୍ରସ୍ଥାନ)

ବିଦ୍ୟା-

ପ୍ରିୟେ ! ଗୋଟିଏ କଥା କହିବାକୁ ମନସ୍ଥ କରିଛି ପ୍ରକାଶ କରିବି କି ?

ପ୍ରେମ-

ନାଥ ! ଏ ଦାସୀ ନିକଟରେ ପ୍ରକାଶ କରିବାକୁ ଭୟ କାହିଁକି ? ଏ ଦାସୀ କ’ଣ ଆପଣଙ୍କ କଥାରୁ ବାହାର ।

ବିଦ୍ୟା-

ବର୍ତ୍ତମାନ କାଞ୍ଚନବାଳା ସନ୍ଧାନରେ ଯିବା ମୋର କର୍ତ୍ତବ୍ୟ, ତୁମ୍ଭଙ୍କୁ ସଙ୍ଗରେ ନେଇ ବୁଲିବା ସେତେ ସୁବିଧାଜନକ ହେଉନାହିଁ ।

ପ୍ରେମ-

ଆପଣଙ୍କୁ ଯାହା ଭଲ ଦେଖାଯିବ ତା କରିବେ । ଏ ଅଭାଗିନୀର ଆପଣଙ୍କ ଛଡ଼ା ଆଉ କେ ଅଛି । ଯଦି ଏହି ସ୍ଥାନରେ ପକାଇ ଦେଇଯିବେ ତେବେ ଆପଣଙ୍କ ପଥ ଚାହିଁ ପଡ଼ିଥିବି, ନଚେତ୍ ଯେବେ ସଙ୍ଗରେ ନେଇଯିବେ ତେବେ ଆପଣଙ୍କ ସଙ୍ଗେ ସଙ୍ଗେ ବୁଲୁଥିବି ।

ବିଦ୍ୟା-

ତୁମ୍ଭପରି କନକ ପ୍ରତିମାକୁ ସାଙ୍ଗରେ ନେଇ ଦେଶ ବିଦେଶ ବୁଲିବାଦ୍ୱାରା ନାନା ବିପଦ ଘଟିବାର ସମ୍ଭାବନା, ତୁମ୍ଭେ ଏହିଠାରେ ଥାଅ । ମୁଁ ମଧ୍ୟେ ମଧ୍ୟେ ତତ୍ତ୍ୱ ନେଉଥିବି ।

ପ୍ରେମ-

ନାଥ ! ଆପଣଙ୍କ ଉପଦେଶ ମୋର ଶିରୋଧାର୍ଯ୍ୟ । ତେବେ ଚିରସ୍ମରଣ ପାଇଁ ଏ ରତ୍ନମାଳାଟି ଆପଣଙ୍କ ଗଳାରେ ଅର୍ପଣ କଲି, ମନେରଖନ୍ତୁ ଏ ମାଳାଦ୍ୱାରା ଆପଣଙ୍କର ମହୋପକାର ସାଧିତ ହେବ । ନାଥ ! ଏ ଅଧୀନାକୁ କେଭେ ମନରୁ ଭୁଲିବେ ନାହିଁ । ଯଦି ଭୁଲନ୍ତି ତେବେ ଘୋର ଅନୁତାପ ଭୋଗ କରିବେ । (ମାଳା ପ୍ରଦାନ)

ବିଦ୍ୟା-

ପ୍ରିୟେ ! ଆଜୀବନ ମୁଁ ତୁମ୍ଭ ପାଶରେ ବନ୍ଧା ।

ପ୍ରେମ-

କିଛି ଧନ ଓ ଖାଦ୍ୟଦ୍ରବ୍ୟ ସଙ୍ଗରେ ନେଇଯାଆନ୍ତୁ ଖାଲିହାତରେ ବିଦେଶ ବୁଲିବା ସେତେ ସୁବିଧାଜନକ ନୁହେଁ ।

ବିଦ୍ୟା-

ଚାଲ, ମୋତେ ବିଦାୟ ଦିଅ, ଯେପରି ସର୍ବ ଶୁଭରେ ତୁମ୍ଭ ନିକଟକୁ ଫେରିଆସେ ।

ପ୍ରେମ-

ହଉ ଚାଲନ୍ତୁ । (ପ୍ରସ୍ଥାନ)

 

 

ତୃତୀୟ ଅଙ୍କ ପ୍ରଥମ ଦୃଶ୍ୟ

(ସୁଦାମ, ସୁବଳ, ଅନିରୁଦ୍ଧ, ସାଧୁ ବିଦ୍ୟାଧର)

 

ସୁଦାମ-

 

ସୁବଳ ! ଦେଖିଲୁ, ଦେଖ ଏ ଅନତିଦୂରରେ କିଏ ଜଣେ ପଥିକ କ’ଣ କିଛି ଧନରତ୍ନ ଘେନି ଚାଲିଛି । ଭଗବାନ୍ ଏତେଦିନେ ଆମ୍ଭମାନଙ୍କର ହୃଦୟ ବେଦନା ବୁଝିପାରିଛନ୍ତି । ଚାଲ ତାଙ୍କୁ ପଟାପଟି କରି ପିତାଙ୍କ ନିକଟକୁ ନେଇଯିବା ।

ସୁବଳ-

 

ୟା ପୁଣି ପଚାରିବାକୁ ଅଛି ? ପିତା ଯେପରି ବିରକ୍ତ ଆମ୍ଭମାନଙ୍କ ଉପରେ ଅଛନ୍ତି ଶୂନ୍ୟ ହସ୍ତରେ ଫେରିବା ଆମ୍ଭ ଭାଗ୍ୟରେ ନାହିଁ । ଚାଲନ୍ତୁ । ଶୀଘ୍ର ।

ଅନି-

 

ହଜିଲା ବଳଦ ଖୋଜିଲା ଠେଇଁ ଆଉ ଛାଡ଼ିବାକୁ ଅଛି ନା; ଶୀଘ୍ର ତତ୍ପର ହୁଅନ୍ତୁ।

ସୁଦାମ-

 

ମନେରଖ, ପଥିକ ସଙ୍ଗରେ ଏପରି ବ୍ୟବହାର କରିବ ଯେପରି ସେ ଆମ୍ଭମାନଙ୍କର କୌଣସି ଅସତ୍ ପ୍ରକୃତି ଜାଣିନପାରେ ।

ସୁବଳ-

 

ଭାଇ ସେ ତ ଆସିଗଲା ।

ସୁଦାମ-

 

ଆଗ ତାର ନାମ ଗ୍ରାମ ବୁଝି ତୁମ୍ଭେମାନେ ତାକୁ ପ୍ରଣାମ ହୋଇ ସେ ଆମ୍ଭର ଭଗିନୀ ପତି ବୋଲି ତାକୁ ପରିଚୟ ଦିଅ ।

ଅନି-

 

ସେ କଥା ଶିଖାଇବାକୁ ହେବ ନାହିଁ ।

 

 

(ପଥରେ ସାଧୁ ବିଦ୍ୟାଧରକୁ ସୁଦାମ ପ୍ରଭୃତି ଆଗ ଉଗାଳିବା)

ସୁବଳ-

 

ବାବୁ ! ଟିକେ ଅପେକ୍ଷା କରନ୍ତୁ ଆପଣ କେଉଁ ପର୍ଯ୍ୟନ୍ତ ଯିବେ ?

ବିଦ୍ୟା-

 

ବହୁତ ଦୂର ଯିବି, ଆପଣମାନେ କେଉଁଠାକୁ ଯିବେ ?

ସୁଦାମ-

 

ନାହିଁ ଆମ୍ଭମାନଙ୍କର ଘର ଏହି ନିକଟରେ । ଗୋଟିଏ ଲୋକର ସନ୍ଧାନରେ ଅନେକ ଦିନ ବୁଲି ବୁଲି ବଡ଼ କିଛି କଷ୍ଟ ଭୋଗ କଲୁଣି । ଅନୁଗ୍ରହ କରି ଆପଣଙ୍କ ନାମ, ଗ୍ରାମ ଓ ପିତାଙ୍କ ନାମ ପ୍ରକାଶ କରିବେ କି ?

ବିଦ୍ୟା-

 

(ସ୍ୱଗତ) ମୁଁ ତ ମୋ ବାଟରେ ଯାଉଛି ମୋତେ ଧରି ଏତେ ଜେରା କରିବା ଫଳ କ’ଣ ? ୟାଙ୍କ ଢଙ୍ଗଢାଙ୍ଗ କ’ଣ କେମିତି ଜଣାଯାଉଛି (ପ୍ରକାଶ୍ୟେ) ଆମଘର ମଗଧ ଦେଶେ, ମୁଁ ସନାତନ ରାଜାଙ୍କ ମନ୍ତ୍ରୀପୁତ୍ର, ମୋ ନାମ ସାଧୁ ବିଦ୍ୟାଧର ।

ସୁଦାମ-

 

ତୁମରି ନାମ ସାଧୁ ବିଦ୍ୟାଧର (କୋଳାଗ୍ରତ କରି) କ’ଣ ଚିହ୍ନିପାରୁଛ ? ସୁବଳ, ଅନିରୁଦ୍ଧ ! ସାଧୁ ଏହି !

ସୁବଳ-

 

ଭାଇ ପ୍ରଣାମ ।

ଅନି-

 

ଭାଇ ଅବଧାନ ।

ବିଦ୍ୟା-

 

(ସ୍ୱଗତ) କି ଆଶ୍ଚର୍ଯ୍ୟ କିଏ ଏମାନେ, ୟାଙ୍କୁତ ମୁଁ କେଉଁଠି କେବେ ଦେଖିନାହିଁ।

ସୁବଳ-

 

(ସାଧୁ କାନପାଖେ) ହଇହୋ ! ସେ ପରା ବଡ଼ ଭାଇ, ଦଣ୍ଡବତ କରନା ।

ସୁଦାମ-

 

ସେ ପିଲାଲୋକ ଜାଣିନାହାନ୍ତି, ବିଦ୍ୟାଧର ! ତୁମ୍ଭଲାଗି ଯେ କି କଷ୍ଟ ଆମ୍ଭେମାନେ ଭୋଗ କଲୁଣି ତା ଏ ମନ ଜାଣେ, ତୁମ୍ଭେ କାହିଁକି ଏ ବଗୁଲିଆ ବୁଦ୍ଧି କରି ବୁଲୁଛ ?

ବିଦ୍ୟା-

 

(ସ୍ୱଗତ) ଏ ସବୁ ମାୟାପରି ଜଣାଯାଉଛି (ପ୍ରକାଶ୍ୟେ) ଭାଇମାନେ ! ଆପଣ କିଏ, ମୁଁ ତ ଆପଣଙ୍କୁ କେବେ କେଉଁଠି ଦେଖିଲା ପରି ମନେହେଉନାହିଁ ।

ସୁଦାମ-

 

ପ୍ରକୃତ, ତୁମ୍ଭେ ଚିହ୍ନିପାରିବନାହିଁ, ତୁମ୍ଭର ଅତି ଶୈଶବ ଅବସ୍ଥାରେ ପିତାଙ୍କ ସାଙ୍ଗରେ ଗୟା ତୀର୍ଥକୁ ଆସିଥିଲ, ସେଠାକୁ ଆମ୍ଭର ପିତା, ମାତା ଓ ଭାଇ ଭଗିନୀମାନେ ଯାଇଥିଲୁ । ସେଠାରେ ଆମ୍ଭର ପିତା ଆଉ ତୁମ୍ଭର ପିତାଙ୍କର ସତ୍ୟ ହୋଇ ଆମ୍ଭ ଭଗିନୀଟିକୁ ତୁମ୍ଭଙ୍କୁ ସମର୍ପି ଦେଇଥିଲେ । ଅବଶ୍ୟ କୌଣସି କଥା ପ୍ରସଙ୍ଗରେ ଘରେ ତୁମ୍ଭର ପିତା ଏ କଥା ପକାଇଥିବେ ।

ବିଦ୍ୟା-

 

ଅସମ୍ଭବ, ମୁଁ ଦିନେ ମାତ୍ର ଏ କଥା କାହାଠାରୁ ଶୁଣି ନାହିଁ ।

ସୁବଳ-

 

(ସୁଦାମ ପ୍ରତି) ଭାଇ ୟାଙ୍କ ପିତାଙ୍କର ଯେବେ ସେ କଥା ସ୍ମରଣ ଥାନ୍ତା ତେବେ ଭଗିନୀ ଆମ୍ଭର ଘରଯୋଗ୍ୟା ହୋଇ କି ଘରେ ଅନୁତାପ ଭୋଗ କରୁଥାନ୍ତା ।

ସୁଦାମ-

 

ସୁବଳ ! ପ୍ରକୃତ ସେ କଥା ସେ ବଡ଼ ଲୋକ, ଭଗବାନ ତାଙ୍କୁ କୋଟି ଐଶ୍ୱର୍ଯ୍ୟ ଦେଇଛନ୍ତି । ଆମ୍ଭପରି ଗରିବଙ୍କ କଥା କାହିଁକି ତାଙ୍କ ମନେପଡ଼ିବ । ବିଦ୍ୟାଧର ତୁମ୍ଭ ବିଚ୍ଛେଦରେ ବୃଦ୍ଧ ପିତା ଆମ୍ଭର ଦିବା ନିଶି କାନ୍ଦି କାନ୍ଦି ଚକ୍ଷୁହୀନ ହୋଇଗଲେଣି । ଆଉ ମାଆଙ୍କ କଥା ତ ଛାଡ଼ । ବର୍ତ୍ତମାନ ସେ କଥା ଭାବିବା ଆବଶ୍ୟକ ନାହିଁ । ଯାହା ବିଧାତାର ବିଡ଼ମ୍ବନା ତା ଘଟି ଯାଇଛି । ଚାଲ, ଗୃହକୁ ଚାଲ ।

ବିଦ୍ୟା-

 

(ସ୍ୱଗତ) ମୁଁ କ’ଣ ବର୍ତ୍ତମାନ ସ୍ୱପ୍ନ ରାଜ୍ୟରେ ନା କ’ଣ ? ଏ ସବୁ ମୋତେ ତ ମାୟାପରି ଜଣାଯାଉଛି । ନା, ଏମାନଙ୍କ କଥାକୁ ବିଶ୍ୱାସ ନାହିଁ । ଏମାନେ ନିଶ୍ଚୟ ଦସ୍ୟୁ । ପ୍ରେମଶୀଳା ତୁ ମୋତେ କାହିଁକି ଗୁଡ଼ାଏ ଧନଦେଇ ବର୍ତ୍ତମାନ ଦସ୍ୟୁ ମୁଖରେ ଦେଲୁ । ସତ ତୋତେ ଧନ ମାଗୁ ନଥିଲି, ଏ ଧନ ନଥିଲେ ମୋତେ କିଏ କୌଣସି କଥା ପଚାରିବାକୁ ଯାଇଥାନ୍ତା । (ପ୍ରକାଶ୍ୟେ) ଭାଇମାନେ ! ଆପଣମାନେ ଭଗ୍ନୀପତି ବୋଲି ମୋତେ ଭାବୁଛନ୍ତି କିନ୍ତୁ ମୁଁ ଭଲକରି ଜାଣେ ମୋତେ ମୋର ପିତା ମାତା ବିବାହ ଦେଇନାହାନ୍ତି, ଆପଣ ଆଉ କାହାକୁ ଖୋଜି ମୋତେ ସନ୍ଦେହ କରୁଛନ୍ତି ।

ସୁଦାମ-

 

ବିଦ୍ୟାଧର ! ତୁମ୍ଭେ ସିନା ପିଲା । ଆମ୍ଭେ କ’ଣ ପିଲା ହୋଇଛୁ, ଚାଲ ଚାଲ ଗୃହକୁ ଚାଲ ।

ସୁବଳ-

 

( ହାତଟାଣି ) ଆସ ମ, କେତେ ବାମୁଲେଇ ହେଉଛ, ଘରକୁ ଗଲେ ତେଣେ ଶଳାଭାଉଜମାନେ ଚାହିଁ ବସିଛନ୍ତି ଖାଲି ଏ ପିଠିରେ ଛାଞ୍ଚୁଣିପୂଜା କରିଦେବେ।

ବିଦ୍ୟା-

 

(ସ୍ୱଗତ) ଏ ଧନ ଏତେକ ମୋ ଜୀବନର ମୁଦେଇ । ଯାହାହେଉ ଏମାନଙ୍କ ହାତରେ ଏତେକ ଦ୍ରବ୍ୟଦେଇ ୟାଙ୍କ ପାଖରୁ ପଳାଇବା ଚେଷ୍ଟା କରିବି । (ପ୍ରକାଶ୍ୟେ) ଭାଇମାନେ ! ମୁଁ ଗୋଟିଏ ଗୁରୁତର କାର୍ଯ୍ୟର ଭାର ନେଇଯାଉଛି । ବର୍ତ୍ତମାନ ମୋ ସାଙ୍ଗରେ ଜଞ୍ଜାଳ କରନ୍ତୁ ନାହିଁ । ମୁଁ ନିଶ୍ଚୟ ଫେରିବା ସମୟରେ ଆପଣଙ୍କ ଗୃହକୁ ଯାଇ ସାକ୍ଷାତ୍‌ ଦେବି ମନରେ କୌଣସି ସନ୍ଦେହ କରନ୍ତୁ ନାହିଁ, ନିଅନ୍ତୁ ଏ ଧନରତ୍ନ ସମସ୍ତ ପତ୍ୟାରା ପାଇଁ ଜମା ରଖନ୍ତୁ ।

ଅନି-

 

ବିଦ୍ୟାଧର ଭାଇ ! ଧନ କ’ଣ ଆମେ ଚାଟିବୁ । ଭଗବାନଙ୍କ କୃପାରୁ ଦାନାପାଣି ମୁଠାକ ସୁଖରେ ଚଳୁଛି । ତୁମ୍ଭଙ୍କୁ ଛାଡ଼ିବୁ ନାହିଁ । ବରଂ ତୁମ ସଙ୍ଗରେ ଯାଇ ତୁମର ଅଭିଳାଷ ପୂର୍ଣ୍ଣ କରିବାର ଚେଷ୍ଟା କରିବୁଁ ।

ବିଦ୍ୟା-

 

ଏ ତ ଆଚ୍ଛା, ମୁସ୍କିଲ କଥା, କ’ଣ କରିବି ।

ସୁଦାମ-

 

ଆଉ ଭାବୁଛ କ’ଣ, ବିଦ୍ୟାଧର ବର୍ଷାକୁ ଚାତକ ଚାହିଁଲା ପରି ଆମ୍ଭେମାନେ ତୁମ୍ଭଙ୍କୁ ପାଇବା ଲାଗି ନିରନ୍ତର ଭାବୁଛୁ କିନ୍ତୁ ଆଜି ଆମ୍ଭର ସୁପ୍ରଭାତ । ପିତାଙ୍କ ସାକ୍ଷାତ୍‌ ତୁମ୍ଭଙ୍କୁ ନକରାଇ ଛାଡ଼ିବୁ ନାହିଁ ଏହା ନିଶ୍ଚୟ ।

ବିଦ୍ୟା-

 

ଭଗବାନ ! ବର୍ତ୍ତମାନ କି ଉପାୟ କରିବି । ଏମାନେ ନିଶ୍ଚୟ ଦସ୍ୟୁ, ଏମାନଙ୍କ କବଳରୁ ମୁକ୍ତହେବାର ଉପାୟ କିଛି ନାହିଁ । ପ୍ରେମଶୀଳା ! ତୁ ମୋତେ ଏ ବିପଦରେ ପକାଇଲୁ ।

ସୁବଳ-

 

ଆଉ ଭାବି ହେଉଛ କ’ଣ, ଚାଲିକରି ଶ୍ୱଶୁର ଗୃହକୁ ଯିବାକୁ ଟିକିଏ ସରମ ଆସୁଛି । ଆପଣ ଗ୍ରାମ ନିକଟକୁ ଚାଲନ୍ତୁ ତା ବରାଦ କ’ଣ ହେବ ନାହିଁ ।

ଅନି-

 

ଚାଲ, ଚାଲ ଆଉ ଭୁଲାଭୁଲି କଥା ପଟିବ ନାହିଁ । (ହାତ ଧରି)

ବିଦ୍ୟା-

 

ଆଉ ଏମାନଙ୍କ କବଳରୁ ଉଦ୍ଧରିବାର ବାଟ ନାହିଁ, ନିଶ୍ଚୟ ପ୍ରାଣଗଲା ।

 

 

(ଗୋଟିଏ ଗୋଟିଏ ପଦ ପକାଇବା)

ଅନି-

 

ଭାଇ ! ବର ଚାଲି ଗାଁ ନିକଟ ହୋଇଯାଉ ଚାଲିବ ।

ବିଦ୍ୟା-

 

(ସ୍ୱଗତ) ଏମାନେ ନିଶ୍ଚୟ ଏ ଅରଣ୍ୟ ମଧ୍ୟରେ ମୋର ପ୍ରାଣ ନେବେ । ହରି ତୁମେ ହିଁ ଭରସା । (ପ୍ରସ୍ଥାନ)

 

ତୃତୀୟ ଅଙ୍କ ଦ୍ୱିତୀୟ ଦୃଶ୍ୟ

(ବଟୁକ, ଦୁର୍ବୁଦ୍ଧି ସିଂହ, କେଳା)

ଦୁର୍ବୁଦ୍ଧି-

ବଟୁକ ! କେଡ଼େ ବଡ଼ କ୍ଷତ୍ରିପିଲା ହୋଇ କି ଲୋକ ସରମରେ ପଡ଼ିଲେ ?

ବଟୁକ-

ୟା କହିବାକୁ ଅଛି, ଯିଏ ଆମ୍ଭର ଚିରଶତ୍ରୁ ତା ନିକଟରେ ଅଧୀନତା ସ୍ୱୀକାର କରିବାକୁ ପଡ଼ିଲା, ପୁଣି ତା ଆଦେଶରେ ମୁର୍ଦାରଟାକୁ ଉଠେଇବାକୁ ପଡ଼ିଲା, ବର୍ତ୍ତମାନ କରିବା କଅଣ ? ଗୃହକୁ ତ ଫେରିଗଲେ ତହୁଁ ଲାଜ, ରାଜା ତ ବସୁବାସରେ ରଖିଦେବ ନାହିଁ ।

ଦୁର୍ବୁଦ୍ଧି-

ବଟୁକ ! ଆଉ କ’ଣ ଘରକୁ ଫେରିବା, ଚାଲ ଉପାୟ କରୁ କରୁ ଯେଉଁ ପର୍ଯ୍ୟନ୍ତ ଯିବ । ଏଇଟା କିଏ କରେ ?

ବଟୁକ-

ହଁ କିଏ ଗୋଟାଏ ଆସୁଛି ।

 

(ଜଣେ ସାପୁଆ କେଳାର ପ୍ରବେଶ ଓ ଅଭିବାଦନ)

ଦୁର୍ବୁଦ୍ଧି-

କିଏ ତୁ କୁଆଡ଼େ ଯାଇଥିଲୁ ?

କେଳା-

ଆଜ୍ଞା, ହଜୁର, ମୁଁ ଜଣେ ସାପୁଆ କେଳା, ସାପ ଧରିବା ଲାଗି ପାହାଡ଼କୁ ଯାଇଥିଲି ।

ବଟୁକ-

ଆଚ୍ଛା, କେମିତିଆ ସାପ ଧରିଛୁ ଟିକିଏ ଖେଳାଇଲୁ ।

କେଳା-

ସାଆନ୍ତ, ନଗଦ ଧରାହୋଇଛି, ବୋଲି ମାନି ନାହିଁ ।

ଦୁର୍ବୁଦ୍ଧି-

ହଉ, ବାହାର କର ଟିକିଏ ଦେଖିବା, କିଛି ବକସିସ୍ ପାଇବୁ କ’ଣ ମାଗଣା ଦେଖାଇ ଦେବୁକି ?

କେଳା-

ଆଜ୍ଞା, ନୂଆ ଧରାହୋଇଛି । ଚଗଲା ହେବ, କ’ଣ ଖେଳିବ କି ? ହଉ ବାହାର କରୁଛି, ‘ହାଁରେ କାଳିରେ ବନମାଳୀ ତୋ ପୟରେ ନ ଲାଗଇ ଧୂଳି (ଇତ୍ୟାଦି କହି ଡୋର ପେଡ଼ିରୁ ଫିଟାଇବା ଓ ପେଡ଼ି ମୁହଁରେ ତିନିଥର ଫୁଙ୍କି ପେଡ଼ି ଖୋଲି ହାତ ମୁଠା ହଲାଇ ବାରମାସି ବୋଲି ଖେଳାଇବା ଅଭିନୟ ଶେଷରେ ବୁଢ଼ା ତୋ ପାଟି ଦେଖା ଦେଖା ତୋ ବେଙ୍ଗଖିଆ ପାଟି ଦେଖା ଅଭିନୟ କରି) ହାଁ ହାଁ ମାରି ପାରିବୁ ନାହିଁ ଗଦ ଅଛି ସୁଙ୍ଗେଇ ଦେବି, ତୋ ପାଟି ଦେଖା, ସାଆନ୍ତଙ୍କ ନାଆଁରେ କଚିରି ବାଚିରିରେ ମାଲିମୋକଦ୍ଦମାରେ ହାନିଲାଭରେ ଯିଏ ଖଚମିଛ କହୁଥିବ ସେ ଅଦିଆକୁ ଏଇ ପାଟିରେ ଖା । ଭାଲିଆ, ଭାଲିଆ ବାବୁଙ୍କ ଛାମୁରେ ଏ ବୁଢ଼ା ପାଇଁ ମାଗିଥା ଦିଅଣ୍ଡା ପଇସା, (ସାପ ବନ୍ଦ କରିବା) ଥାଆ ଥାଆ ତୋ ବସାରେ ଥାଆ ସାଆନ୍ତେ ଖଣ୍ଡେ ଶିରିପା ଫିରିପା ମିଳିବ ଯେବେ କହନ୍ତ ଗୋଟାଏ କିଛି ରକମ ଦେଇଥିବି ପାଖରେ ରଖିଥିଲାବେଳେ ଶତ୍ରୁ ହେଲେ ଆପଣଙ୍କ ଗୋଡ଼ତଳେ ଶରଣ ପଶିବ ।

ଦୁର୍ବୁଦ୍ଧି-

ଆଚ୍ଛା ଦେଲୁ କଅଣ ।

କେଳା-

(ମୁଣିରୁ କାଢ଼ି) ବାବୁ ! ଏ ଝାଡ଼ ସୁମାରି ଗଦ । ୟାକୁ ଶନିବାର ରବିବାର ଗୋଟିଏ ସପ୍ତଧାତୁର ଡଉଁରିଆ ବଣିଆ ପାଖରୁ ଗଢ଼ି ତା ଭିତରେ ପୂରାଇ ବାହାରେ ବାନ୍ଧି ଦେଇଥିଲେ ଶତ୍ରୁ ହେଲେ ଶଙ୍କିଯିବ । ଆଉ ଏ ଗଦର ବି ଗୁଣଅଛି । ୟାକୁ ଯାହାକୁ ସୁଙ୍ଘେଇ ଦବ ସେ କୋଚିଆ ପରି ଗୋଟାଏ ଜାଗାରେ ତିନିଦିନ ଯାଏ ପଡ଼ିଥିବ ।

ବଟୁକ-

ଦେଖେ ଦେଖେ ଏ ତ ଆମର ଖୁବ୍ ଦରକାରକୁ ଆସିବ।

କେଳା-

ନିଅନ୍ତୁ ବାବୁ ।

ବଟୁକ-

ଏଇ ଗଦ, କ’ଣ ଏମିତି ଦେଖାଯାଉଛି (ସୁଙ୍ଘି ଦେଇ ମୂର୍ଚ୍ଛାରେ ଗଁ ଗଁ ହେବା)

ଦୁର୍ବୁଦ୍ଧି-

ଆରେ ଏ କଅଣ ହେଲା; କ’ଣଗୁଡ଼ାଏ ଦେଲୁ ।

କେଳା-

ଆଜ୍ଞା, ମୁଁ ପରା କହୁଛି ସେ ଗଦ ସୁଙ୍ଘିଦେଲେ କୋଚିଆ ପରି ପଡ଼ିଯିବ ।

ଦୁର୍ବୁଦ୍ଧି-

ବର୍ତ୍ତମାନ କରିବା କଅଣ, ଏ ଭଲ ହେବ କେମିତି ତୁ ଦେଖ ।

କେଳା-

(ନିଜ ଡାହାଣ ହାତ ବାହୁକୁ ଧରି ଖୁବ୍ ଜୋରରେ ମନ୍ତ୍ରପଢ଼ି ମୋଡ଼ି ତିନିଥର ଫୁଙ୍କି) ଆଜ୍ଞା, ମୁଁ ଦେଖିବି କଅଣ, ଆପଣ ଖୁବ୍ କସିକରି ଚାରିଟି ଚାପୁଡ଼ା ଦି ଗାଲରେ ଲଗାଇ ଦିଅନ୍ତୁ ।

ଦୁର୍ବୁଦ୍ଧି-

(ତଥା କରଣ, ବଟୁକର ଚେତା ଆସିବା)

ବଟୁକ-

ଓଃ ଏତ ଚୋଖାମାଲ । ଏ ତ ବଡ଼ ଦର୍କାରକୁ ଆସିବ, ଆଚ୍ଛା କେଳା ଆଉ ଭଲା କଅଣ ଅଛି ।

କେଳା-

ଆଜ୍ଞା, ଗୋଟାଏ ମଣି ଅଛି ୟାକୁ ଗୋଟାଏ ଜଳ ପାତ୍ରରେ ପକାଇ ଚାହିଁଲେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରରେ ଯେ ଯାହା କରୁଥିବ ତା ଦେଖାଯିବ ।

ଦୁର୍ବୁଦ୍ଧି-

ବଟୁକ ! ଏ ତ ଆମର ଖୋଜା, କେଳା ଦେ ସେ ଜିନିଷଟିକୁ ଆମ୍ଭଙ୍କୁ ଦେ ନେ ତୋ ବକସିସ୍ ନେ ।(କେଳା ମଣି ଦେବାରୁ ପଇସା ଓଗେର ଦେବା )

କେଳା-

ହଜୁର ଇଲମ ଦେଲି କାର୍ଯ୍ୟରେ ଲଗାଇବ, ଏ କେଳା କଥା ମନେପକାଉଥିବେ ମୁଁ ଯାଉଛି ଭୋକ ହେଲାଣି । (ପ୍ରସ୍ଥାନ)

ଦୁର୍ବୁଦ୍ଧି-

ବଟୁକ ! ଏ କେଳା ନୁହେ ସ୍ୱୟଂ ଭଗବାନ ଆମ୍ଭମାନଙ୍କ ଅନ୍ତର ବେଦନା ବୁଝିପାରି ଆସି ଏ ଇଲମଗୁଡ଼ିକ ଦେଇଗଲେ ।

ବଟୁକ-

ଆଜ୍ଞା, ଠିକ୍ କଥା ଭଗବାନ୍ କ’ଣ ନିଜେ ଆସନ୍ତି, ମାୟାରେ ସାପ, ବେଙ୍ଗ, କଙ୍କଡ଼ା, ଚମ୍ପାଇ ନେଉଳ, ଭୂତ, ପ୍ରେତ, ଚଣ୍ଡୀ ଚାମଣ୍ଡୀ ହୋଇ ଲୋକମାନଙ୍କୁ ଦେଖାଦିଅନ୍ତି ।

ଦୁର୍ବୁଦ୍ଧି-

ତେବେ ଚାଲ ଏ ମଣିକୁ ପାଣିରେ ପକାଇ ଦେଖିବା ବିଦ୍ୟାଧର ବର୍ତ୍ତମାନ କେଉଁଠି କଅଣ କରୁଛି ।

ବଟୁକ-

ଚାଲନ୍ତୁ, ଏଥରକ ସାହସ ହେଲା, ଆଉ ଭୟ କ’ଣ, ଆଉ ବୋତଲରେ କ’ଣ ଅଛି କି ?

ଦୁର୍ବୁଦ୍ଧି-

ନାଇଁ, ଆଗରେ ଚାଲ ଦେଖିବା ।

ବଟୁକ-

ଚାଲନ୍ତୁ ଆଜ୍ଞା, ଭୋକ ବେଜାଏ ହେଲାଣି, କିଛି ଖାଇବା ବରାଦ କରିବା ଦର୍କାର ।

ଦୁର୍ବୁଦ୍ଧି-

ଆଗକୁ ଚାଲ । ( ପ୍ରସ୍ଥାନ )

 

ତୃତୀୟ ଅଙ୍କ ତୃତୀୟ ଦୃଶ୍ୟ

( ସାଧବାଣୀ, ମକରା, ସୁବଳ, ସୁଦାମ, ବିଦ୍ୟାଧର, ମନୋରମା, ଉମା, ସାର, ହାର )

ସାଧବ-

 

ହଇରେ ମକରା ! ପୁଅମାନଙ୍କୁ ଭଲା କେତେ ବାଟରେ ଦେଖି ଆସିଲ ସାଙ୍ଗରେ ଧନ କେତେ ଅଛି ।

ମକରା-

 

ଧନ ଖୁବ୍ ଥିବାର ସମ୍ଭବ । ବାବୁମାନଙ୍କର ମନ ଭାରି ଖୁସ୍ ଅଛି, ସୁଦାମ ବାବୁ ମୋତେ ଯେମିତି ଦେଖା ହେଲେ ସେମିତି କହିଲେ; ଯା ବାପାଙ୍କୁ ଜଣାଇଦେବୁ ମୁଁ ତ ଚଟ୍‌କିନା ଚାଲିଆସିଲି ।

ସାଧବ-

 

ପୁଅମାନଙ୍କୁ କାଇଲି ମାକୁଲରେ ପାଞ୍ଚପଦ ଗାଳି ଫଜିତ କରିଥିଲି ବୋଧହୁଏ ମୋ ଉପରେ ଟିକିଏ ବିରକ୍ତ ଥିବେ।

ମକରା-

 

ଆଜ୍ଞା ସେ କଥା ତ କିଛି ଦେଖିଲି ନାହିଁ ।

ସାଧବ-

 

ନାହିଁ କହିବେ କ’ଣ, ହାନିଲାଭରେ ପାଞ୍ଚପଦ କାଇଦା କଟକଣା କରି ନକହିଲେ ବରାବର ଯେ ବାବୁ ପାଲଟିଯିବେ । ଆଚ୍ଛା ଧନବାଲା ସାଙ୍ଗରେ ଅଛି ତ ?

ମକରା-

 

ହଁ ବଡ଼ ସୁନ୍ଦର ରାଜପୁତ୍ରଟିଏ, ବୟସ ପ୍ରାୟ ଷୋଳ ସତର ହେବ, ଏଇତ ଆସିଗଲେ ।

 

 

(ସୁଦାମ ପ୍ରଭୃତି ବିଦ୍ୟାଧରକୁ ଘେନି ପ୍ରବେଶ ଓ ପିତାଙ୍କୁ ଅଭିବାଦନ)

ସୁବଳ-

 

(ସାଧୁପ୍ରତି) ଭାଇ ! ଏଇ ପରା ଶ୍ୱଶୁର; ମାନ୍ୟ ହଉନା ?

ବିଦ୍ୟା-

 

(ସ୍ୱଗତ) କିଏ ଶ୍ୱଶୁର, କିଏ କ’ଣ, ଯାହାଙ୍କର ହେଉ । (ପ୍ରଣାମ କରଣ)

ସୁବଳ-

 

ବାପା ! ବିଦ୍ୟାଧର ଭାଇ ପ୍ରଣାମ ହେଉଛନ୍ତି । (ପ୍ରସ୍ଥାନ)

ସାଧବ-

 

ବାପା ବୁଢ଼ାଟିଏ ହୋଇଥା; କାହିଁ ଅଇଲ ବାପ ! ତୋ ମନରେ ଏତେ କଥା ଥିଲା ଝିଅଦେଇ ପୁଅ ପାଇଥିଲି ମୋତେ ଏଇ ହୀନ ଅବସ୍ଥା କଲ । ଆ, ଆ, ମୁଁ ଟିକିଏ କୋଳରେ ଧରେ । (କୋଳକୁ ନେବା)

ବିଦ୍ୟା-

 

(ସ୍ୱଗତ) ଏ ସବୁ ତ ମୋତେ ସ୍ୱପ୍ନପରି ଜଣାଯାଉଛି ।

ସାଧବ-

 

ବାପା ! ଭଲ ଅଛନ୍ତିତ ?

ବିଦ୍ୟା-

 

ହଁ, (ସ୍ୱଗତ) କ’ଣ ଉତ୍ତର ଦେବି, ଏ ସବୁ ଘଟଣା ଦେଖି ମୁଁ ଅବାକ୍ ହୋଇଗଲିଣି ।

ସାଧବ-

 

ମକରା, ଯିବୁଟି ଘରଆଡ଼େ ଖବର ଦେଇ ଦବୁ (ବିଦ୍ୟାଧର ପ୍ରତି) ଘରୁ କେତେଦିନୁ ଆସିଲଣି ।

ବିଦ୍ୟା-

 

ପ୍ରାୟ ଏକମାସ ହେବ (ସ୍ୱଗତ) ଏ ପୁଣି କିଏରେ ବାବା । (ସାଧବାଣୀ ପ୍ରବେଶ)

ସାଧବ-

 

ମକରା ନା କିଏ ଅଇଲେ ?

ମକରା-

 

ହଁ ।

ସାଧବ-

 

ହେଇତି ତମ ଶାଶୁ ଅଇଲେଣି ଯାଅ ଦେଖାକର । ତମ ଲାଗି ତ ସେ ଖିଆପିଆ ଏକ ରକମ ଛାଡ଼ି ଦେଲେଣି । ମୁଁ ଟିକିଏ ଘର ଖବର ବୁଝେ (ସ୍ୱଗତ) ଧନର ଗୋଟାଏ ଏମିତିକିଆ ଶକ୍ତି ଅଛି ସେ ଆସି କତିରେ ପହଞ୍ଚିଗଲେ ମନଟା କୁଣ୍ଢେ ମୋଟ ହୋଇଯାଏ । ମକରା ! ଆସିବୁଟି; ମୋତେ ଟିକିଏ ସେ ଖଞ୍ଜାକୁ ନେଇ ଯା । (ମକରା ଧରି ନେଇଯିବା)

ବିଦ୍ୟା-

 

(ସ୍ୱଗତ) ମୁଁ ତ ଏମାନ ସବୁ ଦେଖି ମୋର ମଥା ବିଭ୍ରମ ହୋଇଗଲାଣି । କିଏ ଶ୍ୱଶୁର କିଏ ଶାଶୁ, ଏତ ମୋତେ କୁହୁକ ପରି ଜଣାଯାଉଛି । ଆଉ ସତେ କ’ଣ ମୋର ପିତା ମୋତେ ବିବାହ ଦେଇଥିଲେ, ନା କେଭେ ନୁହେ । ମୁଁ କାହିଁକି ପୁଣି ବିଭ୍ରମରେ ପଡ଼ୁଛି । ଦିନେ ହେଲେ ତ ପିତା କିମ୍ବା ମାତା ଏ ସମ୍ପର୍କ ନେଇ କୁହନ୍ତି ନାହିଁ । ଏମାନେ କେବଳ ଧନ ସେତେକ ହସ୍ତଗତ କରିବେ ବୋଲି ମୋ ସଙ୍ଗରେ ଏତେ ଚଞ୍ଚକ ଖେଳୁଛନ୍ତି, ଭଗବାନ ତୁମେ ହିଁ ଭରସା ।

 

 

(ବୁଢ଼ୀ ଆଡ଼ ହୋଇ ଠିଆହେବା)

ସୁଦାମ-

 

(ପ୍ରବେଶି) ବୋଉ ଆଡ଼ ହେଉଛୁ କାହାକୁ, ମା ପୁଅକୁ କ’ଣ ଆଡ଼ ହୁଅନ୍ତି । (ବିଦ୍ୟାଧର ପ୍ରତି) ବିଦ୍ୟାଧର ! ତୁମ ଶାଶୁ ପରା ଠିଆ ହୋଇଛନ୍ତି ମାନ୍ୟ ହୁଅ ।

ବିଦ୍ୟା-

 

(ମାନ୍ୟହେବା)

ସାଧବାଣୀ-

 

(ବିଦ୍ୟାଧର ହସ୍ତଧରି ମୋ ବାପ, ମୋ ଧନ ଏତେଦିନେ ତୋ ମନେପଡ଼ିଲା ହୁଁ ହୁଁ (କ୍ରନ୍ଦନ) ମରିଥିଲେ ଆଣ୍ଠିଏ ଘାସ ହୁଅନ୍ତାଣି, ତମ ମନରେ ଏତେ କଥା ଥିଲା । (ହୁଁ ହୁଁ କ୍ରନ୍ଦନ)

ସୁଦାମ-

 

ବୋଉ ତୁନି ହୁଅ, କ’ଣ କଥାବାର୍ତ୍ତା ହେଉନାହିଁ ଖାଲି କାନ୍ଦ । (ତୁନି କରିଦେବା)

ସାଧବାଣୀ-

 

(ହାତ ଛଡ଼ାଇ ଦେଇ ବିଦ୍ୟାଧରକୁ ଧରି ।)

 

 

ଗୀତ

(କହ ମୋ କାଳିଆ ହାତୀ-ବୃତ୍ତେ)

ଆହା ମୋ ଦରିଦ୍ର ଧନ,

କିପାଇଁ କରିଲୁ ନିଷ୍ଠୁର ପଣରେ

ଦୁଃଖି ରତନ,

କାନ୍ଦି କାନ୍ଦି ନ ସରେ ମୋ ଦିନ । ୧ ।

ଗଙ୍ଗାଜଳେ ତୋର ତାତ

ହସ୍ତଧରି ମୋର କରିଲେ ସତ୍ୟରେ

ରଙ୍କୁଣୀ ବିତ୍ତ,

ମୋ ଦୁହିତାରେ ହେବୁ କାନ୍ତ । ୨ ।

ଯୁଗେ ହେଲା ଆସିକାଳ

ସାକ୍ଷାତ ନ ଦେଲେ ତୋର ପିଅରରେ

ରଙ୍କୁଣିଥାଳ,

ନେତ୍ରୁ ବହେ ସଦା ଅଶ୍ରୁଜଳ । ୩ ।

ନବଯୁବା ମୋ ଦୁଲଣୀ

ତୋରି ଲାଗି ସଦା କରେ ଭଳେଣି ରେ

ରଙ୍କୁଣୀ ଥାବ,

ବିହି ଆଜି ଘଟାଇଲା ଆଣି । ୪ ।

 

 

ବାପରେ ! ଏ ହୃଦୟ ପିଞ୍ଜରୀରୁ ପ୍ରାଣପକ୍ଷୀ ଉଡ଼ି ଯାଆନ୍ତାଣି, କେବଳ ପୁତ୍ରମାନେ ତୋତେ ଆଣି ମୋ ନିକଟ ଭେଟାଇବେ ବୋଲି ନିତି ନିତି ପ୍ରବୋଧ ଦେଉଥାନ୍ତି । ବାପା ମା ଭଲରେ ଅଛନ୍ତି ତ ?

ବିଦ୍ୟା-

 

ହଁ ଭଲରେ ଅଛନ୍ତି (ସ୍ୱଗତ) ଏମାନଙ୍କ ଢଙ୍ଗ ଢାଙ୍ଗ ଯାହା ଦେଖୁଛି ସେଥିରେ ତ କୌଣସି କଥା ଅବିଶ୍ୱାସ ଆସୁନାହିଁ । ଆଉ କ’ଣ ପିଲା ସମୟରେ କିଛି ଏ କଥା ହୋଇଥିଲା ?

ନା-

 

ସମ୍ଭବ ହେଉନାହିଁ ।

ସାଧବାଣୀ-

 

ସୁଦା ! ଦେଖିବୁଟି ବୋହୂମାନେ ଆସୁଥିଲେ କୁଆଡ଼େ ଗଲେ ।

ବିଦ୍ୟା-

 

(ସ୍ୱଗତ) ବାପରେ ପୁଣି କିଏ ଆସିବେ । ମୋତେ ଏଠି ଭେଳିକି ଲଗାଇ ଦେଲେଣି । ଏ ପଞ୍ଜାକ କିଏରେ ବାବା।( ବୋହୂମାନେ ପ୍ରବେଶ )

ସାଧବାଣୀ-

 

(ବୋହୂମାନଙ୍କ ପ୍ରତି) ଚାଲି ଆସ ବା, କେତେ ଲାଜ ଲାଜ ହେଉଛ, ମୋ ଜୋଇଁତ ପିଲାଟା । (ବିଦ୍ୟାଧର ପ୍ରତି) ବାପରେ; ଏଇ ଯିଏ ଆଗରେ ଆସୁଛି ସେ ତୋର ବଡ଼ ଶଳାଭାଉଜ ହେବ, ତାକୁ ମାନ୍ୟ ହେବୁ ।

ବିଦ୍ୟା-

 

(ସ୍ୱଗତ) କି ବେକୁବରେ ପଡ଼ିଲି ଏତ କ’ଣ ମାଡ଼ି ଆସୁଛନ୍ତି ।

ରମା-

 

ଉମା ଦେଖିଲୁଣି ଏଇ ଆମ କାଞ୍ଚନବାଳାର ବର ।

ହାର-

 

ଚାଲୁନା, ପାଖକୁ ଯିବା । କାହିଁକି ଗାରଡ଼େଇ ଗାରଡ଼େଇ ଆମଆଡ଼କୁ ଅନାଉଛି, ଚୋରଟାଏ କି ?

ସାର-

 

ପାଖକୁ ଚାଲ ।

ହାର-

 

ଦି’ ଚାରି ପଦ ଭଲକରି ଶୁଣାଇଦେବା ।

ସାଧବାଣୀ-

 

କ’ଣ ସିଆଡ଼େ ଫୁଟ୍‌ଫାଟ୍ ହେଉଛ ଆଡ଼କୁ ଆସୁନାହଁ, ଦେଖିବ, ଦେଖିବ ବୋଲି ପରା ହେଉଥିଲ ଏବେ ଦେଖ । (ବିଦ୍ୟାଧର ପ୍ରତି) ବାପରେ ଆଗରେ ଯେ ଅଛି ତାକୁ ମାନ୍ୟ ହୁଅ ।

ବିଦ୍ୟା-

 

(ସ୍ୱଗତ) କି ଦହଗଞ୍ଜରେ ପଡ଼ିଲିରେ ବାବା ।(ପ୍ରଣାମ ହେବା)

ହାର-

 

ଖଣ୍ଡିଆ ସେଇଠି କଅଣ ଗୋଟାଏ ଦଣ୍ଡବତ ହୋଇ ରହିଗଲୁ, ଆମର ଗୋଡ଼ତଳେ ପଡ଼ୁନାହୁଁ ।

ସାର-

 

ଆମେ କ’ଣ କଲ୍ୟାଣ କରିବୁ ନାହିଁ ?

ହାର-

 

ମୋ ହାତରେ ସବୁ କଥା, ଦେଖିଲା କାମ କରିଦେବି ।

ସାଧବାଣୀ-

 

ନାହିଁରେ ବାପ, ତୋ ସାଙ୍ଗରେ ସାନ ଶଳାଭାଉଜ ବୋଲି ସେମିତି ଟାପରା କରୁଛନ୍ତି, ତୁ ତାଙ୍କ କଥା କିଛି ଶୁଣୁନା।

ହାର-

 

ମୋତେ ତ ଭଲ କଲ୍ୟାଣ ଆସେ, ଦଣ୍ଡବତଟାଏ ହୁଅ ଦେଖିବୁ କେମିତି କଲ୍ୟାଣ ଅଜାଡ଼ି ଦେବି ।

ସାଧବାଣୀ-

 

ତେମେ ସାନଗୁଡ଼ାକ ତମକୁ କାହିଁକି ଦଣ୍ଡବତ ହେବ ?

ହାର-

 

ହଉ, ଦଣ୍ଡବତ ନହେଲେ ନାହିଁ, ଆମେ ସେମିତି କଲ୍ୟାଣ କରୁଛୁ, ‘‘ସଞ୍ଜେ ଫୁଟି ସକାଳେ ଯା, ଜହ୍ନି ଫୁଲପରି ଆଇଷ ପା ।’’

ସାଧବାଣୀ-

 

(ବିରକ୍ତେ) ମଲା ଆଣ୍ଠୁକୁଡ଼ି ଘର ଝିଅଗୁଡ଼ାଙ୍କର ଏ କି କଥାମ । କଥା ନାହିଁ ବାର୍ତ୍ତା ନାହିଁ ଖାଲି ଏଇଗୁଡ଼ାକ ।

ହାର-

 

ଏତିକି କଅଣ ହେଲାଣିକି, ପିଠିରୁ ଚମଡ଼ା ଉତ୍ତାରି ଦବୁ ।

ସାଧବାଣୀ-

 

ଆଉ କ’ଣ ଖାଲି ପୋଲା ପଡ଼ିଛି, ଛୁଇଁବତ ନାହିଁ ।

ହାର-

 

ବେଶି ନାହିଁ ଯେ ଅରୁଆ ଛାଞ୍ଚୁଣିରେ ସରୁଆ କରି ଚାରି ଛଅ ପାହାର ବସାଇ ଦେବୁ ।

ସାଧବାଣୀ-

 

ହଁ ତମ ବୋପାର ଏଡ଼େ ଖେମତା; ଛୁଇଁଲ ମୋ ଜୋଇଁକି ମୁଁ ଦେଖେ।

 

 

(୧ମ କୁ ଛାଡ଼ି ସମସ୍ତେ ଗାଲ ତୋରି ଦବା ଅଭିନୟ ବୁଢ଼ୀ ଘେର ପେର)

ମନୋରମା-

 

ଏ ଆଣ୍ଠୁକୁଡ଼ି ଘରଝିଅଗୁଡ଼ାଙ୍କୁ ଦେଖିବଟି, ୟାନା କଥା ନା କ’ଣ, ବଡ଼ବୋଉ ତେମେ ଅଛ ମୁଁ ଦେଖେ ସାଡ଼େ କଅଣ ବରାଦ ହଉଛି, ହେଇତି ଖବରଦାର ଯଦି ପୁଣି ହାତଫାତ ହଲାହଲି କର ଦେଖିବ। (ପ୍ରସ୍ଥାନ)

ବିଦ୍ୟାଧର-

 

(ସ୍ୱଗତ) ବିଷମ ସଙ୍କଟ, କି ଅନୁକୂଳରେ ଘରୁ ଆସିଥିଲି, କ’ଣ କପାଳରେ ଅଛି କେଜାଣି ।

ସାର-

 

ମନକୁ ମନକୁ କଅଣ ଭୁଟ୍‌ଭାଟ୍ ହେଉଛ ଆମକୁ କଅଣ କହୁନା ?

ଉମା-

 

ଲାଜ ମାଡ଼ୁଛି ?

ହାର-

 

ଯେତେବେଳେ ବାହାଟିଏ ହେଉଥିଲ ଲାଜ ମାଡ଼ୁନଥିଲା (ବିଦ୍ୟାଧର ପ୍ରତି) ହଇ ହୋ ! ପାଟିରୁ ଜବାବ ବାହାରୁ ନାହିଁ କି ? ଭଲା ଏଠିକି କାହିଁକି ଆସିଛ କହିଲ ?

ବିଦ୍ୟା-

 

ମୁଁ ଜାଣେ ନା ।

ଉମା-

 

ଆହା, ହା, ହା, କିଛି ଜାଣନ୍ତି ନାହିଁ (ମୁହଁ ମୋଡ଼ିଦେବା) ‘‘ଅଇଛିକା କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ’’।

ବିଦ୍ୟା-

 

ତମ ଅକ୍ତ୍ୟାରରେ ପଡ଼ିଛି ଯାହା କହିବ କହି ଯାଅ ।            

ହାର-

 

‘‘କଣ୍ଟା ଫିରିକି, ଏତେ କଥା ବୋଲି ଜାଣି

ଥିଲିକି ବେଳସୁ ନ କହିଲୁ,

ଫୁଲ ପରା କରି ଟେକି ଧରିଥିଲୁ କଚାଡ଼ି

ପକାଇଲୁ’’ ( ଢପ )      

 

 

 

ବିଦ୍ୟା-

 

ତୁମ୍ଭେ ତ ଚାରିଜଣ ମୁଁ ଜଣେ ଏବେ କଅଣ ଉତ୍ତର ଦେବି ।

ହାର-

 

ତମେ ପରା କୁଆଡ଼େ ମରଦଟାଏ, ଆମ ମାଇକିନିଆ ଗୁଡ଼ାଙ୍କୁ ଦେଖି ଡର ମାଡ଼ୁଛି, ଖଣ୍ଡିଆ ଛାଞ୍ଚୁଣି ଖଣ୍ଡେ ବେକରେ ବାନ୍ଧି ଆସିଲୁ ନାହିଁ । ହେଇତି ଶୁଣ ଯାହା ପଚାରୁଛୁ ।

 

 

ଗୀତ

ଏତେ ଦିନେ ବନ୍ଧୁ                  ପଡ଼ିଲାକି ମନେ

ବାନ୍ଧବୀ ଦେଖିବ ବୋଲି ।

କେ ପ୍ରେମ ବନ୍ଧନେ                  ବାନ୍ଧି ରଖିଥିଲ

ଲଗାଇ ପ୍ରେମର ଡୋରି ।

ତୁମ୍ଭେ ଏଡ଼େ ଶଠ ପୁରୁଷ, ନାହିଁ ତୁମ୍ଭଙ୍କୁ ବିଶ୍ୱାସ । ୧ ।

ତବ ଲାଗି ଜେମା-                  ମଣିଙ୍କ ଆମ୍ଭର

ଖିନ୍ନ ହୋଇଲାଣି ତନୁ ।

ପୀନ ଉରଜା ସେ                  ବନଜ ନୟନା

କାନ୍ଦି କାନ୍ଦି କେତେ ଦିନୁ ।

ଅହରହ ବିରହା । ସହି କେ ଧରିବ ଦେହ । ୨ ।

ଛାତିକି ପଥର                        କଲ କି ନାଗର

ମନ୍ମଥ ଜ୍ୱାଳାରେ ସହି ।

ଚାହିଁ ଚାହିଁ ତବ                        ଦରଶନେ ଧନୀ

ବସିଲାଣି ମାନ ବହି ।

(ଏବେ) କର ଯାଇ ପ୍ରବୋଧ,

ମେଣ୍ଟାଅ ତା ମନସଧ । ୩ ।

କେଳି ସଦନରେ                  ପ୍ରିୟ ଅଳି ତୁମ୍ଭ

ଉଜାଗରେ ଛନ୍ତି ଚାହିଁ ।

ରତି ରସେ ନିଶି                        ପୁହାଅ ହେ ବସି

ବିଳମ୍ବରେ କାର୍ଯ୍ୟ ନାହିଁ ।

( ଏବେ) ଆସ ହେବ ସୁବେଶ,

ସଜାଇ ଦେବୁ ନାରୀଶ । ୪ ।

ହାର-

 

ଆସ; ଆସ, ଆମ ପାଉଣା କାହିଁ ଦେଲ । ବିନା ପାଉଣାରେ କେଭେ ଦେଇଙ୍କ ପାଖକୁ ଛାଡ଼ିବୁ ନାହିଁ ।

ବିଦ୍ୟା-

 

ବରାଙ୍ଗନେ ! ମୋର ସେ ମାନ ଲୋଡ଼ା ନାହିଁ ।

ହାର-

 

ଆହା, ହା, ହା, ତଳମୁହାଁ କାଙ୍କ କିଛି ଜାଣନ୍ତି ନାହିଁ ।(ଗାଲ ଟିପି ଦେବା)

ବିଦ୍ୟା-

 

ହାବୁଡ଼େ ପଡ଼ିଛି ଯାହା କରିବି କର । (ସ୍ୱଗତ) ଏ ଗୁଡ଼ାଙ୍କର ଭାରି ଛାତି । ଦିନେକାଳେ ପରିଚୟ ନାହିଁ ଥଟ୍ଟାରେ ଥଟ୍ଟାରେ ମୋତେ ଦରମରା କରିସାରିଲେଣି । (ପ୍ରକାଶ୍ୟେ) ହେ ତମକୁ ହାତ ଯୋଡ଼ୁଛି ମୋ ସାଙ୍ଗରେ ଏମିତି ଲଗାନା ।

ହାର-

 

ଗୋଡ଼ତଳେ ପଡ଼ୁନାହଁ ଖାଲି ହାତ ଯୋଡ଼ିଲେ କ’ଣ ହେବ !

ବିଦ୍ୟା-

 

ସେଥିପାଇଁ ନାରାଜ ନୁହେଁ ।

ସମସ୍ତେ-

 

ହଉ ଆସ ହାତଧରି ନେଇଯିବା ।

ବିଦ୍ୟାଧର-

 

ଚାଲ, କ’ଣ କରୁଛ କର । (ପ୍ରସ୍ଥାନ)

 

Unknown

ତୃତୀୟ ଅଙ୍କ ଚତୁର୍ଥ ଦୃଶ୍ୟ

(କାଞ୍ଚନବାଳା, ଦାସୀ, ବିଦ୍ୟାଧର, ହନ୍ତା)

କାଞ୍ଚନ-

 

ସହି ! ମୋ କର୍ମରେ କ’ଣ ବିଧାତା ଏଇଆ ଲେଖିଥିଲା, ଏହିପରି ରାକ୍ଷସୀ ପିଶାଚିନୀ ବୃତ୍ତି କରି କଅଣ ମୋର ଜୀବନ ଯିବ ? ପିତା ମାତା ଭଗ୍ନୀଙ୍କୁ ହରାଇ ଏଠାରେ ବେଶ୍ କାର୍ଯ୍ୟରେ ନିଯୁକ୍ତ ହୋଇଛି ।

ଦାସୀ-

 

ଜେମାମଣି ! ଦିନେ ତ ଏପରି କଥା କୁହ ନାହିଁ ଆଜି କାହିଁକି ଏ ଭାବ ମନେପଡ଼ିଛି ।

କାଞ୍ଚନ-

 

ଗୀତ

( ଆରେ ରାମାବର-ବୃତ୍ତେ )

ଆରେ ସହଚରି !

କେତେ ଦିନ ବଞ୍ଚିବି ମୁଁ ଏକାପରି । ପଦ ।

ହୃଦୟ କାନନେ ବିରହ ଅନଳ;

ଜଳି ସଦା କରେ ପରାଣ ଆକୁଳ,

ଯଉବନ ଭରା                  କେ ସହିବ ପରା

ମହୀରେ ଛାତି ପଥର କରି । ୧ ।

ଛାଡ଼ି ତାତ ମାତ ହୋଇଲେ ନିଶ୍ଚିନ୍ତ

ଦସ୍ୟୁ ଗୃହେ ଜନ୍ମ ହେଲା ମୋ ବିଅର୍ଥ,

ଯାଉ ନାହିଁ ଆଶା                  ତୁଟିବ ଦୁର୍ଦ୍ଦଶା

ବିଷାଦରେ ସଦା ଗଲି ସରି । ୨ ।

 

 

ସଖି ! କାହିଁ ରାଜକୋଳରେ ଜନ୍ମ ହୋଇଥିଲି, କେଡ଼େ ହେଲା ଗେହ୍ଲାରେ ଥାଆନ୍ତି କିନ୍ତୁ ବିଧାତାର ବିଡ଼ମ୍ବନାରୁ ଏ ଦସ୍ୟୁଗୃହରେ ଚିରଦିନ ଅନୁତାପ ଭୋଗ କରିବାକୁ ପଡ଼ୁଛି ।

ଦାସୀ-

 

ଜେମାମଣି ! ଆଉ ଭାବିଲେ କଅଣ ହେବ ।

 

 

‘‘ଦଇବ ଦଉଡ଼ି ମନୁଷ୍ୟ ଗାଈ,

ଯେଣିକି ଓଟାରି ତେଣିକି ଯାଇ’’

‘‘କାଳଚକ୍ରର ଆବର୍ତ୍ତନେ,

ଭୁଞ୍ଜନ୍ତି ସୁଖ ଦୁଃଖ ଜନେ ।’’

 

 

ଛାର ମନୁଷ୍ୟର କି ଆୟତ୍ତ, ଅସଲ କର୍ମର ଲେଖା । ହେଇଟି ଆଜି ଯେଉଁ ପୁରୁଷଟି ଆସିଛି ସେ ଆସିଲେଣି । ତୁମ୍ଭେ ତୁମ୍ଭ କାର୍ଯ୍ୟରେ ସତର୍କ ହୁଅ । ଯାଅ, ପରେ ଦୁଃଖ ସୁଖ ହେବା ।

କାଞ୍ଚନ-

 

ସଖି ! ନାରୀଜନ୍ମଠାରୁ ଆଉ ହୀନଜନ୍ମ ନାହିଁ ପୁଣି ଏ ଯେଉଁ ପିଶାଚୀ କାର୍ଯ୍ୟରେ ଧର୍ମପିତା ପକାଇ ଦେଇଛନ୍ତି ତହିଁକି କି ଘୋର ନର୍କରେ ପଡ଼ିବି କେଜାଣି ଠାକୁର ଭରସା, ମୋର କି ଚାରା ଅଛି (ପଲ୍ୟଙ୍କୋପରେ ଶୟନ)। (ବିଦ୍ୟାଧର ପ୍ରବେଶ)

ଦାସୀ-

 

କିହୋ ! କୁଆଡ଼େ ନସର ପସର ହୋଇ ଧାଉଁଛ କି । ଏଠି କଅଣ ଅଛି କାହିଁକି ଆସିଛ ମ ?

ବିଦ୍ୟାଧର-

 

କିଛି କାର୍ଯ୍ୟ ଅଛି ।

ଦାସୀ-

 

ଆଜିଯାଏ କୁଆଡ଼େ ଥିଲା, ଆଜି ମନେ ପଡ଼ିଗଲା କି ?

ବିଦ୍ୟାଧର-

 

ନାହିଁ, ମୁଁ କାର୍ଯ୍ୟବଶତଃ ।

ଦାସୀ-

 

ଦିଅ ଆମ ପୁରଷ୍କାର ଦିଅ, ତେବେ ଯାଇଁ ଆମ ସଖୀଙ୍କ ସାକ୍ଷାତ କରିବ।

ବିଦ୍ୟାଧର-

 

କି ପୁରଷ୍କାର ମୁଁ ଜାଣେ ନାହିଁ ।

 

 

ଗୀତ

ଆଜି, ମନେ ପଡ଼ିଲାକି, ହେ ବନ୍ଧୁ ।

କେଉଁ ଦିଗେ ଭାନୁ ଉଇଁଲା କି । ଘୋଷା ।

କେତେ ନିଶାନ୍ତରେ            ନାଦ ଉନ୍ମାଦରେ

ପିକ ଗଲା ଡାକି ଡାକି ।

ସନ୍ଧ୍ୟା ଭାଲେ ଫୁଟି            ଗଲାଣି ତରାଟି

ଲିଭିଗଲା କାଳିମା କି । ୧ ।

ଭୁଞ୍ଜରେ କୁଞ୍ଜରେ            ହସି ସୁବାସରେ

କେତେ ଫୁଲ ଗଲା ଶୁଖି ।

ନ ହେଲାଟି ତୋଳା            ନ ଗୁନ୍ଥିଲି ମାଳା

ଗଳା ଶୋଭା ହେଲା ବାକି । ୨ ।

ଦାସୀ-

 

ଏମିତି ଅଜଣା ଚାଉଳ ଭାତ କାହିଁକି ଖାଉଛ ମ’ ? ନ ଜାଣିଥିଲେ ପରା କହିଦେଲି ଏବେ ଦିଅ ବିନା ବକ୍‌ସିସରେ କବାଟ ଫିଟିବ ନାହିଁ ।

ବିଦ୍ୟାଧର-

 

ଆଚ୍ଛା ପରେ ଦେବି ବର୍ତ୍ତମାନ ଏ ମୁଦ୍ରିକାଟି ନିଅ ।

ଦାସୀ-

 

ହଉ ଯାଅ ( ଜନାନ୍ତିକେ ) ଆଉ ଘଣ୍ଟାକେ ମାମଲତ ଶେଷ । ଆହା ! କେଡ଼େ ଶୋଭାକାର ପୁରୁଷଟିଏ, ଏକା ଆମ୍ଭ କାଞ୍ଚନବାଳାଙ୍କ ଉପଯୁକ୍ତ ହୋଇଥିଲେ । କଅଣ ହେବ ବିଧାତା କି ଅବିଚାର ନ କରୁଛି ମୁଁ ଏଠୁଯାଏ ଲୋ ମା’ । ( ପ୍ରସ୍ଥାନ )

ବିଦ୍ୟାଧର-

 

(କାଞ୍ଚନବାଳାକୁ ଦେଖି)

ଆହା, କି ସୁନ୍ଦର କନକବରନା

ଉପମା ଦେବାକୁ ନାହିଁ ତ୍ରିଜଗତେ ୟାକୁ

ଏମନ୍ତ ସ୍ୱର୍ଗୀୟ ବାମା ଲଭି ମୁଁ ଜୀବନେ

ମୁର୍ଖପଣେ ହରାଉଣ ଥିଲି

(କାଞ୍ଚନ ପ୍ରତି) ଉଠ ପ୍ରିୟେ ହୃଦୟତୋଷିଣୀ

ଦେଇ ତୋର ସୁଧା ଧରୁ ମଧୁ

ତୃପ୍ତ କର ଏ ଦଗ୍‌ଧ ପରାଣ ।

 

 

ଗୀତ

କେତେକାଳେ ବିହି ମିଳାଇଲା ରେ

ଅକଳଙ୍କ ଚନ୍ଦ୍ର ବଦନା ଏ ବାମା

କାମାନଳେ ମୋତେ ଜକାଇଲା ରେ । ୧ ।

ସରଗ ସୁନ୍ଦରୀ                  ଚାରୁ ବିମ୍ବାଧରୀ

ଦୁରୂ ଦେଖି ମନ ଭୁଲାଇଲା ରେ

କନକବରନା                  ନବ ବରାଙ୍ଗନା

ଲଭିବାକୁ ବିହି ଫଳାଇଲା ରେ । ୨ ।

 

 

କ’ଣ ଉଠିବ ନାହିଁ ସଖି ! ମୁଁ ପ୍ରକୃତ ତୁମ୍ଭପ୍ରତି ନିର୍ଦ୍ଦୟ ବ୍ୟବହାର କରିଛି, ମୋତେ କ୍ଷମାଦିଅ । କଅଣ କରିବି, ନାରୀର ତୁଣ୍ଡରୁ ଉତ୍ତର ନଶୁଣି ତାର ଅଙ୍ଗ ସ୍ପର୍ଶ କରିବା ନିୟମ ନୁହେଁ, ତେବେ ଟିକିଏ ଅପେକ୍ଷା କରିବି।

(ଦ୍ୱାରଦେଶେ ହନ୍ତା ପ୍ରବେଶି)

ହନ୍ତା-

 

ଦେଈ ! ଦ୍ୱାରଖୋଲ, ରାତ୍ର ଅର୍ଦ୍ଧକରୁ ବଳିଗଲାଣି, ମୋ କାର୍ଯ୍ୟ ମୁଁ ଶେଷ କରିବି ।

ବିଦ୍ୟାଧର-

 

(ଆଶ୍ଚର୍ଯ୍ୟଭାବେ ସ୍ୱଗତ) କିଏ କଅଣ କହିଲା, କାର୍ଯ୍ୟଶେଷ କରିବି, ଏଠାରେ କାହାର କି କାର୍ଯ୍ୟ, ଏ ତ ମୋ ପ୍ରିୟାର ଶୟନ କକ୍ଷ, ଏଠାରେ ଅନ୍ୟ ଲୋକର କି କାର୍ଯ୍ୟ ? ବଡ଼ ଆଶ୍ଚର୍ଯ୍ୟ କଥା, ତେବେ ପଚାରେ (ପ୍ରକାଶ୍ୟେ) କିଏ ତୁ ?

ହନ୍ତା-

 

ଦେଈ ! ମୁଁ ହନ୍ତା ଆସିଲିଣି ସମୟ ବିଳମ୍ବ ହେଉଛି ମୋ କାର୍ଯ୍ୟ ମୁଁ ଶେଷ କରିଯିବି ।

ବିଦ୍ୟାଧର-

 

କି କାର୍ଯ୍ୟ ମୁଁ ବୁଝିପାରୁ ନାହିଁ ।

ହନ୍ତା-

 

ଦେଈ ! ୟା ପଚାରିବା ଉଦ୍ଦେଶ୍ୟ କଅଣ, ମୋ କାର୍ଯ୍ୟ କ’ଣ ଆପଣଙ୍କୁ କିଛି ଜଣାନାହିଁ ? ଶୀଘ୍ର ଦ୍ୱାରଖୋଲି ବାହାରି ଯାଆନ୍ତୁ ।

ବିଦ୍ୟାଧର-

 

(ସ୍ୱଗତ) ଓଃ, ଏତେବେଳେ ସ୍ମରଣ ହେଲା, ମୁଁ କାହାର ହନ୍ତା ବୋଲି ପଚାରୁଛି କ’ଣ, ଏତ ମୋର ହନ୍ତା, ମୁଁ ଏଡ଼େ ଭ୍ରମରେ ପଡ଼ିଛି, ଏବେ ବେଶ୍ ଜାଣିଲିଣି, ବେଶ୍ ବୁଝିଲିଣି, ଏ ନାରୀ ନୁହେଁ ରାକ୍ଷସୀ, ଏ ମୋର ଜୀବନର ମୁଦେଇ, ଏମାନଙ୍କ ପ୍ରତାରଣାରେ ପଡ଼ି ମୁଁ ବୃଥା ଆଶା ମନରେ ଜାଗରିତ କରିଛି । ନାରାୟଣ ! ଏ ଦସ୍ୟୁ ଗୃହରେ ମୋତେ ଆଣି ପକାଇ ମୋର ଜୀବନ ନେଲ ! ଆପଣଙ୍କର ଏ ଅଭାଗାପ୍ରତି ଏହି ମାତ୍ର ସୁବିଚାର ହେଲା ! ଆପଣଙ୍କ କାର୍ଯ୍ୟରେ ଆସି ଦସ୍ୟୁ ଗୃହରେ ପ୍ରାଣ ହରାଇଲି । ମା’, ମା’, ତୁମ୍ଭ ନିକଟରେ ଯେ ପ୍ରତିଜ୍ଞା ସନ୍ତାନ କରିଥିଲା ତା ଏହିଠାରେ ପୂର୍ଣ୍ଣ ହେଲା । ପିତା ! ଆପଣଙ୍କୁ କାରାମୁକ୍ତ କରିବା ଆଶା ପୂର୍ଣ୍ଣହେଉ ବା ନହେଉ ମୋର ଚାଣ୍ଡାଳ ହସ୍ତରେ ପ୍ରାଣଗଲା (କାଞ୍ଚନବାଳାକୁ ଚାହିଁ) ଏ ନାରୀ ନୁହେଁ, ମୋର ଜୀବନର ମୁଦେଇ; ୟାର ରୂପଲାବଣ୍ୟରେ ଯେ ମଧୁରତା ଅଛି କେବଳ ପୁରୁଷକୁ ଆବଦ୍ଧ କରିବା ମାତ୍ର । ଏ ନାରୀର ଅନ୍ତର ଅତି କୁଟିଳ, ୟାର ମୁଖମଣ୍ଡଳରେ ଭଗବାନ ମଧୁ ଦେଇ ଅନ୍ତରରେ ବିଷ ଭରିଦେଇଛନ୍ତି । ଏବେ ବେଶ୍ ବୁଝି ସାରିଲିଣି କେହି ପୁରୁଷ ୟାର ରୂପ ସନ୍ଦର୍ଶନ କରି ପ୍ରେମବିହ୍ୱଳ ହୋଇ ଅଜ୍ଞାନ ହେଲେ ଏ ତାର ଜୀବନ ନିଏ । ଆଜି ମୁଁ ମଧ୍ୟ ସେହିଦଶା ପ୍ରାପ୍ତ । ପ୍ରେମଶୀଳେ ! ମୁଁ ତୋତେ ଦସ୍ୟୁ କବଳରୁ ମୁକ୍ତକରି ତୋ କଥା ନମାନି ତୋତେ ସଙ୍ଗରେ ନଆଣି ଆଜି ଦସ୍ୟୁପୁରରେ ପ୍ରାଣ ହରାଇଲି । ପ୍ରେମଶୀଳେ ! ଆଜିଠାରୁ ତୋର ମୋର ଏତିକି । ତୋଠାରୁ ଚିର ବିଦାୟ ନେଲି, ଆଉ ମୋ ଦୋଷ ବାରିବୁ ନାହିଁ । ଆଉ ମୋ ପଥ ଚାହିଁ ବସିବୁ ନାହିଁ । ମୋତେ ନୃଶଂସ ଘାତୁକ ବୋଲି ଭାବିବୁ ନାହିଁ । ହା ପ୍ରେମଶୀଳେ ! କେଣେ ରହିଲୁ ।

କାଞ୍ଚନ-

 

(ଉଠି ଅଳସଭାଙ୍ଗି ଆଶ୍ଚର୍ଯ୍ୟ)

ବିଦ୍ୟାଧର-

 

ସଇଲା ନାରାୟଣ !

କାଞ୍ଚନ-

 

ଏକ ସ୍ୱପ୍ନ, ମୋର କାହାସଙ୍ଗେ ମିଳନ, ପିତା ମାତା ଭଗ୍ନୀ ଓ ସ୍ୱାମୀ ସହିତ ମିଳନ ।

ବିଦ୍ୟାଧର-

 

ଏଇଥର ଶେଷ, ପ୍ରେମଶୀଳେ ! ପ୍ରେମଶୀଳେ !

କାଞ୍ଚନ-

 

କିଏ ? କି ନାମ କହିଲ, ଆଉଥରେ ଆଉଥରେ କୁହ । ସେ ନାମ ତୁମ୍ଭଙ୍କୁ କିଏ କହିଲା, ସେ ଅମୂଲ୍ୟନିଧିର ନାମ କିଏ ତୁମ୍ଭଙ୍କୁ ଶିଖାଇଲା ?

ବିଦ୍ୟାଧର-

 

ପାଇଥିଲି ସେ ଅମୂଲ୍ୟନିଧିକ, ପାଇଥିଲି, ଆଉ ନାହିଁ ଆଉ ପାଇବି ନାହିଁ।

କାଞ୍ଚନ-

 

ଗୀତ

( କୀର୍ତ୍ତନ ସୁର )

କହ ହେ ନାଗର            ସେ ନାମ ତୁମ୍ଭର

ତୁଣ୍ଡରୁ କାହୁଁ ସ୍ଫୁରିଲା ।

ଏ ଦଗ୍‌ଧ ପରାଣେ            ପୀୟୁଷର ଧାର

ଶ୍ରବଣେ ମାତ୍ର କହିଲା ।

କହ କାହୁଁ ପାଇଲଟି ।

ପ୍ରେମଶୀଳା ବୋଲି ନାମ ଗୋଟି । ୧ ।

କିଏ ପ୍ରେମଶୀଳା            କାହାର ସେ ବାଳା

ଅଟେ ସେ ତୁମ୍ଭର କିସ ।

ସଂଶୟ ନ କରି            କହ ବାରେ ଫେଡ଼ି

ଶୁଣିବାକୁ ବଡ଼ ଆଶ ।

ମନ ଆଶା କର ପୂର୍ଣ୍ଣ ।

ପ୍ରେମଶୀଳା ବୋଲି କାହା ନାମ । ୨ ।

 

 

ନାଗର ! ପ୍ରେମଶୀଳା କିଏ ? ସେ ତୁମ୍ଭର କଅଣ ହୁଏ, ଦୟାକରି ଟିକିଏ କହନ୍ତୁ । ତୁମ୍ଭ ପଦ ଧରୁଛି, କହନ୍ତୁ ସେ କିଏ ?

ବିଦ୍ୟାଧର-

 

(ଉଠାଇ ଦେଇ)

ଗୀତ

(ପରମ ଆଦରେ ପରାଣ-ବୃତ୍ତେ)

ତରୁଣୀ ରତନ                        ତରଳିଲୁ କିଆଁ

ସେ ନାମ ଶୁଣିଲା କ୍ଷଣଟି ଗୋ ।

ସେ ମୋ ହୃଦଦ୍ୱାରା                  ପ୍ରେମର ପସରା

ମୁହିଁ ତାର ମଥାମଣିଟି ଗୋ । ୧ ।

ବିଜନ ବିପିନେ                        ଭେଟିଲି ମୁଁ ଦିନେ

ସେ ଚନ୍ଦ୍ରବଦନୀ ଧନୀଟି ଗୋ ।

ବଳେ ଧରି କାନ୍ତ                  କଲା ନାରୀରତ୍ନ

କହି ମୋତେ ଚାଟୁ ବାଣୀଟି ଗୋ । ୨ ।

ରାଜା ଚନ୍ଦ୍ରକାନ୍ତ      ପିଅର ତାର ତ

ପ୍ରେମଶୀଳା ସେ ତରୁଣୀଟି ଗୋ ।

କାଞ୍ଚନ ସହର                        ଜନ୍ମ ସ୍ଥାନ ତାର

କାଞ୍ଚନବାଳା ତା ଭଉଣୀଟି ଗୋ । ୩ ।

 

 

ସୁନ୍ଦରୀ ! ରତ୍ନାବତୀପୁରର ରାଜା ଚନ୍ଦ୍ରକାନ୍ତଙ୍କର ଜ୍ୟେଷ୍ଠା କନ୍ୟା ପ୍ରେମଶୀଳା, ସେ ଗୋଟିଏ ଦସ୍ୟୁ କବଳରେ ପଡ଼ି ବଡ଼ କିଛି ଦୁଃଖ ଭୋଗ କରୁଥିଲା । ଦଇବେ ମୁଁ ବିଦେଶ ଆସିବା ପଥରେ ସେ ମୋ ଦୃଷ୍ଟିଗୋଚର ହେଲା । ମୁଁ ସେ ସୁନ୍ଦରୀର ଆନ୍ତରିକ ଇଚ୍ଛା ବୁଝିପାରି ଦସ୍ୟୁର ପ୍ରାଣ ବିନାଶ କରନ୍ତେ ସେ ମୋତେ ପତିତ୍ୱେ ବରଣ କଲା । ମୁଁ ସେଥିରେ ସମ୍ମତି ପ୍ରଦାନ କରି ତାକୁ ସେହି ସ୍ଥାନରେ ନିରାପଦରେ ରହିବାର ସୁବିଧା କରିଦେଇ ମୋ ନିଜ କାର୍ଯ୍ୟରେ ଆସିଲି । ବିଧାତା ବିପକ୍ଷକୁ ତୁମ୍ଭ ଚରମାନଙ୍କଦ୍ୱାରା ଧୃତ ହୋଇ ତାଙ୍କ ପ୍ରତାରଣାରେ ପଡ଼ି ତୁମ୍ଭ ନିକଟରେ ଶେଷ ଦଶା ।

କାଞ୍ଚନ-

 

କ’ଣ କହିଲ ନାଗର ! ପ୍ରେମଶୀଳା ଦସ୍ୟୁ କବଳରୁ ମୁକ୍ତହୋଇ ଆପଣଙ୍କ ପଦ-ପଙ୍କଜରେ ଆଶ୍ରୟ ନେଇଛି । ପ୍ରେମଶୀଳା ତା’ର ଜୀବନ ସାର୍ଥକ କରିଛି । ଏ ଚଣ୍ଡାଳୁଣୀ, ପିଶାଚିନୀ ବୃତ୍ତି କରି ନରକ ଯନ୍ତ୍ରଣାରେ ଘାଣ୍ଟି ହୋଇ ମରୁଛି, ନାଗର ! ଜାଣ ଏ ଅଭାଗିନୀ କିଏ ?

ବିଦ୍ୟାଧର-

 

କିପରି ଜାଣିବି ? ତେବେ ଘଟଣାସ୍ଥଳେ ଯାହା ଦେଖିଲି ତୁମ୍ଭେ ମୋ ଜୀବନର ମୁଦେଇ ।

କାଞ୍ଚନ-

 

(ପଦ ଧରି ପକାଇ) କ୍ଷମା କର ପ୍ରଭୁ ! ଏ ଅଭାଗିନୀ ସେହି ପ୍ରେମଶୀଳାର କନିଷ୍ଠା ଭଗିନୀ । ଏ ପାଷାଣ୍ଡୀର ନାମ କାଞ୍ଚନବାଳା । ପିତା ଆମ୍ଭର ଆମ୍ଭ ଦୁଇ କନ୍ୟାଙ୍କୁ ସଙ୍ଗରେ ଘେନି ତୀର୍ଥ ପର୍ଯ୍ୟଟନ କରିବାକୁ ଯାଉଥିଲେ, ସେଠାରେ ଜଣେ ଦସ୍ୟୁ ଆମ୍ଭ ଦୁଇଜଣଙ୍କୁ ପିତାଙ୍କ ନିକଟରୁ ଛଡ଼ାଇ ନେଇ ଚାଲିଗଲା । ସେଠୁ ଆସିବା ପଥରେ ଆମ୍ଭେ ଦୁହେଁ କାତର ହୋଇ ରକ୍ଷାକର ରକ୍ଷାକର ବୋଲି ଡାକନ୍ତେ ଏଠାର ସାଧବ ଯେ କି ମୋର ଧର୍ମପିତା-ମୋତେ କେବଳ ଦସ୍ୟୁ ହସ୍ତରୁ ମୁକ୍ତକଲା; କିନ୍ତୁ ପ୍ରେମଶୀଳା ଉଦ୍ଧାର ହୋଇ ପାରିଲା ନାହିଁ । ବନ୍ଧୁ ! ଆପଣ ପ୍ରେମଶୀଳାକୁ ଆପଣଙ୍କ ପଦପଙ୍କଜରେ ଆଶ୍ରୟ ଦେଇଛନ୍ତି, ଦୟାକରି ଅଭାଗିନୀକୁ ସେ ପଦତଳେ ଆଶ୍ରୟ ଦିଅନ୍ତୁ, ନଚେତ୍ ଆପଣଙ୍କ ନିକଟରେ ଦାସୀ ପ୍ରାଣ ବିସର୍ଜନ କରିବ ।

ବିଦ୍ୟାଧର-

 

(ସ୍ୱଗତ) ପ୍ରେମଶୀଳାର ଓ ୟାର ରୂପରେ କଥାରେ କିଛି ପ୍ରଭେଦ ଘଟୁନାହିଁ । ତେବେ ପ୍ରେମଶୀଳା ଅତି ସରଳ ପ୍ରକୃତିର ଲୋକ । ଏ ତା’ର ଭଗିନୀ ହୋଇ ଏତେଦୂର ପୈଶାଚିକ ନରହତ୍ୟା କାର୍ଯ୍ୟରେ ପ୍ରବୃତ୍ତ ହୋଇଛି, ଏତ ବଡ଼ ଆଶ୍ଚର୍ଯ୍ୟ । ତେବେ ଥରେ ପଚାରେ (ପ୍ରକାଶ୍ୟେ) ସୁନ୍ଦରୀ ! ତୁମ୍ଭର କଥା ବିଶ୍ୱାସଜନକ; କିନ୍ତୁ ଗୋଟିଏ କଥାକୁ ମନରେ ବଡ଼ କିଛି ସନ୍ଦେହ ଆସୁଛି । ସେ ସନ୍ଦେହ ମୋଚନ କରି ପାରିବ କି ?

କାଞ୍ଚନ-

 

ଦାସୀ ଆପଣଙ୍କ ନିକଟରେ ପ୍ରକାଶ କରିବ ନାହିଁ ତ ଆଉ କାହା ନିକଟରେ ପ୍ରକାଶ କରିବ, କହନ୍ତୁ ପ୍ରଭୁ !

ବିଦ୍ୟାଧର-

 

ମନରେ କୌଣସି କଷ୍ଟ କରିବ ସେଥି ଯୋଗୁଁ ପ୍ରକାଶ କରିବାକୁ ଭୟ ମନେ କରୁଛି ।

କାଞ୍ଚନ-

 

ନା ଆପଣଙ୍କ ନିକଟରେ କୌଣସି କଥା ପ୍ରକାଶ କରିବାକୁ ମୋର ତିଳେମାତ୍ର ଛନ୍ଦ ନାହିଁ ।

ବିଦ୍ୟାଧର-

 

ଆଚ୍ଛା, ତୁମ୍ଭେ ପ୍ରେମଶୀଳାର ଭଗିନୀ ହୋଇ ଏପରି ଜଘନ୍ୟ ନରହତ୍ୟା କାର୍ଯ୍ୟରେ ପ୍ରବୃତ୍ତ ହୋଇଛ କାହିଁକି ?

କାଞ୍ଚନ-

 

ଆପଣ ବିଶ୍ୱାସ ଯାଆନ୍ତୁ ବା ନ ଯାଆନ୍ତୁ ମୁଁ ପ୍ରକୃତ କଥା ପ୍ରକାଶ କରିବି । ଏ ସାଧବର ଡକାୟତି ବୃତ୍ତି । ପଥିକମାନଙ୍କୁ ହତ୍ୟାକରି ଧନ ଉପାର୍ଜନ କରୁଥିଲା; କିନ୍ତୁ ମୁଁ ଆସିଲା ଦିନୁ ସେହି କୁତ୍ସିତ କାର୍ଯ୍ୟଟି ବନ୍ଦ କରିବା ଉଦ୍ଦେଶ୍ୟରେ ଯେଉଁ ଲୋକଟି ଧରାହୋଇ ଆସିବ ମୁଁ ମାରିବି କହି ସାଧବଠାରୁ ମୋ ନିକଟ ନେଇଆସେ ଓ କିପରି ପଥିକଟିକୁ ଧରି ମୋ ପର୍ଯ୍ୟନ୍ତ ଆଣିବ ସେ କୌଶଳ ମଧ୍ୟ ବତାଇ ଦେଇଛି । ପଥିକଟି ମୋ ନିକଟ ଆସିଲେ ତାକୁ ଏ ହନ୍ତାଦ୍ୱାରା ଏ ନିର୍ଜନ ସମୟରେ ବିଦାୟ କରିଦିଏ । ଧନରତ୍ନତକ ସାଧବ ଆଗରୁ ନେଇଥାନ୍ତି, ୟା ବ୍ୟତୀତ ଅନ୍ୟକଥା କିଛି ନୁହେ । ଏ ଦାସୀର ପ୍ରକୃତି ସେତେ କୁଟିଳା ନୁହେ ।

ବିଦ୍ୟାଧର-

 

ସୁନ୍ଦରୀ ! ମୋର ସମସ୍ତ ବିଶ୍ୱାସ ହେଲା । ଆଚ୍ଛା କହି ପାରିବ କି ? ତୁମ୍ଭ ପିତାଙ୍କ ଗୃହରେ ସତ୍ୟନାରାୟଣଙ୍କ ପ୍ରଦତ୍ତ କିଛି ଦ୍ରବ୍ୟ ଅଛି ? ସେହି ଦ୍ରବ୍ୟ ଆଶାରେ ମୁଁ ପ୍ରତିଜ୍ଞାବଦ୍ଧ ହୋଇଛି ।

କାଞ୍ଚନ-

 

ନାଥ ! ସୁବର୍ଣ୍ଣକାଣ୍ଡ ଆସ୍ଥାନ ଛଡ଼ା ଆଉ ଅନ୍ୟ କ’ଣ ମୋର ସ୍ମରଣ ହେଉ ନାହିଁ । ଆପଣ ତା ନିର୍ବିଘ୍ନରେ ପାଇପାରିବେ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ; କିନ୍ତୁ ଆପଣ ନାରାୟଣଙ୍କଠାରେ ଏକାନ୍ତ ଭକ୍ତି ଓ ଆମ୍ଭ ଦୁଇ କନ୍ୟାଙ୍କୁ ଉଦ୍ଧାର କରିବା କର୍ତ୍ତବ୍ୟ ।

ବିଦ୍ୟାଧର-

 

ସୁନ୍ଦରୀ ! ମୁଁ ସେହି ନାରାୟଣଙ୍କ ଅନୁଗ୍ରହରୁ ପ୍ରଥମେ ପ୍ରେମଶୀଳା ଓ ଦ୍ୱିତୀୟେ ତୁମ୍ଭର ସାକ୍ଷାତ୍ ପାଇଲିଣି । ମୋତେ ବୁଦ୍ଧି ଦିଅ, କିପରି ମୁଁ ତା ଅକ୍ଳେଶରେ ପାଇପାରିବି ।

କାଞ୍ଚନ-

 

ଆଗେ ଏ ଦାସୀର ଆନ୍ତରିକ ଆଶା ପୂରଣ କରନ୍ତୁ, ଦାସୀକୁ ପଦ-ପଙ୍କଜରେ ଆଶ୍ରୟ ଦିଅନ୍ତୁ ।

ବିଦ୍ୟାଧର-

 

ଏ ହତଭାଗାର ସେ ଭାଗ୍ୟ ହେବ ? ତୁମ୍ଭ ଅନୁଗ୍ରହ ।

କାଞ୍ଚନ-

 

ନାଥ ! ଏ ରତ୍ନମାକାଟି ଆପଣଙ୍କ ଗଳାରେ ଲମ୍ବାଇ ପଦଦାସୀରେ ରହିବି ।

ବିଦ୍ୟାଧର-

 

ଯା ଇଚ୍ଛା କର ।

କାଞ୍ଚନ-

 

(ମାଳା ଦେବା ବିଦ୍ୟାର ଚୁମ୍ବନ) ନାଥ ! ଏ ମାଳାଟି ଦୁର୍ଗାପ୍ରଦତ୍ତ, ୟାର ଅଦ୍ଭୁତ ଶକ୍ତି, ବିପଦ ଆପଦରେ ସଦ୍ୟ ଫଳ ପ୍ରଦାନ କରିବ ।

ବିଦ୍ୟାଧର-

 

ପ୍ରିୟେ ! ତୁମ୍ଭଙ୍କୁ ଏହି ସ୍ଥାନରେ ରଖି କାଞ୍ଚନ ସହର ପର୍ଯ୍ୟନ୍ତ ଯାଇ ପାରିବି କି ? କାରଣ ତୁମ୍ଭଙ୍କୁ ସଙ୍ଗରେ ଘେନି ବୁଲିବା ସେତେ ସୁବିଧାଜନକ ବୋଧ କରୁ ନାହିଁ ।

କାଞ୍ଚନ-

 

ଦାସୀ ଆପଣଙ୍କ କଥାରୁ ବାହାର ନୁହେ; କିନ୍ତୁ ନିରାଶ କଲେ ହତାଶ ହେବି ।

ବିଦ୍ୟାଧର-

 

ଏ କଥା ସ୍ୱପ୍ନରେ ସୁଦ୍ଧା ଭାବିବ ନାହିଁ । ମୁଁ ତୁମ୍ଭ ଦୁହିଁଙ୍କ ନିକଟରେ ଚିର ଋଣୀ, ପ୍ରିୟେ ! ମୋତେ ମେଲାଣି ଦିଅ ।

କାଞ୍ଚନ-

 

ଗୀତ

(ବାଜବୋଉ ରାଜା ବାହାଘର-ବୃତ୍ତେ)

ପ୍ରାଣଧନ ଭୁଲିବ ନାହିଁ ସୁହାଗିନୀ ତବ ପଦଦାସୀକି

ଆଶା ଦେଇ ଯେବେ            ନିରାଶା କରିବ

ଅଶ୍ରୁନୀରେ ସଦା ଯିବି ଭାସିଟି । ପଦ ।

ଥିଲେ ମୋର କିଞ୍ଚିତ ଦୋଷ

କ୍ଷମା ଦେବଟି ହେ ଜୀବେଶ,

ଧରୁଛି ଚରଣ                  ଏହି ମୋର ପଣ

ନ ଆସିଲେ ପ୍ରାଣ ଦେବି ଝାସିଟି । ୧ ।

 

 

ନାଥ ! ଯେବେ ଏ ଅଭାଗିନୀକୁ ମନରୁ ଭୁଲି ଯାଆନ୍ତି ତେବେ ଦାସୀ ନିଶ୍ଚୟ ଆତ୍ମହତ୍ୟା କରିବ, ଆଉ ଆପଣ ଚିର ଅନୁତାପ ଭୋଗ କରିବେ।

ବିଦ୍ୟାଧର-

 

ପ୍ରିୟେ ! ଭଗବାନ୍ ତା ନ କରନ୍ତୁ । ଏ ଅଭାଗାର ତୁମ୍ଭେମାନେ ହିଁ ଏକମାତ୍ର ଭରସା, ମୁଁ ଆସୁଛି ।

କାଞ୍ଚନ-

 

ଚାଲନ୍ତୁ, ମୁଁ ପଥ ଦେଖାଇ ଦେବି । କେ ଅଛି ? (ହନ୍ତାପ୍ରତି)

ହନ୍ତା-

 

ମୁଁ ।

କାଞ୍ଚନ-

 

ଯା, ଆଜି କିଛି କାର୍ଯ୍ୟ ନାହିଁ । ପିତାଙ୍କୁ କହିବୁ ମୁଁ ଆଦେଶ ନଦେବା ଯାଏ ଅନ୍ୟ ପଥିକ ଏ ସ୍ଥାନକୁ ଆଣିବେ ନାହିଁ ।

ହନ୍ତା-

 

ଯେ ଆଜ୍ଞ ।

କାଞ୍ଚନ-

 

ଆସନ୍ତୁ ! ରାତ୍ର ଆସି ଶେଷ ହେବାକୁ ହୋଇଗଲାଣି । କାଳେ କେହି ଭେଟ ପଡ଼ିପାରେ, ନାରାୟଣଙ୍କୁ ମନରୁ ଭୁଲିବେ ନାହିଁ, ସେ ସମସ୍ତ ଦୁଃଖ ହରଣ କରିଦେବେ । ( ପ୍ରସ୍ଥାନ )

 

ଚତୁର୍ଥ ଅଙ୍କ ପ୍ରଥମ ଦୃଶ୍ୟ

(ଦୁର୍ବୁଦ୍ଧି, ବଟୁକ, ଶବରୀ)

 

ଦୁର୍ବୁଦ୍ଧି-

 

ବଟୁକ ! ସେ କେଳାଠାରେ କୌଣସି ଐଶ୍ୱରିକ ଶକ୍ତି ଅଛି ଆମେ ବଡ଼ ଭୁଲ୍‌ କଲେ । ତା’ଠାରୁ ଆଉ ଦି ଚାରିଟା ଇଲମ ରଖି ପାରିଲୁ ନାହିଁ ।

ବଟୁକ-

 

ଆଜ୍ଞା ଏଇତ ଯଥେଷ୍ଟ, ଆଉ ହବ କ’ଣ, ଆଜି ଦେଖନ୍ତୁ ତ ବିଦ୍ୟାଧର କେଉଁଠି କଅଣ କରୁଛି ?

ଦୁର୍ବୁଦ୍ଧି-

 

ଆଚ୍ଛା ଦେଖିବା ଜଳ ଆଣ ।

ବଟୁକ-

 

(ଜଳ ପାତ୍ରରେ ମଣି ପକାଇ ଦୁହେଁ ଚାହିଁବା) ଏଇ ଦେଖିନ୍ତୁ ଗୋଟିଏ ସ୍ତ୍ରୀ ସଙ୍ଗରେ କଅଣ ଗୋଟାଏ ପରାମର୍ଶ କରୁଛି ।

ଦୁର୍ବୁଦ୍ଧି-

 

ଆରେ, ଠିକ୍ ତ, ଆଚ୍ଛା ସେ, ଯାହା ଇଚ୍ଛା ତା’ କରୁ, କାଣ୍ଡ ଆସ୍ଥାନ ଆଣିଲା ବେଳେ ଟିକିଏ ଜଗିବା ଦର୍କାର ।

ବଟୁକ-

 

ଆଜ୍ଞା ଠିକ୍ ସେହି କଥା । ଦହି ଗୋଳେଇବାରେ ଆମ୍ଭର ଦରକାର କ’ଣ ? ଲହୁଣୀ ଟିକକ ହାତରେ ପଡ଼ିଲେ ଗଲା । ମାଛ-ପୋଖରୀଟାକୁ ପାଣି ବୋହିବ ସେ, ମାଛ ଧରିଲାବେଳକୁ ଆମ୍ଭେ । ଆପଣ କିଛି ଭାବନା କରନ୍ତୁ ନାହିଁ, ମନକାମନା ନିଶ୍ଚେ ଆମ୍ଭର ପୂର୍ଣ୍ଣ ହୋଇଯିବ ।

ଦୁର୍ବୁଦ୍ଧି-

 

ସ୍ୱର୍ଣ୍ଣକାଣ୍ଡ ନିଶ୍ଚୟ ଆମ ହାତରେ ପଡ଼ିବ ଏହା ସ୍ୱତଃସିଦ୍ଧ । ବଟୁକ ! ଦେଖିଲୁଣି ୟାଡ଼ୁ ଦିଟା କିଏ ଲାଲ-ଗୋଲାଲ ହୋଇ ଆସୁଛନ୍ତି ।

ବଟୁକ-

 

ଦୋସ୍ତ ! ଏତ ଚୋସ୍ତ ପକା ମାଲ ଦିଟା ।

ଦୁର୍ବୁଦ୍ଧି-

 

ଆରେ ଗୋଟାଏ ମରଦ ଅଛିକି ?

ବଟୁକ-

 

(ନିରେଖି ଚାହିଁ) ନା, ନା, ଦୁଇଟି ଯାକ ତ ନବ ଛଇଳା ।

ଦୁର୍ବୁଦ୍ଧି-

 

ଆରେ ହଁ ସେ ଶବରୀ ଦୁଇଜଣ ।

ବଟୁକ-

 

ଏ ମାଇକିନିଆ ଠାଣି ତ ବେଶ୍ ।

ଦୁର୍ବୁଦ୍ଧି-

 

ଶବରୀ ଗୋଟିଏ ଗୋଟିଏ ଭାରି ସୁନ୍ଦରୀ ଅଛନ୍ତି ।

 

 

(ଶବରୀଙ୍କ ପ୍ରବେଶ ଓ ଅଭିବାଦନ)

ଶବରୀ-

 

ଦଣ୍ଡବତ ରାଜା ସାଆନ୍ତେ !

ଦୁର୍ବୁଦ୍ଧି-

 

ହଇହେ ତେମେ କୁଆଡ଼େ ଯାଇଥିଲ ।

ଶବରୀ-

 

ହିତି, ଏନେ ଯାଇଥିଲୁ କୁଲି ଆନିବା ଲିଗି ।

ବଟୁକ-

 

ଆଚ୍ଛା ତେମେ ଦି’ଜଣ କ’ଣ ଦୁଅ ।

ଶବରୀ-

 

ଆପଣଙ୍କୁ କେମିତି ଦିଶୁଛି ସାଆନ୍ତେ, ଆମରା କହିତେ ପାରିବନା ।

ବଟୁକ-

 

(ଦୁର୍ବୁଦ୍ଧି ପ୍ରତି) ଆଜ୍ଞା ଏ କଅଣ ହୁଅନ୍ତି ? କହି ପାରିବେ ନାହିଁ ?

ଦୁର୍ବୁଦ୍ଧି-

 

ଆରେ ସେମାନେ ଲଜ୍ଜା କରୁଛନ୍ତି, ବୋଧହୁଏ ଦି’ଯା ହେବେ ପରା ? ହଇଲୋ କଅଣ ?

ଶବରୀ-

 

ଆଜ୍ଞା, କି କହିଲୁ ସାଆନ୍ତେ ।

ବଟୁକ-

 

ତେମେ ଦୁହେଁ ଦୁଇଯାଅ ହୁଅ ?

ଶବରୀ-

 

ହଁ ସାଆନ୍ତେ ଆମେ ଦୁଇ ଯା ହଉଁ ।

ବଟୁକ-

 

ତେମେ ସବୁ କ’ଣ କର, ତମର ବ୍ୟବସାୟ କଅଣ ?

ଶବରୀ-

 

ସାଆନ୍ତ ! ଚିଡ଼ିଆ ମାରୁ, ବଜାରେ କାଠ ବିକ୍ରିକରୁ ଓ ଧୂଡ଼ୁକି ବଜାଇ ବାଉଁଶରାଣୀ ତାମସା କରୁ; କୁଲି ବିକୁ ।

ଦୁର୍ବୁଦ୍ଧି-

 

ଆଚ୍ଛା, କେମିତିକା କୋଳି ଆଣିଛ ଦେଖାଇଲ ?

କେଲୁଣୀ-

 

ଗୀତ

(ଆଉ ନ ମାର ରସଛୁରି ବୃତ୍ତେ)

ଆସ ନିଅ ପାଚିଲା କୋଳି ଆଣିଛୁ ତୋଳି । ଘୋଷା ।

ବେତ ଭଇଞ୍ଚ କ୍ଷୀର            ଜାମୁ କଣ୍ଟାଇ ବର

ଖାଇଲେ ମନ ଯିବ ଭୁଲି । ୧ ।

ଲେମ୍ଭୁ ନାରଙ୍ଗ ଟଭା            ଦିଶୁଛି କେଡ଼େ ଶୋଭା

ଛାଡ଼ିଲେ ହେଉଥିବ ଝୁରି । ୨ ।

କେନ୍ଦୁ କଇଥ ବେଲ            ପିଆରା ଜାମୁରୋଳ

ଷଡ଼ରସରେ ଅଛି ପୂରି । ୩ ।

ସାଆନ୍ତେ ! ଏଇ ଏଇ ଫଳମାନ ସବୁ ଅଛି ।

ବଟୁକ-ଆମକୁ କିଛି ଦେ ଆମେ ପଇସା ଦବୁ ।

କେଲୁଣୀ-

 

ସାଆନ୍ତେ ! ଆଗେ ବହିନିକର, ଆମେ ପଇସା ପସରାରେ ନ ପକେଇ କୁଲି ଦବୁ ନାହିଁ ।

ବଟୁକ-

 

ଆଚ୍ଛା, ତେମେ ମାଇକିନିଆ ଦି’ଟା, ଆମେ ଯେବେ କୋଳି ଛଡ଼ାଇ ନେଉ ଭଲା ତେମେ କଅଣ କରିବ ?

କେଲୁଣୀ-

 

ସାଆନ୍ତ ! ଆପଣଙ୍କ ପରି କେତେ ଅଣ୍ଡିରାଙ୍କୁ ଦେଖି ଆସିଲୁଣି, ଖାଲି ମାଗଣା ପଡ଼ିଛି ଛଡ଼େଇ ନବ ।

ଦୁର୍ବୁଦ୍ଧି-

 

ବଟୁକ ! ତାଙ୍କୁ କିଛି ଦେଇ କୋଳି ଆଣ ।

 

 

(ଚୁପ୍ ଚୁପ୍ ତାଙ୍କୁ ପଚାରିଲୁ ସେ ବାହା ହୋଇଛନ୍ତି?)

ବଟୁକ-

 

ହଇଲୋ ! ତେମେ ବାହା ହୋଇଛ ?

କେଲୁଣୀ-

 

ହଁ ସାଆନ୍ତେ ! ଆମେ ବାହା ହୋଇଛୁ; ଆମର ଗେରସ୍ତ ଅଛି ।

ବଟୁକ-

 

ଆମକୁ ବାହା ହବ ନାହିଁ ।

କେଲୁଣୀ-

 

(ଅନ୍ୟ ପ୍ରତି) ସଙ୍ଗାତ ! ଏ ସାଆନ୍ତ ଭାରି ଭାରି କଥା କହୁଛି । ହେ ସାଆନ୍ତ ! ଆମେ ସିନା ଛୋଟ ଲୋକ, ଆପଣଙ୍କଠାରୁ ଛୋଟଜାତି; କିନ୍ତୁ ଆମର ମିଜାଜ ସେମିତିକିଆ ଛୋଟ ନୁହେଁ । ଦେଖିବୁ କେମିତି ଆମକୁ ବାହା ହବୁ (ଧୂଳିମନ୍ତ୍ର ପକାଇ ଦେଇ) ବସି ଏଇଠି ହସୁଥା । (ପ୍ରସ୍ଥାନ)

 

 

(ଦୁହେଁଯାକ ହସି ହସି ଥୋବରା)

ବଟୁକ-

 

ଆରେ ଏ ଗୁଡ଼ାଙ୍କଠେଇଁ ଏମିତିକିଆ ଯନ୍ତ୍ର ଅଛି ।

ଦୁର୍ବୁଦ୍ଧି-

 

ଜଙ୍ଗଲି ଲୋକମାନଙ୍କଠାରେ ଅନେକ ହିକମତ ଥାଏ, ତୁ ବିଗାଡ଼ି ଦେଲୁ ତାଙ୍କୁ ମାଗିଥିଲେ କିଛି ହିକମତ ମିଳିଥାନ୍ତା ।

ବଟୁକ-

 

ମୁଁ କ’ଣ ଜାଣେ କି ? ତାଙ୍କ ରୂପ ତାଙ୍କ ଢଙ୍ଗଢାଙ୍ଗ ଦେଖି ମୋ ମନ କ’ଣ ହୋଇଗଲା । ଚାଲନ୍ତୁ ଏଠାରୁ ପଳାଇବା କାଳେ ପୁଣି କିଏ ଆସିବ।

ଦୁର୍ବୁଦ୍ଧି-

 

ଚାଲେ । (ପ୍ରସ୍ଥାନ)

 

ଚତୁର୍ଥ ଅଙ୍କ ଦ୍ୱିତୀୟ ଦୃଶ୍ୟ

( ସାଧୁ ବିଦ୍ୟାଧର, ସତ୍ୟନାରାୟଣ )

 

ବିଦ୍ୟାଧର-

ଏ ଡକାୟତ୍‌ଗୁଡ଼ାଙ୍କ ପ୍ରତାରଣାରେ ପଡ଼ି ନିଶ୍ଚେ ପ୍ରାଣ ଯାଇଥାନ୍ତା; କିନ୍ତୁ ପ୍ରେମଶୀଳା ! ତୋହରି ନାମ ସ୍ମରଣ କଲାକ୍ଷଣି ରକ୍ଷା ପାଇଲି ଓ ତୋରି ଯୋଗେ କାଞ୍ଚନବାଳାକୁ ପତ୍ନୀରୂପେ ପାଇଲି, ଯାହା ହେଉ ଭଲରେ ଭଲରେ ଗୋଟାଏ ଘାଟିରୁ ଉଦ୍ଧରିଲି; କିନ୍ତୁ ଯେଉଁ କାର୍ଯ୍ୟରେ ଆସିଥିଲି ସେ କଥା ତ ପୂର୍ଣ୍ଣ ହେଲା ନାହିଁ । କଅଣ କରିବି ମୁଁ କାହିଁକି ରାଜାଙ୍କ ନିକଟରେ ପ୍ରତିଜ୍ଞା କରି ଆସିଲି । ଭଗବାନ୍ ! ମୋର ଆସିବା କଥା କ’ଣ ବୃଥା ହୋଇଯିବ । ମୋ ପିତାଙ୍କୁ କାରାମୁକ୍ତ କରିପାରିବିନାହିଁ ? ଏ ଜଙ୍ଗଲଟାକୁ ଦେଖି ମୋର ଅକଲ ଘୁମ ହେଲାଣି । ଦୀନବନ୍ଧୁ ! ମୋତେ ଉପାୟ ଦିଅ ।

(ଆଣ୍ଠୁମାଡ଼ି ବସି)

 

ଗୀତ

କିଶୋରୀ ବିଧୁରେ-ବୃତ୍ତେ

ଦୀନବନ୍ଧୁ ଦୀନ-                  ଜନର ଏ ଡାକ

ଶୁଣିବ ନାହିଁକି କର୍ଣ୍ଣେ,

ବିଜନ ବିପିନେ                  ଗଡ଼ି ମୁଁ ମରୁଛି

ସାହା ନାହିଁ କେହି ଜଣେ ।

ହେ ହରି !

କିଆଁ ନ ଶୁଣ ମୋର ଗୁହାରି ।

ନିଶ୍ଚେ ତବ ବିନା ଗଲି ସରି । ୧ ।

 

ଅଗାଧ ଜଳରେ                  ଗଜ ଡାକ ଦେଲା

ତା ଡାକ ଶୁଣିଲ ହେଳେ,

ଚକ୍ର ପେଶି ନକ୍ର                  ମୁଣ୍ଡକୁ କାଟିଲ

ବକ୍ର କିଆଁ ମୋର ତୁଲେ ।

ହେ ହରି !

ବନେ ମୃଗିଣୀ ଡାକିଲା ପରି,

ଘେନ ମୋ ଆରତ ବଂଶୀଧାରୀ । ୨ ।

କୁରୁ ସଭାତଳେ                  ପାଞ୍ଚାଳୀ ଆକୁଳେ

ଡାକି ଥିଲାବେଳେ ତୁମ୍ଭେ,

କୋଟି-ବସ୍ତ୍ର ଦେଇ            ଲଜ୍ଜା ନିବାରିଲ

କୀରତି ରଖିଲ ଭବେ,

ହେ ହରି !

ଆଜି ଏ ବିପଦୁ କର ପାରି,

ଦେଖାଦିଅ ଶଙ୍ଖ-ଚକ୍ରଧାରୀ । ୩ ।

 

ହେ ଦୀନବନ୍ଧୁ ! ହେ ଅନାଥର ନାଥ ! ହେ ଲଜ୍ଜାନିବାରଣ ! ଯଦି ମୋତେ ଦେଖା ନଦିଅ ତେବେ ଏହିଠାରେ ଜୀବନ ହରାଇ ଦେବି । (ସତ୍ୟନାରାୟଣଙ୍କର ଆବିର୍ଭାବ)

ସତ୍ୟ-

(ବଂଶୀ ପ୍ରଦାନ କରି) ବତ୍ସ ! ଅକ୍ଳେଶରେ ତୋର ଅଭିଳାଷ ପୂର୍ଣ୍ଣ ହେବ । ଯାଅ, ଏହି ଅନତିଦୂରରେ ଗୋଟିଏ ଦୁର୍ଗ ଦୃଷ୍ଟିଗୋଚର ହେବ, ସେହିଦୁର୍ଗ ନିକଟରେ ଏହି ବଂଶୀଟି ବଜାଇବ, ଏହି ବଂଶୀର ମୋହିନୀ ଶକ୍ତି ଅଛି, ସେଠାକାର ଲୋକେ ଶୁଣିଲାମାତ୍ରେ ଅଚେତ ହୋଇଯିବେ ଓ ଗଡ଼-ଦ୍ଵାରଟି ଆପେ ଖୋଲିଯିବ, ତୁମ୍ଭେ ଭିତରେ ପ୍ରବେଶ କରି ସ୍ୱର୍ଣ୍ଣ-ଆସ୍ଥାନ ନିର୍ବିଘ୍ନରେ ଘେନି ଆସିବ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । (ଅନ୍ତର୍ଦ୍ଧାନ)

ସାଧୁ-

ଏଁ, କିଏ ମୋତେ ଏ ବଂଶୀଟି ଦେଇ କୁଆଡ଼େ ଚାହୁଁ ଚାହୁଁ ଉଭେଇ ଗଲେ, ସେ କେଉଁ ଦେବତା ମୁଁ ତାଙ୍କୁ ଚିହ୍ନି ପାରିଲି ନାହିଁ, ତାଙ୍କ ନାମ ପଚାରି ପାରିଲି ନାହିଁ । ଆଉ ମୋର ପଦେଅଧେ ଦୁଃଖ କହିପାରିଲିନାହିଁ ।

ନେପଥ୍ୟେ-

ବତ୍ସ ! ତୁ ଯାହାର ପୂଜାଲାଗି କାଣ୍ଡ ଆସ୍ଥାନପାଇଁ ଯାଉଛୁ ମୁଁ ସେହି ଦେବତା । ମୋର ନାମ ସତ୍ୟନାରାୟଣ । ମନରେ ଅନ୍ୟକିଛି ଭାବନା କରନା, ସେ ବଂଶୀ ତୋର ସମସ୍ତ ମନର ବାସନା ପୂର୍ଣ୍ଣ କରିଦେବ ।

ବିଦ୍ୟାଧର-

ଆହା, କି ସୁନ୍ଦର ବଂଶୀଖଣ୍ଡ । ଏତେଦିନେ ଏ ଅଭାଗା ଦୁଃଖ ଭଗବାନ୍ ଶୁଣିଛନ୍ତି । ଯାଇ ଦେଖେ ଦୁର୍ଗ ଆଉ କେତେ ବାଟରେ ପଡ଼ିବ । ( ପ୍ରସ୍ଥାନ )

 

ଚତୁର୍ଥ ଅଙ୍କ ତୃତୀୟ ଦୃଶ୍ୟ

( ରାଜା ଚନ୍ଦ୍ରକାନ୍ତ, ଡମ୍ବୁରୁପାଣି, କଣ୍ଡୁରି ହୋତା )

ଡମ୍ବୁରୁ-

 

ହଇ ହୋ ହୋତାଏ, ଆମ୍ଭେ ପରା କହିଥିଲୁ ରାଜାଙ୍କ ବିଜେହେବା ସମୟ ହୋଇଗଲାଣି, ତୁମ୍ଭେ ଆଗରୁ ଯାଇ କାଣ୍ଡ ଆସ୍ଥାନ ସଜାଇଦେଇ ସଙ୍କଳ୍ପ ଆରମ୍ଭ କରିଦେଇ ଥିବ । ତୁମ୍ଭେ ଆମ୍ଭଙ୍କୁ ଡକେଇଲ କିଆଁ, ଆମ୍ଭେ ତ ସବୁ କରିବୁ ତୁମ୍ଭେ କଅଣ ସିରିଣୀ ବାନ୍ଧିବା ଲାଗି ଆସିଛ ?

କଣ୍ଡୁରି-

 

ପାଣିଏ ! ଏମିତି କଥା କହୁଛ କିଆଁ ହେ, ତୁମ୍ଭେ ନଆସିବାର ଥିଲେ ଆମ୍ଭେ କ’ଣ କ, ବ, ଚ କରି କାର୍ଯ୍ୟ ତୁଲାଇ ନିଅନ୍ତୁ ନାହିଁ । ବ୍ରାହ୍ମଣ ପିଲା, ପାଠ ଶାଠ ପଢ଼ିନାହିଁ ବୋଲି କଅଣ ‘‘ଓ ବିଷ୍ଣୁ ବିଷ୍ଣୁ’’, ସର୍ବ ମଙ୍ଗଳ ମାଙ୍ଗଲ୍ୟଂ, ଅତରା ଗଛ ସ୍ୱାହା ଶିଖି ନାହୁଁ । ଆମ୍ଭେ ଜାଣୁ ପାଣିଏ ପୁରୁଣା ଲୋକ ପୁରାଣ ଶାସ୍ତ୍ରରେ ଖୁବ୍ ଅବଗାହି ତାଙ୍କଦ୍ୱାରା ପୂଜାଟା ହେଲେ ଭଲ ହେବ । ଏଣୁକରି ଆମ୍ଭେ ସିନା ଅପେକ୍ଷା କରି ରହିଗଲୁ ।

ଡମ୍ବୁରୁ-

 

ହୋତାଏ ! ତୁମ୍ଭେ ଗୋଟାଏ ଖାଲି ଖାଇବା ପେଟୁ; ଆଉ କୌଣସି କାର୍ଯ୍ୟର ନୁହଁ ।

କଣ୍ଡୁରି-

 

କାହିଁକି ପାଠ ଶାଠ ନଆସେ ବୋଲି କଅଣ କଦଳୀ ଚକଟା, ସିରିଣୀ ତିଆରି କରି ଆସେ ନାହିଁ ନା ଚୂଡ଼ାଘସା କରି ଆସେ ନାହିଁ । ଆମ୍ଭର ତ ଜାଣିକରି ଟିକିଏ ମୂର୍ଖ ଦୋଷ ଅଛି ବୋଲି ତ ଆମ୍ଭେ ବିଭା, ଶ୍ରାଦ୍ଧ, ମଉଳା ଏମାନଙ୍କୁ ଯାଉ ନାହିଁ କେବଳ ବ୍ରାହ୍ମଣ ଭୋଜନି ଚୂଡ଼ାଦହି ବକତକୁ ଯେଜମାନ ଘଟି ପହଞ୍ଚିଯାଉଁ ।

ଡମ୍ଭୁରୁ-

 

ଦେଖ ହୋତାଏ ଆମ୍ଭ ଯୋଗେ ତୁମ୍ଭେ ଚଳିଯାଉଛ ଏଥର ଆମ୍ଭେ ଆମ୍ଭ ପ୍ରାପ୍ୟରୁ ତୁମକୁ ଆଠପଣ କିସମତ୍ ଦବୁ ନାହିଁ ।

କଣ୍ଡୁରି-

 

ହଉ ହେଲା, ଆମ୍ଭର ଆଠପଣ କିସମତ ଲୋଡ଼ାନାହିଁ; କିନ୍ତୁ ଏ ଯେଉଁ କଦଳୀ ପଣକ ଗଣେଶ ଭୋଗପାଇଁ ଛଡ଼ା ହୋଇଛି ସେ ସମୁଦାୟ ଆମ୍ଭର ଏଇ ଯଥେଷ୍ଟ !

ଡମ୍ଭରୁ-

 

ଜାଣିଲ ତ ସିଆଣା, ହେଇତି ମହାରାଜ ଆସିଲେଣି ।

 

 

(ଚନ୍ଦ୍ରକାନ୍ତ ପ୍ରବେଶି ପୂଜାସ୍ଥାନେ ନମସ୍କାର କରିବା ବ୍ରାହ୍ମଣ ଚନ୍ଦନ ମାଲ୍ୟ ଦେବା)

ଚନ୍ଦ୍ରକାନ୍ତ-

 

ନାରାୟଣ ! ଏତେଦିନ ପୂଜିଲି ତୁମ୍ଭଙ୍କୁ; କିନ୍ତୁ କନ୍ୟାଦ୍ଵୟେ ନପାଇଲି ଦେଖା । ନାହିଁ ଜାୟା, ନାହିଁ ସୁତ, ନାହିଁ ବିରାଦର । କାହାକୁ ମୁଁ ସମର୍ପି ଏ ରାଜ୍ୟ ନିଶ୍ଚିନ୍ତରେ ଯିବି ବନ୍ୟାଶ୍ରମେ । ଥାନ୍ତେ ଯେବେ କନ୍ୟାଦ୍ୱୟ, ବିଭା ଦେଇ ତାଙ୍କୁ, ଦେଇଥାନ୍ତି ରାଜ୍ୟଭାର ବେନି ଜାମାତାଙ୍କୁ; କିନ୍ତୁ ନହେଲା ସେ କଥା । ନ ପୂରିଲା ମନର ବାସନା, ନାନାସ୍ଥାନେ ନାନାଦେଶ ପଠାଇଲି ଚାର, କିନ୍ତୁ କେହି ଜଣେ ନ କହିଲା କନ୍ୟାଙ୍କ ସମ୍ବାଦ । ଜଣେ କେହି ନ ଫେରିଲା ଅବଧି ପର୍ଯ୍ୟନ୍ତ । ନାରାୟଣ ! ସ୍ୱପ୍ନାଦେଶ କରିଥିଲେ ମୋତେ, ଯଦି ସ୍ୱର୍ଣ୍ଣକାଣ୍ଡ ସ୍ୱର୍ଣ୍ଣାସ୍ଥାନେ କରିବୁ ମୋ ପୂଜା, ଅବିଳମ୍ବେ ଭେଟିବୁ ତୋ କନ୍ୟାରତ୍ନ ଦୁଇ । ନାହିଁ ନହେଲା ତ ଆଶା ପୂର୍ଣ୍ଣ ଯେ ଦିନୁ ବାରାଣାସୀ କ୍ଷେତ୍ରେ କନ୍ୟାଦ୍ୱୟେ ଦୁଷ୍ଟ ଦସ୍ୟୁ ହରିନେଲାବଳେ, ସେଦିନୁ ଶାଖାହୀନ ତରୁତୁଲ୍ୟ ପଡ଼ିଛି ଧରାରେ । ନାହି କେହି ସହାୟ ଭରସା । ପ୍ରଭୁ ! ଏଡ଼ିକି ନିଷ୍ଠୁର, ଆର୍ତ୍ତତ୍ରାଣ ନାମ କିମ୍ପା ବହିଛ ଜଗତେ ?

 

 

(ଶୂନ୍ୟବାଣୀ) ରାଜନ୍ ! ତେଜ ଚିତ୍ତୁ ଚିନ୍ତା, ନକର ବୃଥା ଭାବନା, ପୂର୍ଣ୍ଣ ହେବ ଅବିଳମ୍ବେ ମନସ୍କାମ ତୋର ।

ଚନ୍ଦ୍ରକାନ୍ତ-

 

(ଚତୁର୍ଦ୍ଦିଗ ନିରୀକ୍ଷଣ କରି) କିଏ କହିଲା କାମନା ପୂର୍ଣ୍ଣ ହେବ ! ସତେ ସତେ, କନ୍ୟାଦ୍ୱୟେ ସ୍ୱଚକ୍ଷୁରେ ଦେଖିବି । ବ୍ରାହ୍ମଣଗଣେ ! ବିଧିମତେ ଷୋଡ଼ଶୋପଚାରେ କର ପୂଜା ନାରାୟଣଙ୍କର, ଦେଇ ତହିଁ ଆଖଣ୍ଡଳ, ନଘଟେ ଯେପରି ତହିଁ ତିଳେମାତ୍ର ହେଳା ।

ବ୍ରାହ୍ମଣ-

 

ଆମ୍ଭେମାନେ ପୂଜାରେ କିଛି ମାତ୍ର ତ୍ରୁଟି କରିବୁ ନାହିଁ । ଆଜି ଦେଖନ୍ତୁ କାଣ୍ଡ ଆସ୍ଥାନ କିପରି ଉଜ୍ଜ୍ୱଳ ଦେଖାଯାଉଛି । ବୋଧହୁଏ ଆପଣ ଅଳ୍ପଦିନ ମଧ୍ୟରେ ବର ପ୍ରାପ୍ତ ହେବେ; ବର୍ତ୍ତମାନ ପୂଜାଶେଷ ହେଲାଣି ପ୍ରସାଦ ସେବା କରନ୍ତୁ ।

ଚନ୍ଦ୍ରକାନ୍ତ-

 

(ସମସ୍ତଙ୍କର ପ୍ରସାଦ ସେବା)

 

 

ଚତୁର୍ଥ ଅଙ୍କ ଚତୁର୍ଥ ଦୃଶ୍ୟ

(ସାଧୁ ବିଦ୍ୟାଧର, ଦୁର୍ବୁଦ୍ଧି, ବଟୁକ, ଫକୀର ଚନ୍ଦ୍ରକାନ୍ତ ଓ ପ୍ରହରୀ ଦ୍ୱୟ)

 

ବିଦ୍ୟାଧର-

ଆଜି ନାରାୟଣଙ୍କ ଅନୁଗ୍ରହରୁ ହୃଦୟରେ ଆଶାଦ୍ୱୀପ ଜାଗରିତ ହୋଇଛି, ମନରେ ଅସୀମ ଆନନ୍ଦ ଉପୁଜୁଛି । ମୁଁ ବୃଥା ଏଣେ ତେଣେ ଭ୍ରମୁଥିଲି ଯଦି ଆଗରୁ ସେହି ନାରାୟଣଙ୍କର ଶରଣାପନ୍ନ ହୋଇଥାନ୍ତି ତେବେ ଅକ୍ଳେଶରେ ମନର ଅଭିଳାଷ ମେଣ୍ଟଣ ହୁଅନ୍ତାଣି । ଯଦି ଆଜି ସ୍ୱର୍ଣ୍ଣକାଣ୍ଡ ସ୍ୱର୍ଣ୍ଣାସ୍ଥାନ ପ୍ରାପ୍ତ ହୁଏ ତେବେ କାହାକୁ କିଛି ନ କହି, କାହାକୁ ଦେଖା ନଦେଇ ସ୍ୱଗୃହକୁ ଚାଲିବି । ବାଟରେ ପ୍ରେମଶୀଳା ଅପେକ୍ଷା କରିଛି, ଯଦି ଉକ୍ତ ଜିନିଷଟି ପ୍ରତି ସେମାନେ ଲୋଭକରି ମୋଠାରୁ ନେଇ ମୋତେ ପୁନଶ୍ଚ ନଦିଅନ୍ତି ମୋର ଆସିବା ବୃଥା ହେବ ସିନା, ନା ସେମାନେ ମାୟାବିନୀ, ବିଶେଷତଃ ଦସ୍ୟୁ ଅଧୀନରେ କାଳାତିପାତ କଲେଣି । ତାଙ୍କ ମତି କେଭେ ସରଳ ନୁହେ । ନା, ସେମାନଙ୍କଦ୍ୱାରା କିଛି କାର୍ଯ୍ୟ ନାହିଁ । ତାଙ୍କ ଦୃଷ୍ଟି ପଥରେ ଆଉଥରେ ପଡ଼ିଲେ ଉଦ୍ଧାର ହେବା ସହଜ ନୁହେଁ । ଓଃ ହଠାତ୍ ମଥାଟା ଭ୍ରମିଗଲା କାହିଁକି ? (ମଥାରେ ହାତଦେଇ ବସିଯିବା) ବୋଧହୁଏ ବୁଲି ବୁଲି ମସ୍ତିସ୍କଟା ଗରମ ହୋଇଗଲାଣି । ଟିକିଏ ଏହି ପୁଷ୍କରିଣୀ ନିକଟରେ ଆରାମ ନିଏ ।(ଶୟନ)

 

(ଦୁର୍ବୁଦ୍ଧି ଓ ବଟୁକ ପ୍ରବେଶ)

ଦୁର୍ବୁଦ୍ଧି-

ବଟୁକ ! ମଣି ସାହାଯ୍ୟରେ ଠିକ୍ ସ୍ଥାନଟା ଦେଖାଯାଉଥିଲା । ଆଉ, ଜଣେ କେହି ଦେବପୁରୁଷ ବିଦ୍ୟାଧରକୁ ଖଣ୍ଡେ ବଂଶୀ ବଢ଼ାଇଦେଇ ଯେତେ ଯାହା କାରଣଗୁଡ଼ିକ କହିଲେ ଆମ୍ଭେମାନେ ତ ସ୍ୱଚକ୍ଷୁରେ ଦେଖିଲାପରି ବୋଧହେଲା । ତେବେ କାହିଁ; ସେ ଗଲା କୁଆଡ଼େ ? ଯଦି ଏ ଘଟଣା ସତ୍ୟ ନ ଘଟେ ସେ ମଣିଦ୍ୱାରା ଆମର କି କାର୍ଯ୍ୟ ? ନିଶ୍ଚୟ କେଳା ଅର୍ଥ ଲୋଭରେ ଆମ୍ଭଙ୍କୁ ଭଣ୍ଡାଇ ଦେଲାବୋଲି ଜଣାପଡ଼ିବ ।

ବଟୁକ-

ନା, ଆଜ୍ଞା କେଭେ ମଣିଷର ଗୁଣ ଊଣା ହେବ ନାହିଁ, ଆପଣ ସନ୍ଧାନ କରନ୍ତୁ।

ଦୁର୍ବୁଦ୍ଧି-

ହଉ ଦେଖ (ଚାରିଆଡ଼େ ଚାହିଁବା)

ବଟୁକ-

(ଇଙ୍ଗିତେ) ଇ-ହେଇତି

ଦୁର୍ବୁଦ୍ଧି-

ଠିକ୍ ଠିକ୍ ଚୁପ୍ ଚୁପ୍ (ଆସ୍ତେ ନିକଟକୁ ଯାଇ)

ବଟୁକ-

(ଚୁପ୍ କରି ଇଙ୍ଗିତେ) ଗଦ କ’ଣ କଲେ ଦିଅନ୍ତୁ ଶୁଙ୍ଘାଇ ଦେବା ।

ଦୁର୍ବୁଦ୍ଧି-

(ପକେଟରୁ ଗଦ କାଢ଼ି) ନେ

ବଟୁକ-

(ଗଦ ଶୁଙ୍ଘାଇବା ଓ ବଂଶୀଟି ହସ୍ତରୁ ନେଇ ଆସିବା)

ଦୁର୍ବୁଦ୍ଧି-

ଦେଖେ, ଦେଖେ, (ବଂଶୀନେଇ) ବାଃ, ବାଃ (ବଂଶୀଧରି ଉଭୟଙ୍କର ନୃତ୍ୟ)

 

ଗୀତ

(ଆହାରେ ମଜା, ବାହାରେ ମଜା-ବୃତ୍ତେ)

କି ମଜାରେ ଆଜି ହେଲେ ରାଜାରେ

ବାଃ ମଜାରେ ଥରେ ବଂଶୀ ବଜାରେ (ନୃତ୍ୟ)

 

ବଟୁକ ! ଆଉ ଭାବନା କ’ଣ, ଜିନିଷଟି ପାଇବାର ବନ୍ଦୋବସ୍ତ କରିବା ଚାଲ, ଏ ବଦମାସ୍ ଏହିଠାରେ ପଡ଼ିଥାଉ।

ବଟୁକ-

(ସାଧୁକୁ ଗଡ଼ାଇବା)

ଦୁର୍ବୁଦ୍ଧି-

ଆ ଚାଲିଆ ସେମିତି ହଲାହଲି କରନା, ଆମ କାର୍ଯ୍ୟରେ ଯିବା ।

ବଟୁକ-

ଚାଲନ୍ତୁ ଆଉ ଡେରି ଅଛି ।

 

(ବେଗ ବେଗ ହୋଇ ପ୍ରସ୍ଥାନ)

 

(ଫକୀରମୋହନ ପ୍ରଭୁ ନାରାୟଣ)

 

ବିଦ୍ୟାଧର ! ତୋର ଉଦ୍ଦେଶ୍ୟ ମହତ୍ ଯଶ ତୋରି ଭାଗ୍ୟରେ, ମାତ୍ର ତୁ ନିଜର ବୁଦ୍ଧିଦୋଷ ମୋର ପ୍ରଦତ୍ତ ବଂଶୀଟି ହରାଇ ବସିଲୁ । ବର୍ତ୍ତମାନ ଚୋର ଚଣ୍ଡାଳଠାରୁ ତୋର ଦଶା ବଳି ପଡ଼ିବ । ତୁ ବିଶ୍ୱାସଘାତକ କାର୍ଯ୍ୟ କରିଛୁ । ମୋର ଭକ୍ତର କନ୍ୟା କାଞ୍ଚନବାଳା ଓ ପ୍ରେମଶୀଳାଙ୍କୁ ମନରୁ ପାସୋରି ଦେଇଛୁ । ଆଉ ବାରମ୍ବାର ମନରେ ଗର୍ବ ପ୍ରକାଶ କରିଛୁ । ବିଦ୍ୟାଧର ! ମୁଁ ସବୁ ସହ୍ୟ କରିପାରେ ମାତ୍ର ଭକ୍ତର ନିନ୍ଦା ମୋ ପକ୍ଷରେ ଅସହ୍ୟ, ତଥାପି ଭକ୍ତର କନ୍ୟାଦ୍ୱୟ ତୋର ଆଶ୍ରୟ ନେଇଥିବାରୁ ସିନା ତୋ ପ୍ରତି ଦୟା । ସେ ଯାହାହେଉ, ବର୍ତ୍ତମାନ ତୋ କଲା କର୍ମର ଫଳ ଭୁଞ୍ଜ । ଯେ ପର୍ଯ୍ୟନ୍ତ ତୁ ତୋର ନିଜର ଦୋଷ ନିଜେ ନଜାଣିପାରିଛୁ ସେ ପର୍ଯ୍ୟନ୍ତ ମୁଁ ତୋ ବିପକ୍ଷ ।(ପ୍ରସ୍ଥାନ)

 

(କାଣ୍ଡ ଆସ୍ଥାନ ଘେନି ଦୁର୍ବୁଦ୍ଧି ଓ ବଟୁକ ହର୍ଷମନେ ପ୍ରବେଶ)

ଦୁର୍ବୁଦ୍ଧି-

ବଟୁକ ! ଏ ବଂଶୀ ଖଣ୍ଡକର ଏତେ ଗୁଣ । କ୍ଷଣକ ମାତ୍ରେ କ’ଣ ଦେଖାଇ ଦେଲା, ଏଥର ବନ୍ଦାତ ବନ୍ଦା ।

ବଟୁକ-

ଆଜ୍ଞା, ଆମ୍ଭମାନଙ୍କ ଭାଗ୍ୟରେ ଯାହା ଅଛି ତା କିଏ ଭଗ୍ନ କରିବ । ଆଜ୍ଞା, ଦେଖନ୍ତୁ ତ କିପରି ଏକା ଖଞ୍ଜିକେ ପଡ଼ି ରହିଛି, ଏତେବେଳ ସୁଦ୍ଧା ଚେତ୍‌ ହୋଇନାହିଁ ।

ଦୁର୍ବୁଦ୍ଧି-

ମୁର୍ଖ ସେଇଠି ପଡ଼ିଥାଉ, ଆମ୍ଭେମାନେ ସ୍ୱର୍ଣ୍ଣକାଣ୍ଡ ନେବାର କିଛି ଚିହ୍ନ ଏହା ନିକଟରେ ପକାଇ ଦେଇଯିବା ଦରକାର ।

ବଟୁକ-

ବେଶ୍ କଥା କହିଲ ଆଜ୍ଞା, ଏ ଫୁଲରୁ ଦୁଇ ଚାରି ହାର ଏଠି ପଡ଼ିଥାଉ ।

ଦୁର୍ବୁଦ୍ଧି-

ଆମ୍ଭର ଏ ସ୍ଥାନରେ ରହିବା କିଛି ପ୍ରୟୋଜନ ନାହିଁ । ଚାଲ ଶୀଘ୍ର ପଳାଇବା, କଥାରେ ଅଛି ଜୟ ସ୍ଥାନରେ ଦଣ୍ଡେ ରହିବା ଆବଶ୍ୟକ ନାହିଁ ।

ବଟୁକ-

ଚାଲନ୍ତୁ, କେତେବେଳେ କେଉଁ କଥା (ସାଧୁ ପ୍ରତି) ପିଲାଟା କେଡ଼େ ଚଲାକ ରେ, କାଣ୍ଡ ଆସ୍ଥାନ ପାଇଁ ବାହାରି ପଡ଼ିଥିଲା, ପା, ପା, ଏଥର ପା ।

ଦୁର୍ବୁଦ୍ଧି-

ଆରେ ଓସ୍ତାତ୍‌ଜୀଙ୍କ ଘର-ବାଟଦେଇ ଚାଲ, ତାଙ୍କୁ ସଙ୍ଗରେ ନେବା ଏକାନ୍ତ ଆବଶ୍ୟକ ।(ପ୍ରସ୍ଥାନ)

 

ଚତୁର୍ଥ ଅଙ୍କ କ୍ରୋଡ଼ ଦୃଶ୍ୟ

ଚନ୍ଦ୍ରକାନ୍ତ-

 

ଆରେ ନିର୍ବୋଧ ପ୍ରହରୀଗଣେ ! ଦେଖ ବେଗେ କାହିଁ ଗଲା ଚୋର ।

୧ମ-

 

ଆଜ୍ଞା, ଏହିବାଟେ ଗଲାପରି ଜଣାଯାଉଛି । ହେଇତି ଦେଖନ୍ତୁ ଦୁଇ ତିନି ଜଣଙ୍କର ପାଦଚିହ୍ନ ଏହି ବାଲିରେ ପଡ଼ିଛି।

ଚନ୍ଦ୍ରକାନ୍ତ-

 

ପଦଚିହ୍ନରୁ କ’ଣ ମିଳିବ, ଆସାମୀ କୁଆଡ଼େ ଗଲା ସନ୍ଧାନ କର ।

୨ୟ-

 

ମହାରାଜ ! ହେଇ, ହେଇ, ମୁର୍ଖ ଏଇଠି ଶୋଇଯାଇଛି । କାଣ୍ଡ ଆସ୍ଥାନ କେଉଁଠାରେ ଲୁଚାଇ ଦେଇଛି । କାଣ୍ଡ ଆଣିବାର ସଙ୍କେତ ସବୁ ୟାରି ନିକଟରେ ଦେଖାଯାଉଛି ।

୧ମ-

 

ପ୍ରକୃତ ସତ, ଏଇ ମୁର୍ଖ ଆଣିଛି ।

ଚନ୍ଦ୍ରକାନ୍ତ-

 

ଚାହୁଁଛ କାହାକୁ, ମୂର୍ଖକୁ ଶୀଘ୍ର ବନ୍ଦୀ କର ।

୧ମ-

 

(ବାନ୍ଧି ଧକ୍‌କା ମାରି ଉଠାଇବା)

ବିଦ୍ୟାଧର-

 

ଏ କ’ଣ ? ତୁମ୍ଭେ କିଏ ? କାହିଁକି ମୋତେ ବନ୍ଧନ କରୁଛ ? ମୋ ବଂଶୀଖଣ୍ଡିକ କ’ଣ କଲ ?

୨ୟ-

 

ଟିକେ ରହ ବଂଶୀ ଦଉଛୁ, କହ କାଣ୍ଡ ଆସ୍ଥାନ କେଉଁଠି ରଖିଛୁ ।

୧ମ-

 

ବତା, କାଣ୍ଡ ଆସ୍ଥାନ କାହିଁ ?

ବିଦ୍ୟାଧର-

 

କି ଆଶ୍ଚର୍ଯ୍ୟ କଥା,କି କାଣ୍ଡ ଆସ୍ଥାନ ମୁଁ ଜାଣେନା କାହିଁକି ମୋତେ ଏପରି କରୁଛ ।

୨ୟ-

 

ଜାଣୁ ନାହିଁ, ଆ, ଆ, ବଳେ ଜାଣିଯିବୁ ଯେ ।

ବିଦ୍ୟାଧର-

 

କାହିକିଁ ଏପରି ଟଣା ଓଟରା କରୁଛ ମୁଁ କୁଆଡ଼େ ଯିବି ନାହିଁ ।

 

 

(ଛାଟିଦେବାରୁ ଉଭୟେ ପଡ଼ିଗଲେ)

ଉଭୟେ-

 

ମହାରାଜ ! ପଳାଇଲା, ପଳାଇଲା, ଏଇ ନିଶ୍ଚେ ଚୋର ।

ଚନ୍ଦ୍ରକାନ୍ତ-

 

କିଏରେ ମୁର୍ଖ, କି ସାହସେ କଲୁ ଏଡ଼େ କର୍ମ ନଜାଣି ମୁଷିକ ତୁଟା ମାର୍ଜାର ସଙ୍ଗରେ ଦେଖାଉଛୁ ବାହାଦୂରୀ । ଏଡ଼େ ତୋ କ୍ଷମତା, କହ ମୁର୍ଖ କାଣ୍ଡ ସ୍ଥାନ ହରିଲୁ ତୁ କିଆଁ ?

ବିଦ୍ୟାଧର-

 

ନା ପ୍ରଭୁ ! ନଜାଣେ ମୁଁ କାଣ୍ଡାସ୍ଥାନକଥା, ବୃଥା କିମ୍ପା ସଜାଦିଅ ନିର୍ଦ୍ଦୋଷ ପ୍ରାଣୀରେ ।

ଚନ୍ଦ୍ରକାନ୍ତ -

 

ଗୀତ

(ଆରେରେ ମେଞ୍ଚଡ଼ା ଖେଚଡ଼-ବୃତ୍ତେ)

ଆରେରେ ପାଷାଣ୍ଡ             କଲୁ କେଡ଼େ କାଣ୍ଡ

ଦଣ୍ଡା ଖଣ୍ଡେ ତୋର ଏଡ଼େ ଛାତି ।

ମୋ କାଣ୍ଡ ଆସ୍ଥାନ             ହରିଲୁ ଅଜ୍ଞାନ

ବରିଲୁ ମୃତ୍ୟୁକୁ ମୂଢ଼ମତି । ପଦ ।

ଧୂର୍ତ୍ତପଣ ତୋର ଛଡ଼ାଇବି ଆଜି

ଫୁର୍ତ୍ତିବାଜ ପଡ଼ିଛୁ ତୁ ମୂର୍ଖ ପାଜି

ଭାଙ୍ଗିବି ତୋ ଆଣ୍ଟ                  ବର୍ବର ତୁ ଦୁଷ୍ଟ

ଖଣ୍ଟ ପଣ କଲୁ ମୋର କତି । ୧ ।

ଦଣ୍ଡୁଆସି ଡାକି ତୋ ଷଣ୍ଢା କାଟିବି

ଦଣ୍ଡାରେ ତୋ ମୁଣ୍ଡ ଆଜି ଗଡ଼ାଇବି

ଦଣ୍ଡଧର ପାଞ୍ଜୀ                   ପୋଛିଲାଣି ଆଜି

ପାଜି ତୋର ହେଲା ମନ୍ଦମତି । ୨ ।

 

 

ଦୂତଗଣେ ! ମୂର୍ଖକୁ ବନ୍ଦିକରି ନିଅ । କାଲି ଶ୍ମଶାନରେ ଶୂଳିରେ ବସାଇବି, ଆଉ ପଚାର ଯଦି ମୋର ସ୍ୱର୍ଣ୍ଣକାଣ୍ଡ ଓ ଆସ୍ଥାନ ଦେଇଦିଏ, ତେବେ ଅନ୍ୟ ବିଚାର କରିବି ।

୧ମ-

 

କହ ମୂର୍ଖ ! କାଣ୍ଡ ଆସ୍ଥାନ କେଉଁଠି ରଖିଛୁ ?

ବିଦ୍ୟାଧର-

 

ମହାରାଜ ! ମୁଁ ଦୋଷୀ ନୁହେ, କାହିଁକି ମୋ ପ୍ରତି ଏଡ଼େ ଆଦେଶ ହେଉଛି, ମୁଁ ଏହିଠାରେ ଶୋଇଛି, କେଭେ ଆପଣଙ୍କ ଉଆସ ଆଡ଼କୁ ଯାଇନାହିଁ ।

ଚନ୍ଦ୍ରକାନ୍ତ-

 

ଚୁପ୍ କର ମୂର୍ଖ ! ତୋ କଥା କିଛି ଶୁଣିବି ନାହିଁ ।

ବିଦ୍ୟାଧର-

 

ମହାରାଜ ! ଅନ୍ୟାୟ ଅବିଚାର ହେଉଛି, ମୁଁ କେଭେ ଦୋଷୀ ନୁହେଁ ।

ଚନ୍ଦ୍ରକାନ୍ତ-

 

ତୁ ପାଷାଣ୍ଡ ନିଶ୍ଚୟ ଦୋଷୀ । ପ୍ରହରୀ ! ଦେଖୁଛ କଅଣ ଶୀଘ୍ର ଏ ପାଷାଣ୍ଡକୁ ନେଇ ଆଜି କାରାଗୃହରେ ରଖ, କାଲି ପ୍ରଭାତରୁ ଶ୍ମଶାନରେ ଶୂଳିରେ ଚଢ଼ାଇବି ।

୧ମ-

 

ଯେ ଆଜ୍ଞା ମହାରାଜ ? (ବନ୍ଧନକରି ନେବା)

 

ପଞ୍ଚମ ଅଙ୍କ ପ୍ରଥମ ଦୃଶ୍ୟ

(ଦୁର୍ବୁଦ୍ଧି, ବଟୁକ ଓ କେଳା)

ଦୁର୍ବୁଦ୍ଧି-

ବଟୁକ ! ୟାଙ୍କଦ୍ୱାରା ଆମ୍ଭର ମହୋପକାର ସାଧିତ ୟାଙ୍କୁ ନିଜଦେଶ ପର୍ଯ୍ୟନ୍ତ ନେଇ ରାଜା ସାହେବଙ୍କ ମୁଲାକାତ କରାଇବା, ଏ ଆମ୍ଭର ପରମ ବନ୍ଧୁ ।

ବଟୁକ-

ବେଶ୍ କଥା, ଓସ୍ତାତ୍‌ଜୀ ! ଚାଲନ୍ତୁ ଆମ୍ଭ ସାଙ୍ଗରେ ଯିବ । ତୁମ୍ଭ ଉପକାରରେ ଆମ୍ଭେମାନେ ବଡ଼ ପ୍ରୀତି ଲାଭ କରିଛୁ । ଆଉ ଆମ୍ଭ ରାଜା ତୁମ୍ଭର ବିଦ୍ୟାବୁଦ୍ଧିର ପରିଚୟ ପାଇଲେ ତୁମ୍ଭ ପ୍ରତି କୌଣସି ସୁବନ୍ଦୋବସ୍ତ କରିଦେବେ ।

ଦୁର୍ବୁଦ୍ଧି-

ଓସ୍ତାତ୍‌ଜୀ ! ରାଜା ତୁମ୍ଭ ପ୍ରତି କୌଣସି ସୁବନ୍ଦୋବସ୍ତ ନକଲେ ସୁଦ୍ଧା ଆମ୍ଭର ପ୍ରାପ୍ୟରୁ ଅଦ୍ଧେକ ଦେଇ ସୁଖି କରାଇଲୁ ।

କେଳା-

ଚାଲନ୍ତୁ ସାଆନ୍ତେ, ଏ କେଳା ଖୁବ୍ ବଡ଼ ବଡ଼ ରାଜା ସାହେବମାନଙ୍କୁ ଅନେକ ହିକିମତ ଦେଇଛି । ତୁମ୍ଭ ରାଜାଙ୍କୁ ମଧ୍ୟ କିଛି ଇଲମ ଦେବା । ରାଜା କ’ଣ ଚିହ୍ନିବେ ନାହିଁ ।

ଦୁର୍ବୁଦ୍ଧି-

ମୁଁ ଯାଉଛି ରାଜାଙ୍କୁ ଆଗେ ଖବର କରିବି, ତୁମ୍ଭେ ପଛରେ କାଣ୍ଡ ଆସ୍ଥାନ ନେଇ ପହଞ୍ଚିବ ।

ବଟୁକ-

ଯେ ଆଜ୍ଞା ।

 

ପଞ୍ଚମ ଅଙ୍କ ଦ୍ୱିତୀୟ ଦୃଶ୍ୟ

(ରାଜା, ପ୍ରହରୀ, ବିଦ୍ୟାଧର, ହନ୍ତା, କାଞ୍ଚନବାଳା, ପ୍ରେମଶୀଳା)

 

ଚନ୍ଦ୍ରକାନ୍ତ-

 

(ସାଧୁପ୍ରତି) ରେ ପାଷାଣ୍ଡ ! ଏହି ତୋର ଶେଷ ମୁହୂର୍ତ୍ତ, କାଣ୍ଡ ଆସ୍ଥାନ କେଉଁଠାରେ ରଖିଛୁ ପ୍ରକାଶ କର, ନିଶ୍ଚୟ ତୋତେ କୌଣସି ଦଣ୍ଡ ନଦେଇ ମୁକ୍ତି ଦେବି ।

ବିଦ୍ୟା-

 

ନା ମହାରାଜ ! ଜାଣେ ନାହିଁ ।

ଚନ୍ଦ୍ରକାନ୍ତ-

 

ଦେଖୁଛୁ କ’ଣ ଘାତୁକ, ଶୀଘ୍ର ତୋର କାର୍ଯ୍ୟ ସମ୍ପନ୍ନ କର ।

ଘାତୁକ-

 

ମହାରାଜ ପ୍ରସ୍ତୁତ (ଶୂଳି କାଠକୁ ନେବା ସମୟେ) ମୂର୍ଖ ତୋର ଇଷ୍ଟ ସ୍ମରଣ କର ।

ବିଦ୍ୟା -

 

ଗୀତ

(ଦୟାମୟ ହେ ହେଲ କି-ବୃତ୍ତେ)

ଦୟାମୟ ହେ !

ନିର୍ଦ୍ଦୟ ହେଲ କାହିଁକି ?

କଲି କି ଅଜ୍ଞାନେ ଦୋଷ

ବହିଲ ମୋଠାରେ ରୋଷ

ନିଶ୍ଚେ ଦାସ ହେଲା ନାଶ

ଦେଖାଦେବ ନାହିଁ କି । ୧ ।

କଲି କି ମନ୍ଦ କରମ

ହୁଡ଼ି ଗଲି କି ଧରମ

ତୁଟାଅ ମୋର ଭରମ

ଦୀନେ ଦୟା ବହି କି । ୨ ।

 

 

ପ୍ରଭୁ ! ଦିଅ ବାରେ ଦେଖା, ରକ୍ଷା ମୋର ନାହିଁ ଏ ସଙ୍କଟୁ । ନାରାୟଣ ତବ କୃପାବଳୁଁ, ଘଟିଥାନ୍ତା । ସୌଭାଗ୍ୟ ମୋହର; କିନ୍ତୁ ନିଜ ବୁଦ୍ଧି ଦୋଷେ ହରାଇଲି ସୁବର୍ଣ୍ଣ ସୁଯୋଗ

ଘାତୁକ-

 

ଆସ ବେଗେ, ବୃଥା ପ୍ରଳାପ କରିବାକୁ ସମୟ ନାହିଁ ।

 

ବିଦ୍ୟାଧର-

 

(ଶୂଳିରେ ମସ୍ତକ ଥୋଇ) ମା’, କରିଥିଲି ପ୍ରତିଜ୍ଞା ବହୁତ, ଉଦ୍ଧରିବି କାରାଗାରୁ ପିତାଙ୍କୁ ମୋହର; କିନ୍ତୁ ନିଜ ବୁଦ୍ଧି ଦୋଷେ ହରାଇଲି ସର୍ବ, ଲଭିଥିଲି ଦୁଇ ମନୋହାରୀ, କନକବରନା ସେ ମୋର କରିଥିଲେ କେତେ ଉପକାର । ମୁହିଁ ବଡ଼ ଅବିଶ୍ୱାସୀ, ତାଙ୍କୁ ଯେଣୁ ପାସୋରିଲି ମନୁ, ସର୍ବ ଆଶା ହେଲା ମୋର ଚୂର୍ଣ୍ଣ । ହା ପ୍ରେମଶୀଳା, ହା କାଞ୍ଚନବାଳା; ଏ ହତଭାଗା ନୁହେଁ ତବ ଯୋଗ୍ୟ । ନାରାୟଣ ! ମେଲାଣି ନେଉଛି ତବ ପଦୁ । ଘାତୁକ ! କର ତୋର କାର୍ଯ୍ୟ । (ନଇଁ ପଡ଼ିଲା ସମୟରେ ରତ୍ନହାର ଝୁଲିପଡ଼ିବା) ରେ ରତ୍ନହାର ! ହୁଅ ମୋର ଗଳାରୁ ଅନ୍ତର, ମୁଁ ସିନା ପାତକୀ ମୂଢ଼ ଯିବି ପ୍ରେତପୁର, ମୋ ଅଙ୍ଗେ ଲାଗିବ ସିନା ଚଣ୍ଡାଳର ଖଡ଼୍‌ଗ, ତୁହି କିମ୍ପା ହେବୁ ତହିଁ ଭାଗୀ । ତୋତେ କିମ୍ପା ମୋହ ଯୋଗୁଁ ଛୁଇଁବ ଚଣ୍ଡାଳ, ପୁଣି ଆଗେ ଖଡ଼୍‌ଗ ବାଜିବ ତୋଠାରେ,

 

 

(କାଞ୍ଚନ ଓ ପ୍ରେମ) ଅର୍ଦ୍ଧାଙ୍ଗିନୀ ଯେଣୁ କିମ୍ପା ଭାଗୀ ନ ହେବ ତହିଁର ।

ବିଦ୍ୟାଧର-

 

କ୍ଷମା କର, କ୍ଷମା କର । ପାତକୀ ମୁଁ ନୁହେଁ ତବ ଯୋଗ୍ୟ ।

କାଞ୍ଚନ-

 

କ୍ଷାନ୍ତ ହୁଅ ଘାତୁକ, (ପିତା ପ୍ରତି) ପିତା ! କାହାର ଏ ଶୂଳି ? ଏ ଯେ ଆମ୍ଭର ହୃଦୟ ରତନ, ଦସ୍ୟୁ କରୁ ଉଦ୍ଧରି ଆମ୍ଭଙ୍କୁ ଆସିଥିଲେ ତବ ଦରଶନେ । ଅନ୍ୟ ଏକ ବିଦ୍ରୋହୀ ୟାଙ୍କର, ହରିଛନ୍ତି ସ୍ୱର୍ଣ୍ଣକାଣ୍ଡାସ୍ଥାନ ବିନା ଦୋଷେ କିମ୍ପା ଦଣ୍ଡ ୟାଙ୍କୁ ।

ଚନ୍ଦ୍ରକାନ୍ତ-

 

କିଏ ତୁମ୍ଭେ ପ୍ରେମଶୀଳା ! ମୋର ନୟନପିତୁଳି କାଞ୍ଚନବାଳା ! ତୁମ୍ଭେ କାହୁଁ ଆସିଲ ଏ ସ୍ଥାନେ । ଏ କି ହେଲା; ଅକସ୍ମାତ୍ ଏ କି ଦୃଶ୍ୟ । ନାରାୟଣ ନାରାୟଣ, ଧନ୍ୟ ତୁମ୍ଭର ଲୀଳା, ଏତେଦିନେ ପୂରିଲା ମୋ ମନର ବାସନା । (ବିଦ୍ୟାଧରକୁ ଉଠାଇ ନେଇ) ବତ୍ସ ! କ୍ଷମାକର ପାତକୀ ପିତାକୁ । ନଜାଣି ମୁଁ କରୁଥିଲି ବିନାଶ ତୋହର । ମା’, ଭଗବତୀଙ୍କ ପ୍ରସାଦରୁ ଓ ପ୍ରଭୁ ନାରାୟଣଙ୍କ କୃପାରୁ ବଞ୍ଚିଲୁ ପରାଣେ । ପାଇଲି ମୁଁ କନ୍ୟାରତ୍ନ ଦ୍ଵୟେ । ଆସ କାଞ୍ଚନବାଳା, ଆସ ପ୍ରେମଶୀଳା । ବ୍ରତ ମୋର ଏତେଦିନେ ହେବ ଫଳବାନ୍, ତବ ଦୁହିଁଙ୍କୁ ଅର୍ପଣ ସାଧୁ ବିଦ୍ୟାଧର କରେ, ଯୁବରାଜ ପଦେ ଅଭିଷିକ୍ତ କରିଣ ତାହାଙ୍କୁ ବନ୍ୟାଶ୍ରମେ ଯିବି ଏହିକ୍ଷଣି ।

ପ୍ରେମଶୀଳା-

 

ପିତା ! ଅନ୍ୟଜଣେ ନେଇ ସ୍ୱର୍ଣ୍ଣକାଣ୍ଡାସ୍ଥାନ ଭେଟିବ ସେ ସନାତନ ନୃପେ ।

ରାଜା-

 

କାହିଁକି ?

ପ୍ରେମ-

 

ଏହି ଯେ ସାଧୁ ବିଦ୍ୟାଧର ମନ୍ତ୍ରୀପୁତ୍ର ସନାତନଙ୍କର । ଦିନେ ରାଜା ଆଦେଶିଲେ ପିତାଙ୍କୁ ୟାଙ୍କର, ଆଣ ଯାଇ ସ୍ୱର୍ଣ୍ଣକାଣ୍ଡ କାଞ୍ଚନ ନଗରୁ; କିନ୍ତୁ ପିତା ୟାଙ୍କ ଅସମ୍ମତ ହୋଇବାରୁ ନୃପ ବାନ୍ଧି ତାଙ୍କୁ କାରାଗାରେ ରଖିଲେ ଜବତେ । ପୁଣି ସେନାପତି ପୁତ୍ରେ ପଠାଇଲେ କାଣ୍ଡାସ୍ଥାନ ଲାଗି ।

ଚନ୍ଦ୍ରକାନ୍ତ-

 

ତହୁଁ ହେଲା କିସ ?

କାଞ୍ଚନ-

 

ପିତଃ ! ପିତୃଭକ୍ତ ଏହି ସାଧୁ ବିଦ୍ୟାଧର, ପିତାଙ୍କ ଉଦ୍ଧାର ଯୋଗେ ଆସିଲେ ଏ ପଥେ । ଆଦ୍ୟେ ଉଦ୍ଧରିଣ ପ୍ରେମଶୀଳା ଦସ୍ୟୁର କବଳୁ; ଦ୍ୱିତୀୟେ ମୋତେ ଆସି ଭେଟିଲେ ସତ୍ୱର; ମୁଁ ତାଙ୍କୁ ଦେଖିଲାକ୍ଷଣି ପତିପଣେ ବରି; ପଠାଇଲି ତୁମ୍ଭସ୍ଥାନେ କାଣ୍ଡାସ୍ଥାନ ଲାଗି । ବିଦ୍ୟାଧର ନାରାୟଣ ଭକ୍ତ; ସାମାନ୍ୟ ମାନବ ବୋଲି ନଭାବ ତାହାଙ୍କୁ । ନାରାୟଣ ପଥେ ତାଙ୍କୁ ଦେଖାଦେଇ ଦିନେ ବଂଶୀଖଣ୍ଡେ ଦେଇଗଲେ ହସ୍ତରେ ୟାଙ୍କର; ସେହି ବଂଶୀବଳେ ନେଇଥାନ୍ତେ ସ୍ୱର୍ଣ୍ଣ କାଣ୍ଡାସ୍ଥାନ; କିନ୍ତୁ ଦଇବ ଦୁର୍ଯ୍ୟୋଗେ ବିପକ୍ଷ ୟାଙ୍କର; ସେନାପତି-ପୁତ୍ର ହରିନେଇ କାଣ୍ଡାସ୍ଥାନ ଘେନିଗଲା ଏଥୁ ।

ଚନ୍ଦ୍ରକାନ୍ତ-

 

ଛାଡ଼ ପଛକଥା, ନକର ଭାବନା ବୃଥା । କାଣ୍ଡାସ୍ଥାନ ଲାଗି । ଏହିକ୍ଷଣି ସୈନ୍ୟଗଣେ ସାଜି କାଣ୍ଡାସ୍ଥାନ ଶତ୍ରୁ କରୁ ଆଣିବି ଛଡ଼ାଇ । ବିଦ୍ୟାଧର ! ନିଅ ଏ କନକ-ପ୍ରତିମାଦ୍ୱୟେ ଆଶ୍ରାଦିଅ କୋଳରେ ତୋହର ।

ବିଦ୍ୟାଧର-

 

ଯେ ଇଚ୍ଛା ଛାମୁଙ୍କ, ପିତଃ ସ୍ୱର୍ଣ୍ଣକାଣ୍ଡ ସ୍ୱର୍ଣ୍ଣାସ୍ଥାନ ନପାଇଲେ ମୁହିଁ, ପିତା ମୋର କାରାଗୃହେ ଲଭିବେ ସନ୍ତାପ ।

ରାଜା-

 

ନା, ଏହିକ୍ଷଣି ଚାଲ ଶତ୍ରୁପାଶେ, ଯୁଦ୍ଧକରି କାଣ୍ଡାସ୍ଥାନ ଆଣିବା ଛଡ଼ାଇ । (ପ୍ରସ୍ଥାନ)

 

ପଞ୍ଚମ ଅଙ୍କ ତୃତୀୟ ଦୃଶ୍ୟ

(ଦୁର୍ବୁଦ୍ଧି, ବଟୁକ, କେଳା, ବିଦ୍ୟାଦର, ପ୍ରେମଶୀଳା, କାଞ୍ଚନବାଳା)

ଦୁର୍ବୁଦ୍ଧି-

 

ଦେଖ, ବଟୁକ, ମୁଁ ରାଜାଙ୍କ ନିକଟ ଯାଇ ଖବର ଦେଇ ଆସିଲିଣି, ତେଣେ ରାଜା ପାରିଷଦବର୍ଗ ନେଇ ସିଂହାସନରେ ଉପସ୍ଥିତ ହେଲେଣି । ବର୍ତ୍ତମାନ ସ୍ୱର୍ଣ୍ଣକାଣ୍ଡ ଓ ଆସ୍ଥାନ ଛାମୁରେ ଭେଟିବା କଥା । ତୁମ୍ଭେ ପଛରେ ଘେନିକରି ଆସ, ମୁଁ ଆଗରେ ଯାଉଛି । (ପ୍ରସ୍ଥାନ)

ବଟୁକ-

 

ଓସ୍ତାତ୍‌ଜୀ ! ଆଜି ବଡ଼େ ଆନନ୍ଦର ଦିନ, ଦୁର୍ବୁଦ୍ଧି ଯେବେ ରାଜଗାଦୀ ପାଆନ୍ତି, ତେବେ ଆମ୍ଭେ ତ ମନ୍ତ୍ରୀପଦରେ ନିଯୁକ୍ତ ହେବୁ । ଆଉ ତୁମ୍ଭେ ତ ଗୁରୁରୂପରେ ରହିବ । ଆଉ ହେଲେ କ’ଣ ହେଲା ଓସ୍ତାତ୍‌ଜୀ ? ହାରାମଣି ବାଈକି ମୁଁ କେଭେ ନଛାଡ଼େ । କେତେଦିନ ହେଲା ତା’ର ସେହି ଅକଳଙ୍କ ସୁଧାଂଶୁ-ବଦନଟି ଦେଖିନାହିଁ, ବର୍ତ୍ତମାନ ତାକୁ ଡକାଇ ତା’ଠାରୁ ପଦେ ଅଧେ ସୁଧାମିଶା କଥା ନଶୁଣିଲେ କି ମୁଁ ଉଠେ ?

 

 

(ହାରାମଣିବାଈ ପ୍ରବେଶି ନାଚ ଓ ଗୀତ ବୋଲିବା ଉଭୟେ ତହିଁରେ ତନ୍ମୟ ହୋଇ ତାହାରି ତାଳରେ ନାଚୁଥିବା ସମୟେ ସାଧୁ ବିଦ୍ୟାଧରପ୍ରଭୃତି ବିପରୀତ ଦିଗରୁ ଆସି ସ୍ୱର୍ଣ୍ଣକାଣ୍ଡ ଓ ଆସ୍ଥାନ ଦଖଲକରି ଗୋଟିଏ ଖଟୁଲିରେ ଝାଡ଼ୁପୋତି ବଟୁକକୁ ଘେରି ମାଡ଼ଦେବା)

ବିଦ୍ୟାଧର-

 

କେଣେ ଯିବୁ ମୂର୍ଖ ? ରଖ ତୋର ବାହାଦୂରୀପଣ, କରିଅଛ ଯେତେ ଯେତେ କାଣ୍ଡ, ପାଜି ଆଜି ଭୁଞ୍ଜାଇବି ତା’ର ପ୍ରତିଫଳ; ବତା କେଣେ ଅଛି ସେ ଦୁର୍ବୁଦ୍ଧି ପାଜି ।

ବଟୁକ-

 

ମୋତେ କିମ୍ପା ବୃଥା ଦଣ୍ଡ ଦିଅ ବିଦ୍ୟାଧର, ନୁହେ ମୁଁ ତୋ ଅରି, ଅରି ତୋର ଯାଇଅଛି ରାଜ ଦରବାରେ ।

ବିଦ୍ୟା -

 

ଗୀତ

(କେଡ଼େକାଣ୍ଡ କଲା ଭଣ୍ଡ ପାଜି-ବୃତ୍ତେ)

ବେଢ଼ି ମାର ଏ ଚୋରଙ୍କୁ ପାଜି ରେ ।

ଭଣ୍ଡପଣ କରିଛନ୍ତି ପାଜି ରେ ॥

ନିଲଠା ଶୃଗାଳ-କୁଳ            ସିଂହ ସଙ୍ଗେ କଲେ ଗୋଳ

ସବୁ ଗେଲ ଆଜି ଦିଅ ଭାଜି ରେ । ୧ ।

କାଣ୍ଡ ଆସ୍ଥାନ ଛଡ଼ାଇ            ଝାଡ଼ୁ ମୁଣ୍ଡେ ଦିଅ ନେଇ

ମୂର୍ଖ ସବୁ ମଜା ଯିବେ ବୁଝିରେ । ୨ ।

ମୂର୍ଖ ! ତୁ ତେବେ ଏଠି ବସି କ’ଣ କରୁଛୁ ?

ବଟୁକ-

 

ନାଇଁ, ବର୍ତ୍ତମାନ ଏକୁ ନେଇ ଦରବାରକୁ ଯାଇଥାନ୍ତି ।

ବିଦ୍ୟାଧର-

 

ଠିକ୍‌କଥା, ମୁ ବି ସେଇକଥା କହୁଛି, ଉଠା ଏ ଝାଡ଼ୁ ଖଟୁଲିଟି ଉଠା, ଯଦି ତୋର ଜୀବନ ପ୍ରତି ତିଳେମାତ୍ର ଆଶା ଓ ଭରସା ଥାଏ ତ ଶୀଘ୍ର ୟାକୁ ନେଇ ରାଜଦରବାରରେ ଉପସ୍ଥାପିତ କର ନଚେତ୍ ଦେଖିବୁ ।

(କହି ପ୍ରହାରଦେବା ବଟୁକ ସଭାକୁ ନେବା)

 

ପଞ୍ଚମ ଅଙ୍କ ଚତୁର୍ଥ ଦୃଶ୍ୟ

(ସନାତନ ରାଜା, ପାରିଷଦବର୍ଗ, ଦୁର୍ବୁଦ୍ଧି, ସାଧୁ, ବିଦ୍ୟାଧର, ବଟୁକ, କେଳା, କାଞ୍ଚନବାଳା, ପ୍ରେମଶୀଳା, ପୂଜାବାଲା)

ଦୁର୍ବୁଦ୍ଧି-

 

ମହାରାଜ ! ବହୁ କଷ୍ଟେ ବହୁ ଯତ୍ନେ ଆଣିଲି ମୁଁ ସ୍ୱର୍ଣ୍ଣକାଣ୍ଡ ଓ ଆସ୍ଥାନ କାଞ୍ଚନ ସହରୁ ।

ସନାତନ-

 

ପାରିଷଦବର୍ଗ ! ଏତେଦିନେ ଏତେକାଳ ଗଲା ବହି କେହି ଜଣେ ନପାରିଲା ଆଣି ସ୍ୱର୍ଣ୍ଣକାଣ୍ଡାସ୍ଥାନ, ତହୁଁ ପ୍ରତିଜ୍ଞା ମୁଁ କଲି, ଯେ ଆଣିଦେବ ମୋତେ ସ୍ୱର୍ଣ୍ଣାକାଣ୍ଡାସ୍ଥାନ ଅର୍ଦ୍ଧ ରାଜ୍ୟେ ଅଭିଷିକ୍ତ କରିବି ତାହାକୁ । ଆଜିରେ ସେନାପତିପୁତ୍ର ଉତ୍ତୀର୍ଣ୍ଣ ହୋଇଅଛି, ସେହି ପଣ ପୂରଣରେ ଏଣୁ ସର୍ବ ସମକ୍ଷରେ ପ୍ରତିଜ୍ଞା ମୋ ପୂରଣ କରିଛି । (ଦୁର୍ବୁଦ୍ଧି ପ୍ରତି) ବତ୍ସ ! ତୁହି ଏକା ବୀରପଣେ ଉଡ଼ାଇଲୁ ଧ୍ୱଜା, ତୁହି ଏକା ଉପକାରୀ ବାନ୍ଧବ ମୋହର; ଦେବକାର୍ଯ୍ୟେ ହୋଇଲୁ ତୁ ସାହା, ଆଜି ନିଶ୍ଚେ ଅର୍ଦ୍ଧରାଜ୍ୟେ ଦେବି ତୋହ କରେ, କାହିଁ ସେହି ସ୍ୱର୍ଣ୍ଣକାଣ୍ଡା ସ୍ଥାନ ।

ଦୁର୍ବୁଦ୍ଧି-

 

ମହାରାଜ ! ଆସିଲି ମୁଁ ଚାଲି ଛାମୁଙ୍କ ଦର୍ଶନ ନିମିତ୍ତ, ଆଣୁଚନ୍ତି ପଛେ ତାହା ବଟୁକ ବିଶ୍ୱସ୍ତ । (ବିଦ୍ୟାଧର ପ୍ରଭୃତି ବଟୁକ ଓ କେଳାଙ୍କୁ ମାରି ମାରି ଝାଡ଼ୁ ମୁଣ୍ଡେଇ ସଭାକୁ ପଠାଇବା, ବଟୁକ ସଭାରେ ଥୋଇ ଦେଇ ମୌନଭାବେ ଦଣ୍ଡାୟମାନ)

ଦୁର୍ବୁଦ୍ଧି-

 

ଏହି ଦେଖନ୍ତୁ ପ୍ରଭୁ ଏହି ସ୍ୱର୍ଣ୍ଣକାଣ୍ଡାସ୍ଥାନ, ଯାହା ଲାଗି ଲଭିଲି ମୁଁ ଗୁରୁତର କଷ୍ଟ ବିଦେଶ ଭ୍ରମଣେ ।

 

 

(କହି ବସନ ଉନ୍ମୋଚନ କରି ଦେଖି ସ୍ତମ୍ଭୀଭୂତ ହେବା)

ସନାତନ-

 

ଏ କ’ଣ, ଏହି କି ସ୍ୱର୍ଣ୍ଣକାଣ୍ଡା ସ୍ଥାନ, ଝାଡ଼ୁ ଗୋଟା ଆଣି ଦେଖାଉଛୁ ବାହାଦୂରୀ ପଣ । କେ ଅଛି ଏ ପାଷଣ୍ଡ ଦୁର୍ବୁଦ୍ଧିକୁ ନେଇ ଶୂଳୀରେ ବସାଅ । ଆସିଅଛି ମୋହ ସଙ୍ଗେ ଖେଳିବାକୁ ଟାହି ।

ଦୁର୍ବୁଦ୍ଧି-

 

(ବଟୁକକୁ ମାରି) କିରେ, ଏ କି କାଣ୍ଡ ?

ବିଦ୍ୟାଧର-

 

(ପ୍ରବେଶି) ଯେଉଁପରି କାଣ୍ଡ କରିଥିଲୁ ମୋହ ପ୍ରତି ପୂର୍ବେ । ଏ ସେହି କାଣ୍ଡର ପ୍ରତିଶୋଧ ମାତ୍ର । (ସମସ୍ତେ ତଟସ୍ଥ, କାଞ୍ଚନବାଳା ଓ ପ୍ରେମଶୀଳା ସ୍ୱର୍ଣ୍ଣକାଣ୍ଡା ସ୍ଥାନ ଘେନି ସଭାରେ ପ୍ରବେଶ)

ପାରିଷଦବର୍ଗ-

 

ସାଧୁ ସାଧୁ ବିଦ୍ୟାଧର, ତୁହି ଏକା ବୀରପଣେ ଉଡ଼ାଇଲୁ ଧ୍ୱଜା ଏ ରାଜ୍ୟ ମଧ୍ୟରେ, ତୋହ ପରି ବୀରପଣେ ନାହିଁ କେହି ନ ଥିବେରେ ଜଣେ, ତା ନହେଲେ କିରେ ବାଳୁତ ବୟସେ ସାଧିଥାନ୍ତୁ ଏଡ଼େ ଗୁରୁତର କାର୍ଯ୍ୟ ?

ବିଦ୍ୟାଧର-

 

ମହାରାଜ ! ତବ ଅନୁଗ୍ରହେ ଆଣିଛି ଏହି ସ୍ୱର୍ଣ୍ଣକାଣ୍ଡାସ୍ଥାନ । ମୁକ୍ତିଦିଅ ପିତାଙ୍କୁ ମୋହର ।

ସନାତନ-

 

କିଏ ବିଦ୍ୟାଧର ! ଧନ୍ୟ ବତ୍ସ ପୂରିଲା ମୋ ମନର ବାସନା, ପୁତ୍ରେ ମୋର ନାହିଁ ପ୍ରୟୋଜନ । ଆଜି ତୋତେ ଯୌବରାଜ୍ୟେ ଅଭିଷିକ୍ତ କରି ଯିବି ବନ୍ୟାଶ୍ରମେ, ଏ ପାଷଣ୍ଡ ଦୁର୍ବୁଦ୍ଧି ସିଂହ, ଦେଲା ଘୋର ଅପମାନ; ଦିଅ ଦଣ୍ଡ ଯାହା ମନ ଇଚ୍ଛା ।

ରାଜା-

 

ଗୀତ

(ଯେ ଜାତିରେ ଜାତ ଯଜାତି ମର୍କତ-ବୃତ୍ତେ)

ଜୟ ଜୟ ରେ ସୁନ୍ଦର

ଗୁଣ-ସାଗର ଦୁଃଖହାରୀ

ଧନ୍ୟ ସାଧୁ ବିଦ୍ୟାଧର

ବିଜୟ ପତାକାଧାରୀ । ଘୋଷା ।

ରଖିଅଛ ଯେଉଁ କୀରତି ଗାରିମା,

ଯୁଗେ ଯୁଗେ ନାହିଁ ନ ଥିବ ଉପମା ।

(ଧନ୍ୟ) ବଂଶ-ତିଳକ କୁଳଚନ୍ଦ୍ରମା

ଅସାଧ୍ୟ ସାଧନାକାରୀ । ୧ ।

ହିମାଚଳ ସମ ଅଟଳ ଅଚଳ,

ଅଗ୍ନି ସମାନ ପାବକ ଉଜ୍ଜ୍ୱଳ

ଧନ୍ୟ ଧନ୍ୟ ପିତୃବତ୍ସଳ

ଗାଏ କୋଟି ନରନାରୀ । ୨ ।

ପିତୃଭକ୍ତ-ମନ୍ତ୍ରେ ଆଜି,

ଜାଗ ହେ ସରବେ ଅଳସତା ତେଜି,

ଲିଭିଯାଉ ପାପ କଳୁଷରାଜି

ହସି ଉଠୁ ବସୁନ୍ଧରୀ । ୩ ।

ରାଜା-

 

(ପ୍ରହରୀ ପ୍ରତି);

 

 

ଘେନିଆସ ମନ୍ତ୍ରୀଙ୍କୁ ମୋହର

 

 

ଆଣ ଯାଇ ମନ୍ତ୍ରୀଜାୟା ଏଥି ।

ବିଦ୍ୟାଧର-

 

ମହାରାଜ ! କ୍ଷମା ଦିଅନ୍ତୁ ଏ ଅଭାଗା ସନ୍ତାନେ ଜଣକର ପକ୍ଷେ ଅସମ୍ଭବ ଦ୍ୱିଦଣ୍ଡ ଧାରଣ, ଏହି ଦୁଇ ଅବଳାଙ୍କ ସହାୟତା ବଳେ ପାଇଛି ମୁଁ ରତ୍ନାବତୀ ରାଜସିଂହାସନ । ଏଣୁ ଅକ୍ଷମ ମୁଁ ଏ ଭାର ଗ୍ରହଣେ ।

ସନାତନ-

 

ତେବେ ମନ୍ତ୍ରୀ ମହାଶୟଙ୍କୁ ଆଜି ସିଂହାସନ ଦେଇ ମୁଁ ବନ୍ୟାଶ୍ରମ ଗ୍ରହଣ କରିବି । (ରାଜମୁକୁଟ ମନ୍ତ୍ରୀଙ୍କୁ ଦେବା) ଆସ ଆଜି ଏ ଶୁଭଦିନରେ ନାରାୟଣଙ୍କ ପୂଜା କରି ଆନନ୍ଦରେ ମାତ ସର୍ବଜନେ; ପାଷାଣ୍ଡ ଦୁର୍ବୁଦ୍ଧିକୁ ଦିଅ ତା’ର ସମୁଚିତ ଶାସ୍ତି ।

 

 

(ତଥାକରଣ; ପାଲାବାଲାଙ୍କ ପାଲା ପୂଜା)